ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ଭାରତ ସରକାର ଦେଶର ଉର୍ଜ୍ଜା ଆବଶ୍ୟକତା ସୁନିଶ୍ଚିତ କରିବାକୁ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତ ଉତ୍ତେଜନା ହ୍ରାସ, ସଂଯମ ଆଚରଣ ଏବଂ କୂଟନୈତିକ ଆଲୋଚନା ମାଧ୍ୟମରେ ସଂଘର୍ଷର ଶୀଘ୍ର ଅବସାନ ପାଇଁ ଆହ୍ୱାନ ଜଣାଇ ଆସୁଥିବା ବେଳେ ହର୍ମୁଜ ପ୍ରଣାଳୀରେ ନିର୍ବିଘ୍ନ, ମୁକ୍ତ ଓ ସୁରକ୍ଷିତ ଯାତାୟାତ ପାଇଁ ମଧ୍ୟ ଜୋର ଦେଉଛି, ଯାହାଦ୍ୱାରା ଭାରତ ସହିତ ବିଶ୍ୱ ସମୁଦାୟର ଉର୍ଜ୍ଜା ଯୋଗାଣ ଅବାରୋଧ ରହିପାରିବ। ଜାତିସଂଘ ଓ ଅନ୍ତର୍ଜାତୀୟ ନୌବାଣିଜ୍ୟ ସଂଗଠନ ପରି ବହୁପକ୍ଷୀୟ ମଞ୍ଚରେ ଭାରତ ଅନ୍ତର୍ଜାତୀୟ ଆଇନ ଅନୁସାରେ ବାଣିଜ୍ୟିକ ଜାହାଜ ଓ ନାବିକମାନଙ୍କ ସୁରକ୍ଷା ପାଇଁ ଉଠୁଥିବା ଆହ୍ୱାନକୁ ସମର୍ଥନ କରୁଛି। ସେହିସହିତ ଉପସାଗରୀୟ ଦେଶଗୁଡ଼ିକରେ ବସବାସ କରୁଥିବା ପ୍ରାୟ ୧ କୋଟି ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଭାରତର ବୃହତ୍ତର ଉଦ୍ଦେଶ୍ୟ ରହିଛି।
ଏହି ସଂଘର୍ଷରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଏବଂ ହର୍ମୁଜ ପ୍ରଣାଳୀ ଦେଇ ଆମ ତୈଳ ଓ ଗ୍ୟାସବାହୀ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ଆମେ ତୀବ୍ର କୂଟନୈତିକ ଉଦ୍ୟମ କରିଥିଲୁ। ଆମ ପ୍ରଧାନମନ୍ତ୍ରୀ ଇରାନ, ସାଉଦୀ ଆରବ, ଜୋର୍ଡାନ, ବାହାରିନ, ଓମାନ, କୁଏତ୍, କତର, ୟୁଏଇ ପରି ବିଭିନ୍ନ ପଶ୍ଚିମ ଏସୀୟ ଦେଶର ନେତୃବୃନ୍ଦଙ୍କ ସହ ଦୁଇଥର ଲେଖାଏ୍ଁ ଆଲୋଚନା କରିସାରିଲେଣି। ଏହା ସହିତ ସେ ଆମେରିକା, ଇସ୍ରାଏଲ, ଫ୍ରାନ୍ସ, ମାଲେସିଆ ପ୍ରଭୃତି ଦେଶର ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ବୈଦେଶିକ ମନ୍ତ୍ରୀ ମଧ୍ୟ ପଶ୍ଚିମଏସିଆରେ ଥିବା ତାଙ୍କ ପ୍ରତିପକ୍ଷମାନଙ୍କ ସହ ଆଲୋଚନା କରିଛନ୍ତି। ଏହାର ଫଳସ୍ବରୂପ ଆମର ୮ଟି ଏଲପିଜିବାହୀ ଜାହାଜ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିସାରିଛି। ସେସବୁ ଜାହାଜ ହେଲା ଶିବାଲିକ୍, ନନ୍ଦା ଦେବୀ, ଜଗ୍ ବସନ୍ତ, ପାଇନ ଗ୍ୟାସ୍, ବିଡବ୍ଲୁ ଟାଇର୍, ବିଡବ୍ଲୁ ଇଏଲ୍ଏମ, ଗ୍ରୀନ ସାନଭୀ, ଗ୍ରୀନ ଆଶା। ଏସବୁ ଜାହାଜଗୁଡ଼ିକ ମାଧ୍ୟମରେ ପ୍ରାୟ ୧୯୭ ଜଣ ନାବିକ ମଧ୍ୟ ସୁରକ୍ଷିତ ଭାରତରେ ପହଞ୍ଚିଛନ୍ତି। ଏହି ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପାରସ୍ୟ ଉପସାଗରରେ ପ୍ରାୟ ୨୪ଟି ଭାରତୀୟ ଜାହାଜ ଅଟକି ରହିଥିଲା, କିନ୍ତୁ ଏବେ ତାହା ୧୬କୁ ଖସିଆସିଛି।
ଆମ ଦେଶର ଜାହାଜଗୁଡ଼ିକ ଯେପରି ସୁରକ୍ଷିତଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରନ୍ତି ତାହା ସୁନିଶ୍ଚିତ କରିବାକୁ ଇରାନ ଓ ଅନ୍ୟ ଦେଶମାନଙ୍କ ସହ ଆଲୋଚନା ଜାରି ରହିଛି। ଆମ ଦେଶର ଲୋକମାନଙ୍କ ଶକ୍ତି ଆବଶ୍ୟକତା ପୂରଣ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। କେବଳ ଏତିକି ନୁହେଁ, ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପରେ ଓ ଭାରତରେ ନିଜର ଗନ୍ତବ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ ଜାହାଜଗୁଡ଼ିକୁ ଭାରତୀୟ ନୌସେନା ସୁରକ୍ଷା ଦେଇଆସୁଛି। ଅପରେସନ ସଂକଳ୍ପ ମାଧ୍ୟମରେ ୨୦୧୯ରୁ ଓମାନ ଉପସାଗର ଓ ଆରବ ସାଗରରେ ନିୟମିତ ପ୍ରହରା ଦେଉଥିବା ଭାରତୀୟ ନୌସେନା ଏସବୁ ଜାହାଜର ସୁରକ୍ଷା ସୁନିଶ୍ଚିତ କରୁଛି।










