ଝାଡ଼ଖଣ୍ଡ: କିଛି ଦିନର ନିରବତା ପରେ ସରଣ୍ଡା ଜଙ୍ଗଲରେ ପୁଣି ଥରେ ମାଓଓ ହିଂସା ଦେଖିବାକୁ ମିଳିଛି । ସରଣ୍ଡା ଜଙ୍ଗଲ ଅଧୀନ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ଠାରେ ମାଓବାଦୀ ମାନେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସୂଚନା ଅନୁସାରେ, ଗତକାଲି ରାତିରେ ଚାରିଜଣ ନକ୍ସଲ ତାଙ୍କ ଘରେ ପହଞ୍ଚିଥିଲେ। ସେମାନେ ରମେଶଙ୍କୁ ଘରୁ ବାହାରକୁ ଡାକି ନେଇଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁସାରେ, ରମେଶଙ୍କ ପତ୍ନୀ ନକ୍ସଲମାନଙ୍କୁ ବାଧା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ରମେଶଙ୍କର କିଛି ହେବ ନାହିଁ। କିନ୍ତୁ ମାଓବାଦୀମାନେ ରମେଶଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣା ପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଯିବାବେଳେ ରମେଶଙ୍କ ମୋବାଇଲ୍ ମଧ୍ୟ ନିଜ ସାଙ୍ଗରେ ନେଇ ଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ରମେଶ ପୂର୍ବରୁ ମାଓବାଦୀ ଥିଲେ। ପରେ ପୁଲିସ ଦ୍ବାରା ଗିରଫ ହୋଇ ଚାଇଁବାସା ଜେଲରେ ଥିଲେ। ପରେ ଜେଲରୁ ମୁକୁଳି ଗାଁରେ ୬ ମାସ ହେଲା ରହୁଥିଲେ। ଏଥିସହ ରମେଶ ପୁଲିସ ଇନଫର୍ମର ଭାବେ କାମ କରୁଥିବା ମାଓବାଦୀମାନେ ସନ୍ଦେହ କରୁଥିଲେ। ଏହି ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।










