ଅନୁଗୁଳ: ବନ୍ତଳା ବନାଞ୍ଚଳ ମଧୁପୁର ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି। ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ହାତୀ ମାଆ ସହିତ ୮ବର୍ଷ ଝିଅକୁ ଦଳି ଦେଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଛି।ସୂଚନା ମୁତାବକ, ପୁରୁଣାକୋଟ ଥାନା ଗଦେଇମୁଣ୍ଡା ଗାଁର କାଠିଆ ପ୍ରଧାନ ତାଙ୍କ ପତ୍ନୀ ପଙ୍କଜିନୀ ପ୍ରଧାନ (୩୬) ଓ ଝିଅ ପୁଷ୍ପା ପ୍ରଧାନ (୮) ପୋକତୁଙ୍ଗା ଭୋକିଲାପାଳରେ ରହି ଆସୁଥିଲେ। ସେଠାରେ ଏକ ବଗିଚାରେ ଶ୍ରମିକ ଭାବରେ କାମ କରୁଥିଲେ। ତେବେ ସେମାନେ ଗତକାଲି ରାତିରେ ମଧୁପର ଗାଁରେ ହେଉଥିବା ଦଣ୍ଡ ନାଚ ଦେଖିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ସେମାନେ ନାଚ ଦେଖି ଫେରିବା ବେଳକୁ ବାଟରେ ଏକ ଦନ୍ତା ହାତୀ ସେମାନଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ପଙ୍କଜିନୀ ଓ ତାଙ୍କ ଝିଅ ପୁଷ୍ପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। କାଠିଆ ଅଳ୍ପକେ ବର୍ତ୍ତି ଯାଇ ଗାଁ ଲୋକଙ୍କୁ ଏସମ୍ପର୍କରେ ଖବର ଦେଇଥିଲେ। ବନ୍ତଳା ପୁଲିସ ଓ ବନ ବିଭାଗ ସେଠାରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।










