କୋରାପୁଟ: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ନୂଆପଡ଼ା ଜିଲ୍ଲା ପୁଲିସ ଏବଂ ସିଆରପିଏଫର ମିଳିତ ଟିମ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ଏକ ବିପୁଳ ପରିମାଣର ମାଓ ଡମ୍ଫ ଉଦ୍ଧାର କରିଛନ୍ତି। ନୂଆପଡା ପୁଲିସ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଗୁଇନ୍ଦା ସୂଚନା ଆଧାରରେ ନୂଆପଡ଼ା ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଏବଂ ୧୯ ବାଟାଲିୟନ ସିଆରପିଏଫର ଏକ ମିଳିତ ଟିମ୍ ଗଠନ କରାଯାଇଥିଲା ।
ବୋଡେନ ପୁଲିସ ଷ୍ଟେସନ ଅଧୀନରେ ଥିବା ପାଟଧାରା ସଂରକ୍ଷିତ ଜଙ୍ଗଲ ଏବଂ ବରପାଟ ଡୋଙ୍ଗରର ଅତି ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ଏହି ମିଳିତ ସର୍ଚ୍ଚ ଅପରେସନ୍ ଚାଲିଥିଲା । ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ଏହା ସିପିଆଇ (ମାଓବାଦୀ) କ୍ୟାଡରମାନଙ୍କ ଦ୍ୱାରା ବହୁ ପୂର୍ବରୁ ବ୍ୟବହୃତ ଓ ଲୁଚାଯାଇଥିବା ସାମଗ୍ରୀ ଥିଲା । ଆଇଇଡି ତିଆରି ସରଞ୍ଜାମ, ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଏବଂ ନକ୍ସଲମାନଙ୍କ ଦ୍ୱାରା ବ୍ୟବହୃତ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଜବତ କରାଯାଇଛି ।










