ୱାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି। ଚୁକ୍ତି ସ୍ବାକ୍ଷର ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା କୁହାଯାଉଛି। ଆମେରିକା ଓ ଇରାନ ମଧ୍ୟରେ ଖୁବ୍ଶୀଘ୍ର ଚୁକ୍ତି ସ୍ବାକ୍ଷର ହେବ ବୋଲି ଶନିବାର ସୂଚନା ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍। ଗଣମାଧ୍ୟମକୁ ସୂଚନା ଦେଇ ସେହବାଜ କହିଥିଲେ ଚୁକ୍ତି ସ୍ବାକ୍ଷର ନେଇ ବୈଷୟିକ ସ୍ତରରେ ଆଲୋଚନା ପ୍ରାୟତଃ ଚୂଡ଼ାନ୍ତ ହୋଇଛି। ପ୍ରସ୍ତାବିତ ଚୁକ୍ତି ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ବୃଦ୍ଧି ସହ ହର୍ମୁଜ ପ୍ରଣାଳୀ ଖୋଲାଯିବ। ତେବେ ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ହେବ। ଆମେରିକା ଓ ଇରାନ ମଧ୍ୟରେ ଚୁକ୍ତି ପାଇଁ ପାକିସ୍ତାନ ମଧ୍ୟସ୍ଥତା ଜାରି ରଖିଛି। ଯୁଦ୍ଧ ବନ୍ଦ ହେବା ପରେ ହର୍ମୁଜ ପ୍ରଣାଳୀ ଦେଇ ସ୍ବାଭାବିକ ଭାବେ ତୈଳ ଓ ଗ୍ୟାସ୍ବାହୀ ଜାହାଜ ଚଳାଚଳ କରିବ। ଯାହାଫଳରେ ବିଶ୍ବବ୍ୟାପୀ ଦେଖା ଦେଇଥିବା ତୈଳ, ଗ୍ୟାସ୍ ସଙ୍କଟର ଅବସାନ ଘଟିବ ବୋଲି ସେହବାଜ୍ ଆଶାବ୍ୟକ୍ତ କରିଛନ୍ତି।
ଆମେରିକା ସହ ଚୁକ୍ତି ସ୍ବାକ୍ଷର ହେବା ସମ୍ପର୍କରେ ଇରାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି ଚୁକ୍ତି ସ୍ବାକ୍ଷର ପ୍ରକ୍ରିୟାରେ ଅଗ୍ରଗତି ଘଟିଛି। ଚୁକ୍ତିରେ ଥିବା ବିଷୟବସ୍ତୁ ଉପରେ ସବିଶେଷ ଆଲୋଚନା ପରେ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରାଯିବ। ନିକଟ ଭବିଷ୍ୟତରେ ଏହି ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ କେଉଁ ତାରିଖରେ ଏହା ହେବ ସେ ସମ୍ପର୍କରେ ବର୍ତ୍ତମାନ ଠାରୁ କହି ହେବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଅନ୍ୟପକ୍ଷରେ ଚୁକ୍ତିକୁ ନେଇ ଉଭୟ ଆମେରିକା ଓ ଇରାନ ନିଜର ସହଯୋଗୀ ରାଷ୍ଟ୍ରର ମୁଖ୍ୟଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି। ଶନିବାର ଇରାନ ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦି ରୁଷ୍ ଓ ଚୀନ୍ ଉଚ୍ଚାୟୁକ୍ତଙ୍କ ସହ ଏ ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷର ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୁକ୍ତି ସ୍ବାକ୍ଷର ନେଇ ଭାରତ, ଫ୍ରାନ୍ସ ଓ ଇଜିପ୍ଟର ନେତୃବର୍ଗଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଶନିବାର ଆମେରିକା ତରଫରୁ ହର୍ମୁଜ ସ୍ଥିତିକୁ ନେଇ ଏକ ବିବୃତି ଜାରି କରାଯାଇଛି।










