ଭୁବନେଶ୍ୱର: ବ୍ରହ୍ମପୁର ବଡ ବଜାର ସ୍ଥିତ ଅମ୍ବିକା ନଗରରେ ରାସ୍ତା ଉପରେ ଜଣେ ଯୁବକଙ୍କୁ ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି ଯେ, ସର୍ବ ସମ୍ମୁଖରେ ରାସ୍ତା ଉପରେ ଯୁବକଙ୍କୁ କଟୁରୀରେ ନିର୍ମମ ଭାବେ ଆକ୍ରମଣର ଦୃଶ୍ୟ ଅତ୍ୟନ୍ତ ବିଚଳିତ କରିବା ପରି । ଏଇ କିଛି ଦିନ ତଳେ ବ୍ରହ୍ମପୁରରେ ଜଣେ ଯୁବକ ଓ ଯୁବତୀଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ମନରୁ ନ ଲିଭୁଣୁ ପୁଣି ଏପରି ଏକ ନାରକୀୟ କାଣ୍ଡ ଓଡିଶାବାସୀଙ୍କୁ ଆତଙ୍କିତ କରିଛି । ସାରା ଓଡିଶାରେ ଗୁଣ୍ଡାରାଜ, ଚାରିଆଡେ ଭୟର ବାତାବରଣ । ପୋଲିସ ଏନକାଉଣ୍ଟରର ଧମକ ଦେବା ପରେ ବି ଅପରାଧୀ ଭୟଶୂନ୍ୟ ହୋଇ ରାଜରାସ୍ତାରେ ଅପରାଧ ଘଟାଇବା ଶାସନ ବ୍ୟବସ୍ଥାର ଅପାରଗତାକୁ ଦର୍ଶାଇଛି । ସ୍ଥିତି ହାତରୁ ଖସିଯିବା ଆଗରୁ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା କଥା ତଥା ଆଇନର ଶାସନ ବଜାୟ ରଖିବା ପାଇଁ ବଡ ବଡ ଭାଷଣ ଛାଡି ସରକାର ସଜାଗ ହୁଅନ୍ତୁ ।











