ଭୁବନେଶ୍ୱର: ଓଡିଶାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ କରୁଥିବା ବିଦ୍ୟୁତ ଶକ୍ତି ବିତରଣ କମ୍ପାନୀ (ଡିସ୍କମ୍)ମାନଙ୍କର ୨୯ ତମ ବୋର୍ଡ ବୈଠକ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ପୃଥକ୍ ପୃଥକ୍ ଭାବେ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୨୨ ତାରିଖରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକଗୁଡ଼ିକରେ ବିଭିନ୍ନ ଡିସ୍କମ୍ମାନଙ୍କ କାର୍ଯ୍ୟଦକ୍ଷତା,ପରିଚାଳନା ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଟାଟା ପାଓ୍ୱାର ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ), ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ( ଟିପିଏସଓଡିଏଲ), ଟିପି ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ( ଟିପିସିଓଡିଏଲ) ଏବଂ ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ( ଟିପିଡବ୍ଲୁଓଡିଏଲ) ମାନଙ୍କର ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ବୈଠକରେ ବୋର୍ଡର ସଦସ୍ୟ ସଦସ୍ୟାମାନେ ଯୋଗଦେଇଥିଲେ । ସାରା ରାଜ୍ୟରେ ଦକ୍ଷ ଏବଂ ଅବିରତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା, ବିଦ୍ୟୁତ୍ ସଂଚରଣରେ କ୍ଷୟକ୍ଷତି କମାଇବା, ଗ୍ରାହକମାନଙ୍କୁ ସେବା ପ୍ରଦାନ ଏବଂ ଭିତ୍ତିଭୂମି ଉନ୍ନୟନ ପରି ପ୍ରମୁଖ ବିଷୟଗୁଡିକ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ରାଜ୍ୟରେ ପିଏମ୍ ସୂର୍ଯ୍ୟ ଘର : ମୁଫ୍ତ ବିଜୁଳି ଯୋଜନା (ପିଏମ୍-ଏସଜି-ଏମବିଓ୍ୱାଇ) କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା । ଦେଶରେ ୧୩ ଫେବୃଆରୀ ୨୦୨୪ ରେ ₹୭୫,୦୨୧ କୋଟି ମୋଟ ଅଟକଳରେ ଆରମ୍ଭ ହୋଇଥିବା ଏହି ଯୋଜନା ଆର୍ଥିକ ବର୍ଷ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟାନ୍ୱୟନ ଲକ୍ଷ୍ୟରହିଛି । ଓଡିଶାରେ ଏହାର କାର୍ଯ୍ୟାନ୍ୱୟନ ନେଇ ଦ୍ରୁତ ପ୍ରୟାସ ଜାରି ରହିଥିବା ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଛାତ ଉପରେ ସୌର ଶକ୍ତି ଉତ୍ସରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ( ରୁଫଟପ୍ ସୋଲାର)କୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାରଙ୍କ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ୟୁଟିଲିଟି-ଲେଡ୍-ଏଗ୍ରିଗେସନ (ୟୁଏଲଏ) ଯୋଜନା ପ୍ରଣୟନ କରିଛନ୍ତି । ଓଡିଶାରେ ଏହି ଯୋଜନା ନଭେମ୍ବର ୨୦୨୫ ରେ ଆରମ୍ଭ ହୋଇଥିବାବେଳେ, ୧ କିଲୋୱାଟ୍ ସଂଯୁକ୍ତ ଲୋଡ୍ ଥିବା ଘରୋଇ ଉପଭୋକ୍ତା କେବଳ ₹୧,୮୭୫ ଅନୁଦାନ ଅଂଶରେ ଅଧିକ ସବସିଡି ଥିବା ଏହି ସ୍କିମରେ ରୁଫଟପ୍ ସୋଲାର ବ୍ୟବସ୍ଥା
