କଳାହାଣ୍ଡି: ନିର୍ମାଣଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ କର୍ଲାଖୁଣ୍ଟା ଗାଁରେ ଘଟିଛି । ସୂଚନା ଅନୁସାରେ, ସେଣ୍ଟ୍ରିଂ କାମ କରୁଥିବା ବେଳେ ଅସାବଧାନତାବଶତଃ ପ୍ରଥମେ ଜଣେ ମିସ୍ତ୍ରୀ ସେ ଟାଙ୍କି ଭିତରେ ପଡିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ୨ ମିସ୍ତ୍ରୀ, ଜଣେ ଶ୍ରମିକ ଏବଂ ଯାହାର ଟାଙ୍କି କାମ ଚାଲୁଥିଲା ସେହି ମାଲିକ ଏବଂ ତାଙ୍କ ପୁଅ ମଧ୍ୟ ସେ ଟାଙ୍କିରେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ସେଠାରୁ ସମସ୍ତଙ୍କୁ ଉଦ୍ଧାର କରି ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଆଉ ଜଣେ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେ ଚିକିତ୍ସିତ ହେଉଛନ୍ତି । କୁହାଯାଉଛି ଯେ, ବହୁ ଦିନ ଧରି ସେଣ୍ଟ୍ରିଂ ସିଲ ହୋଇ ପଡିଥିବା ବେଳେ ସେଠାରୁ ବିଷାକ୍ତ ଗ୍ୟାସ ବାହାରିଥିଲା ଯାହାଫଳରେ ସେମାନଙ୍କ ଶ୍ୱାସରୁଦ୍ଧ ହୋଇଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।










