32.1 C
Bhubaneswar
Tuesday, September 15, 2026
Homeଓଡିଶାବାର୍ଦ୍ଧକ୍ୟ ଭତ୍ତା ମିଳିବାରେ ବିଳମ୍ୱକୁ ନେଇ ଉଦ୍ବେଗ ପ୍ରକାଶ କଲା ବିଜେଡି

ବାର୍ଦ୍ଧକ୍ୟ ଭତ୍ତା ମିଳିବାରେ ବିଳମ୍ୱକୁ ନେଇ ଉଦ୍ବେଗ ପ୍ରକାଶ କଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସାମାଜିକ ସୁରକ୍ଷା ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ୱକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ବାର୍ଦ୍ଧକ୍ୟ ଭତ୍ତା ବିଳମ୍ୱ ଯୋଗୁ ଏହାର ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି କହିଛନ୍ତି, ଗତ ମାର୍ଚ୍ଚ ମାସରୁ ଚଳିତ ସେପ୍ଟେମ୍ୱର ମାସ ଭିତରେ, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ୱ ଦେଖାଦେଇଛି, ଯେଉଁଥିପାଇଁ ଏହାର ହିତାଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ଏପ୍ରିଲ ମାସରୁ ଜୁନ ମାସ ପର୍ଯ୍ୟନ୍ତ ପ୍ରାୟ ୨୦ ଲକ୍ଷ ହିତାଧିକାରୀ ସେମାନଙ୍କର ୧୦୦୦ ଟଙ୍କାର ମାସିକ ଭତ୍ତା ପାଇ ନଥିଲେ । ସେହି ସମୟରେ ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏହାର ଉତ୍ତରରେ ରାଜ୍ୟ ସରକାରଙ୍କ ତରଫରୁ ବୈଷୟିକ ବା ସଫ୍ଟୱେୟାର ତ୍ରୁଟି ଯୋଗୁ ଏହି ଭତ୍ତା ପ୍ରଦାନରେ ବିଳମ୍ୱ ହେଉଛି ବୋଲି କୁହାଯାଇଥିଲା । ଏହି ତ୍ରୁଟିକୁ ସୁଧାରିବା ପରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ସ୍ୱାଭାବିକ ହୋଇଛି ବୋଲି ସରକାରଙ୍କ ତରଫରୁ ଦାବି ହୋଇଥିଲେ ହେଁ ଏବେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ଠିକ ସମୟରେ ମିଳୁ ନାହିଁ ବୋଲି ରାଜ୍ୟର ବିଭିନ୍ନ ଜାଗାରୁ ଖବର ଆସୁଛି । ଉଲ୍ଲେଖଯୋଗ୍ୟ ଯେ, ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଔଷଧ ଓ ନିତ୍ୟ ଆବଶ୍ୟକୀୟ ଜିନିଷ କିଣିବା ପାଇଁ ବ୍ୟବହାର କରିଥାନ୍ତି ଓ ଏହା ମିଳିବାରେ ବିଳମ୍ୱ ହେଲେ ସେମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।
ଡ. ମହାନ୍ତି କହିଛନ୍ତି, ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ତାଲିକାରେ ଯୋଡି ହେବା ପାଇଁ ରାଜ୍ୟରେ ପ୍ରାୟ ୭ ଲକ୍ଷରୁ ଉଦ୍ଧ୍ୱର୍ ଦରଖାସ୍ତ ସରକାରଙ୍କ ନିକଟରେ ପଡ଼ି ରହିଛି ।

କିନ୍ତୁ, ଏମାନଙ୍କୁ ତାଲିକାରେ ଯୋଡ଼ା ଯାଉ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ତାଲିକାରୁ ମୃତ ବ୍ୟକ୍ତି ମାନଙ୍କୁ ବାଦ ଦେବା ଓ ନୂତନ ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଡିବା ଏକ ନିୟମିତ ପ୍ରକ୍ରିୟା, ଯାହାକୁ ବିଜେପି ସରକାର ଜାଣିଶୁଣି କାର୍ଯ୍ୟକାରୀ କରୁନାହାନ୍ତି । ବିଜେପି ତାର ନିର୍ବାଚନ ଇସ୍ତାହାରରେ, ବାର୍ଦ୍ଧକ୍ୟ ଭତ୍ତାକୁ ୧୦୦୦ ଟଙ୍କାରୁ ୩,୫୦୦ ଟଙ୍କାକୁ ବୃଦ୍ଧି କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ସରକାରକୁ ଆସିବା ପରେ ବିଜେପି ଏହା ଭୁଲି ଯାଇଛି । ହିତାଧିକାରୀ ମାନଙ୍କ ଭତ୍ତା ବୃଦ୍ଧି କରିବା ଦୂରର କଥା ସେମାନଙ୍କୁ ନିୟମିତ ଭାବରେ ଭତ୍ତା ପ୍ରଦାନ କରାଯାଉ ନାହିଁ । ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ସହିତ ସେମାନେ କିପରି ଠିକ ସମୟରେ ବାର୍ଦ୍ଧକ୍ୟ ଭତ୍ତା ପାଇବେ ସେ ବ୍ୟବସ୍ଥା କରିବା ସହିତ ନୂତନ ହିତାଧିକାରୀ ମାନଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରିବା ପାଇଁ ବିଜେଡି ଦାବି କରୁଛି ବୋଲି ଡ. ମହାନ୍ତି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking