ନୂଆଦିଲ୍ଲୀ : ବିଶ୍ୱପାରା ତୀରନ୍ଦାଜିରେ ଦୁଇ ସ୍ବର୍ଣ୍ଣ ବିଜୟିନୀ ଓଡ଼ିଆ ଝିଅ ପାୟଲ୍ ନାଗଙ୍କ ସଫଳତାରେ ବିମୋହିତ ହୋଇଯାଇଛନ୍ତି ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ସେ ତାଙ୍କ ପାଇଁ ଜଣେ ପ୍ରେରଣା ବୋଲି ବର୍ଣ୍ଣନା କରିଛନ୍ତି ।‘ଏକ୍ସ’ରେ ସେ ଲେଖିଛନ୍ତି, ‘‘ଓଡ଼ିଶାର ଜଣେ ଦିନ ମଜୁରିଆଙ୍କ ଝିଅ, ମାତ୍ର ଆଠ ବର୍ଷ ବୟସରେ ନିଜର ଦୁଇହାତ ଓ ପାଦ ହରାଇଥିଲେ। ତାପରେ ସେ ଏକ ଧନୁ ପାଇଲେ । ତାଙ୍କ ଚିତ୍ରକଳାରୁ ପ୍ରତିଭାକୁ ଚିହ୍ନିଥିଲେ ପ୍ରଶିକ୍ଷକ କୁଳଦୀପ ବେଦଓ୍ବାନ। ପାୟଲ ବ୍ୟାଙ୍କକ୍ରେ ବିଶ୍ବ ପାରା ତୀରନ୍ଦାଜିରେ ନିଜ ଆଦର୍ଶ ଶୀତଳ ଦେବୀଙ୍କୁ ହରାଇଥିଲେ । ଯେତେବେଳେ ମୁଁ ଦୁଃଖି ଓ ହତୋତ୍ସାହିତ ହୋଇଯିବି, ପାୟଲ ଓ ଶୀତଲଙ୍କ ଫଟୋ ଦେଖି ଗୋଟିଏ କଥା ମନେପକାଇବି: ସାହସ, ସହନଶୀଳତା ଓ ସକାରାତ୍ମକ ଚିନ୍ତା ହିଁ ଗୁରୁତ୍ବପୂର୍ଣ୍ଣ। ଏହି ଚାମ୍ପିଅନମାନେ ମୋ ପାଇଁ ପ୍ରେରଣାର ଉତ୍ସ ।’’ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲାର ଜଣେ ଦାଦନ ଶ୍ରମିକଙ୍କ ଝିଅ ପାୟଲଙ୍କୁ ମାତ୍ର ସାତ ବର୍ଷ ହୋଇଥିବାବେଳେ ସେ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ଓ ତାଙ୍କର ଦୁଇ ହାତ ଓ ପାଦକୁ କାଟିବାକୁ ପଡ଼ିଥିଲା ।