ସ୍ଥାପନ କରିବାକୁ ସମର୍ଥ ହେଉଛନ୍ତି । ଏହି ସୋଲାର ଶକ୍ତି ଯୋଜନାରେ ବିଦ୍ୟୁତ୍ ବିତରଣ କମ୍ପାନୀ ଅନେକ ଘରୋଇ କିମ୍ବା ଛୋଟ ଉପଭୋକ୍ତାଙ୍କୁ ଏକସାଥିରେ ଯୋଡ଼ି ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରନ୍ତି, ଯଦ୍ୱାରା ଉପଭୋକ୍ତା ସହଜରେ, ତ୍ୱରିତ ବ୍ୟବସ୍ଥା ସହ କମ୍ ଖର୍ଚ୍ଚରେ ସୋଲାର ବିଦ୍ୟୁତ୍ ରୁ ଲାଭ ଉଠାଇବାର ସୁବିଧା ନେଇପାରିବେ । ଉଭୟ ଯୋଜନା ଅଧୀନରେ ଓଡ଼ିଶାର ଉତ୍ସାହଜନକ ପ୍ରଗତି ପରିଲକ୍ଷିତ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ, ପିଏମ୍-ଏସଜି-ଏମବିଓ୍ୱାଇ ଅଧୀନରେ ଅଦ୍ୟାବଧି ରାଜ୍ୟରେ ୫୫,୮୮୮, ୟୁଏଲଏ ଯୋଜନା ଅଧୀନରେ ଅତିରିକ୍ତ ୨୯,୦୦୦ ଏହିପରି ସମୁଦାୟ ୮୪,୮୮୮ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପିତ ହୋଇସାରିଛି । ଗୁରୁତ୍ୱପୂର୍ଣ୍ଣଭାବେ, ୟୁଏଲଏ ଯୋଜନା କାର୍ଯ୍ୟକାରିତାରେ ଓଡିଶାର ସଫଳତା ଦେଶରେ ସର୍ବାଧିକ, ଯାହା ରାଜ୍ୟର କାର୍ଯ୍ୟନ୍ୱୟନ କୌଶଳ ଏବଂ ନବୀକରଣଯୋଗ୍ୟ ଶକ୍ତି ଉତ୍ସ କୁ ଆପଣାଇବାରେ ଉପଭୋକ୍ତାମାନଙ୍କର ଅଂଶଗ୍ରହଣ ବଢୁଥିବା ପ୍ରତିଫଳିତ କରୁଛି । ଓଡିଶାରେ ରୁଫଟପ୍ ସୋଲାର ଅଧୀନରେ ୩ ଲକ୍ଷ ପରିବାରକୁ ଆଣିବା ପାଇଁ ଏକ ଆକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି, ଯାହା ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ପଦକ୍ଷେପ ।
ବର୍ତ୍ତମାନ ପର୍ଯ୍ୟନ୍ତ, ରାଜ୍ୟରେ ରୁଫ୍ ଟପ ସୋଲାର ସିଷ୍ଟମ ସ୍ଥାପନର ଅଗ୍ରଗତିରେ ନିରନ୍ତରତା ରହିଥିବା ବେଳେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆଗାମୀ ପର୍ଯ୍ୟାୟରେ ପ୍ରତିମାସରେ ୨୫,୦୦୦ ରୁଫ୍ ଟପ ସୋଲାର ସିଷ୍ଟମ ସ୍ଥାପନ କରିବା ପାଇଁ କର୍ତ୍ତୃପକ୍ଷ ଏବେ ପଦକ୍ଷେପ ନେଉଛନ୍ତି । କଟକ ଏବଂ ଗଞ୍ଜାମ ଜିଲ୍ଲାପାଳମାନେ ମାଟିଆଖାଲ ଗ୍ରାମରେ ୨୦୦ ପରିବାର, ଓଲାବା ଗ୍ରାମରେ ୪୧ ପରିବାର ଏବଂ ଦେବଭୁଇଁରେ ୨୯ ପରିବାର ଏହିପରି ମିଳିତ ଭାବେ ୨୮୦ ପରିବାରକୁ ରୁଫ୍ ଟପ ସୋଲାର ସିଷ୍ଟମ ପାଇଁ ଆର୍ଥିକ ଏବଂ ପ୍ରଶାସନିକ ସହଯୋଗ ପ୍ରଦାନ କରିଛନ୍ତି । ଫେବୃଆରୀ ୨୦୨୬ ରେ ସଂସ୍ଥାପିତ ହୋଇଥିବା ଏହି ପ୍ରୟାସ ମାଧ୍ୟମରେ ସମସ୍ତ ଲାଭାନ୍ୱିତ ପରିବାରଙ୍କୁ ବର୍ତ୍ତମାନ ମାସିକ ବିଲ୍ ଦେବାକୁ ପଡ଼ୁନାହିଁ, ଯାହା ପରିବାରମାନଙ୍କ ଆର୍ଥିକ ଭାରକୁ କମାଇ ଜୀବନ ମାନକୁ ଉନ୍ନତ କରିଛି । ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କର ଦୃଢ ପରିଚାଳନାତ୍ମକ କାର୍ଯ୍ୟଦକ୍ଷତାର ଫଳସ୍ୱରୂପ ସାମଗ୍ରିକ ବୈଷୟିକ ଏବଂ ବ୍ୟବସାୟିକ କ୍ଷୟକ୍ଷତି ୨୦୧୯-୨୦ ଆର୍ଥିକ ବର୍ଷର ୨୯.୫% ରୁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୪.୬% କୁ ଗୁରୁତ୍ୱପୂର୍ଣ୍ଣଭାବେ ହ୍ରାସ ପାଇଛି । ଟିପିଏନଓଡିଏଲ ଅଣ-ସହରାଂଚଳ ବିତରଣ ୟୁଟିଲିଟି ରାଙ୍କିଂରେ ୨ୟ ସ୍ଥାନ ଓ ଟିପିସିଓଡିଏଲ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି । ଗତ ପାଞ୍ଚ ବର୍ଷ ଧରି ସାଧାରଣ ଲୋକମାନଙ୍କ ବିଦ୍ୟୁତ ସେବା ଶୁଳ୍କରେ କୌଣସି ବୃଦ୍ଧି ହୋଇନାହିଁ । ୨୦୨୫-୨୬ ଆର୍ଥିକ ବର୍ଷରେ ଓଡିଶା ଡିସ୍କମ୍ମାନେ ସାମାଜିକ ଦାୟିତ୍ୱବୋଧତା(ସିଏସଆର)ଅଧୀନରେ ₹୧୭ କୋଟି ବ୍ୟୟ କରିଥିବାବେଳେ, ୨୦୨୬-୨୭ ଆର୍ଥିକ ବର୍ଷରେ ₹୨୦ କୋଟି ବ୍ୟୟ କରିବାର ଯୋଜନା ରହିଛି ।
ଏହି ପ୍ରୟାସ ଦୁର୍ଗମ ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜୀବିକା ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖି କରାଯାଉଛି । ଓଡିଶାର ଦୂରସ୍ଥ ଗ୍ରାମଗୁଡିକରେ ସ୍ୱାସ୍ଥ୍ୟ ସେବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୬ଟି ମୋବାଇଲ୍ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ( ଡିସ୍ପେନସାରି) ଚାଲୁ କରାଯାଇଛି ଏବଂ ୨୦୨୬-୨୭ ଆର୍ଥିକ ବର୍ଷରେ ଅତିରିକ୍ତ ୪ଟି ମୋବାଇଲ୍ ହେଲଥ ଡିସ୍ପେନସାରି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ନିଯୁକ୍ତି ସମ୍ଭାବନା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ଓଡିଶାରେ ୨୦ଟି ଧନ୍ଦାମୂଳକ ତାଲିମ କେନ୍ଦ୍ର ଚାଲୁଛି, ଯାହାକୁ ୨୦୨୬-୨୭ ଆର୍ଥିକ ବର୍ଷରେ ୨୪କୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ଡିସକମ୍ ମାନଙ୍କର କାର୍ଯ୍ୟଦକ୍ଷତା ସମୀକ୍ଷା କରି ବିଦ୍ୟୁତ୍ ଯୋଗାଣ ସମ୍ବନ୍ଧୀୟ ସାଧାରଣ ଲୋକଙ୍କ ଅଭିଯୋଗର ତ୍ୱରିତ ଏବଂ ପ୍ରଭାବୀ ସମାଧାନ ପାଇଁ ଗୁରୁତ୍ୱାରୋପ କରିଥିଲେ । ସେ ବିଦ୍ୟୁତ୍ ବିତରଣ ସେବାରେ ଗୁଣାତ୍ମକ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ସେ ଆହୁରି ମଧ୍ୟ ପିଏମ୍ ସୂର୍ଯ୍ୟ ଘର ଯୋଜନା ପରି ପଦକ୍ଷେପମାନଙ୍କ ମାଧ୍ୟମରେ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଉପଲବ୍ଧତାକୁ ପ୍ରୋତ୍ସାହନ ଦେବା ଉପରେ ଆଲୋକପାତ କରିଥିଲେ । ତତ୍ ସହିତ କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି ( ସିଏସଆର) କାର୍ଯ୍ୟକଳାପକୁ ବୃଦ୍ଧି କରିବା ନେଇ ଡିସକମମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ।










