ଚଣ୍ଡିଗଡ଼:ପଞ୍ଜାବ କଂଗ୍ରେସରେ କ୍ଷମତାକୁ ନେଇ କନ୍ଦଳ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଅମରିନ୍ଦର ସିଂହ ରାଜାଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ନିଯୁକ୍ତ କରାଯାଇଥିବାରୁ ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଚରଣଜିତ୍ ସିଂହ ଚନ୍ନି ଅସନ୍ତୋଷବ୍ୟକ୍ତ କରିଛନ୍ତି। କ୍ଷମତା କନ୍ଦଳର ସମାଧାନ ପାଇଁ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପ୍ରଭାରୀ ଭୂପେଶ ବଘେଲ୍ ଶନିବାର ଚନ୍ନି ଗୋଷ୍ଠୀର ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ବରିଷ୍ଠ ସୁଖଜିନ୍ଦର ସିଂହ ରନ୍ଧାୱା, ଭାରତ ଭୂଷଣ, ତୃପ୍ତି ରାଜିନ୍ଦର ବାଜ୍ବା, ପ୍ରତାପ ସିଂହ ବାଜ୍ବା, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସିଂହ ପ୍ରମୁଖ ଯୋଗ ଦେଇଥିଲେ। ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ବଘେଲ କହିଥିଲେ ପ୍ରତ୍ୟେକ ନେତା ଦଳୀୟ ନିଷ୍ପତ୍ତି ମାନିବାକୁ ରାଜି ହୋଇଛନ୍ତି। ଦଳରେ ଯାହା କିଛି ସମସ୍ୟା ରହିଛି ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ। ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଅମରିନ୍ଦର ସିଂହ ରାଜାଙ୍କୁ ବାଦ୍ ଦିଆଯିବ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଚନ୍ନି କହିଥିଲେ ଏ ସମ୍ପର୍କରେ ବୈଠକରେ କୌଣସି ଆଲୋଚନା ହୋଇ ନାହିଁ।










