ମଣିପୁର: ଶାନ୍ତ ପଡୁଥିବା ମଣିପୁର ପୁଣିଥରେ ଭୟଙ୍କର ହିଂସାରେ ଥରି ଉଠିଛି । ସୋମବାର ବିଷ୍ଣପୁର ଜିଲ୍ଲା ମୋଇରାଙ୍ଗରେ ଏକ ଆବାସିକ ଘର ଉପରେ ସନ୍ଦିଗ୍ଧ ରକେଟ ମାଡ ହେତୁ ଜଣେ ସୀମା ସୁରକ୍ଷା ବଳ ଯବାନଙ୍କ ୫ ବର୍ଷର ପୁଅ ଓ ୫ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଏହି ବିସ୍ଫୋରଣରେ ଶିଶୁଙ୍କ ମା ବିନିତା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ପାହାଡିଆ ଅଞ୍ଚଳରୁ ନି କ୍ଷେପ କରାଯାଇଥିବା ଏହି ଶକ୍ତିଶାଳୀ ଗୋଳା ଯୋଗୁଁ ସମଗ୍ର ଉପତ୍ୟକାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହି ନିର୍ମମ ଆକ୍ରମଣ ପ୍ରତିବାଦରେ ଉତ୍ୟକ୍ତ ଲୋକେ ବିଷ୍ଣୁପୁରରେ ଚୂଡାଚାନ୍ଦପୁର ଅଭିମୁଖେ ଯାଉଥିବା ଦୁଇଟି ତେଲ ଟ୍ୟାଙ୍କର ଓ ଏକ ଟ୍ରକକୁ ନିଆଁ ଲଗାଇ ଦେଇଛନ୍ତି । ସ୍ଥିତି ଅଣାୟତ୍ତ ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଅଞ୍ଚଳର ସମସ୍ତ ବିଦ୍ୟାଳୟକୁ ବନ୍ଦ କରିିବା ସହ ସୁରକ୍ଷା ବଳକୁ ହାଇ ଆଲର୍ଟରେ ରଖାଯାଇଛି । ସ୍ଥାନୀୟ ବିଧାୟକ ଏହି ବର୍ବରକାଣ୍ଡକୁ କଡା ନିନ୍ଦା କରିବା ସହ ଦୋଷୀଙ୍କୁ ତୁରନ୍ଦ ଗିରଫ କରିବାକୁ ଦାବି କରିଛନ୍ତି । ମଣିପୁରରେ ଜାରି ରହିଥିବା ଏହି ସାଂଘାତିକ ହିଂସା ସାଧାରଣ ଜୀବନ ଯାତ୍ରାକୁ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି ।










