27.1 C
Bhubaneswar
Wednesday, April 1, 2026
Homeଦେଶ ବିଦେଶଭାରତ ବିଶ୍ୱ ବଜାରରେ ଏକ ନିର୍ଭରଯୋଗ୍ୟ ସେମିକଣ୍ଡକ୍ଟର ଯୋଗାଣକାରୀ ଭାବେ ନିଜର ଭୂମିକାକୁ ସୁଦୃଢ କରୁଛି...

ଭାରତ ବିଶ୍ୱ ବଜାରରେ ଏକ ନିର୍ଭରଯୋଗ୍ୟ ସେମିକଣ୍ଡକ୍ଟର ଯୋଗାଣକାରୀ ଭାବେ ନିଜର ଭୂମିକାକୁ ସୁଦୃଢ କରୁଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାନନ୍ଦଠାରେ କେନ୍ସ ଟେକ୍ନୋଲୋଜି ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଉଦ୍ଘାଟନ କରି କାରଖାନାରେ ଉତ୍ପାଦନର ଶୁଭାରମ୍ଭ କରିଛନ୍ତି। ଫେବୃଆରୀ ୨୮ ତାରିଖରେ ମାଇକ୍ରୋନ୍ ପ୍ଲାଣ୍ଟରେ ଉତ୍ପାଦନ ଆରମ୍ଭ ସମୟରେ ସେ ସାନନ୍ଦରେ ଉପସ୍ଥିତ ଥିଲେ। ଠିକ୍ ଗୋଟିଏ ମାସ ପରେ ସେ ଏହି ସ୍ଥାନକୁ କେନ୍ସ ହାସଲ କରିଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ପୁନର୍ବାର ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ, “ଏହା କେବଳ ଏକ ସଂଯୋଗ ନୁହେଁ, ବରଂ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ କେତେ ଦ୍ରୁତ ଗତିରେ ବିକଶିତ ହେଉଛି, ଏହା ତାହାର ପ୍ରମାଣ।” କେନ୍ସ ଟେକ୍ନୋଲୋଜିର ନେତୃତ୍ୱ , ଗୁଜରାଟ ସରକାର ଏବଂ ପ୍ଲାଣ୍ଟର ସମସ୍ତ କର୍ମଚାରୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଏକ ଭାରତୀୟ କମ୍ପାନୀ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ଉଲ୍ଲେଖ କରିଥିଲେ। କେନ୍ସ ଏବେ ବିଶ୍ୱ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳର ଅଂଶ ପାଲଟିଛି। “ଏହା ଏକ ଚମତ୍କାର ଆରମ୍ଭ। ଆଗାମୀ ଦିନରେ, ବିଶ୍ୱ ସହଯୋଗ ମାଧ୍ୟମରେ ଅନେକ ଭାରତୀୟ କମ୍ପାନୀ ବିଶ୍ୱକୁ ଏକ ନିରନ୍ତର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ପ୍ରଦାନ କରିବେ।”

ଆଜିର ଏହି ସଫଳତା ପ୍ରକୃତରେ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ମନ୍ତ୍ରକୁ ପ୍ରତିପାଦିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ପ୍ଲାଣ୍ଟ କାଲିଫର୍ନିଆସ୍ଥିତ ଏକ କମ୍ପାନୀକୁ ଇଣ୍ଟେଲିଜେଣ୍ଟ ପାୱାର ମଡ୍ୟୁଲ୍ ଯୋଗାଣ ସହିତ ଏହାର ଉତ୍ପାଦନର ଏକ ବଡ଼ ଅଂଶ ରପ୍ତାନି ପାଇଁ ବୁକ୍ ହୋଇସାରିଛି। ସେ ଉଲ୍ଲେଖ କରିଥିଲେ ଯେ ସାନନ୍ଦ ଏବଂ ସିଲିକନ୍ ଭ୍ୟାଲି ମଧ୍ୟରେ ପ୍ରଭାବଶାଳୀ ଭାବରେ ଏକ ନୂତନ ସେତୁ ନିର୍ମାଣ କରାଯାଇଛି। ସାନନ୍ଦରେ ନିର୍ମିତ ମଡ୍ୟୁଲ୍ ଆମେରିକୀୟ କମ୍ପାନୀଗୁଡ଼ିକ ପାଖରେ ପହଞ୍ଚିବ ଏବଂ ସେଠାରୁ ସମଗ୍ର ବିଶ୍ୱକୁ ଶକ୍ତି ପ୍ରଦାନ କରିବ। ଏହି ପ୍ଲାଣ୍ଟରେ ନିର୍ମିତ ଇଣ୍ଟେଲିଜେଣ୍ଟ ପାୱାର ମଡ୍ୟୁଲର ରଣନୈତିକ ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତ ଏବଂ ବିଶ୍ୱ ସ୍ତରରେ ବୈଦ୍ୟୁତିକ ଯାନ ଇକୋସିଷ୍ଟମ ଏବଂ ଭାରୀ ଶିଳ୍ପକୁ ମଜବୁତ କରିବ। ଏପରି ବିଶ୍ୱ ସହଭାଗୀତା ସମଗ୍ର ପୃଥିବୀ ପାଇଁ ଏକ ଉନ୍ନତ ଭବିଷ୍ୟତର ମୂଳଦୁଆ । “ଏହା କେବଳ ଗୋଟିଏ ଉତ୍ପାଦ ନୁହେଁ, ଏହା ବିଶ୍ୱ ବଜାରରେ ଭାରତକୁ ଏକ ନିର୍ଭରଯୋଗ୍ୟ ସେମିକଣ୍ଡକ୍ଟର ଯୋଗାଣକାରୀ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ।”

ମହାମାରୀଠାରୁ ଆରମ୍ଭ କରି ଭୂରାଜନୈତିକ ସଂଘର୍ଷ ପର୍ଯ୍ୟନ୍ତ ଚଳିତ ଦଶନ୍ଧି ଆଣିଥିବା ଆହ୍ଵାନଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଯୋଗାଣ ଶୃଙ୍ଖଳ, ବିଶେଷ କରି ଚିପ୍ସ, ବିରଳ ପୃଥିବୀ ଖଣିଜ ପଦାର୍ଥ ଏବଂ ଶକ୍ତି କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଯୋଗାଣ ଶୃଙ୍ଖଳରେ ବାଧା ସମଗ୍ର ମାନବତାର ପ୍ରଗତିରେ ବାଧା ସୃଷ୍ଟି କରେ। “ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶ ଏହି ଦିଗରେ ଆଗକୁ ବଢ଼ିବା ସମଗ୍ର ବିଶ୍ୱର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।” ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ ଯେ, କୋଭିଡ୍ ମହାମାରୀ ସମୟରେ ଭାରତକୁ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍ କରିବା ପାଇଁ ସଂକଳ୍ପ ନିଆଯାଇଥିଲା। ସେଥିପାଇଁ ୨୦୨୧ ମସିହାରେ ଭାରତ-ସେମିକଣ୍ଡକ୍ଟର ମିଶନର ଶୁଭାରମ୍ଭ ହୋଇଥିଲା। ସେମିକଣ୍ଡକ୍ଟରରେ ଆତ୍ମନିର୍ଭରଶୀଳତା ଏଆଇ, ବୈଦ୍ୟୁତିକ ଯାନବାହନ, ସ୍ୱଚ୍ଛ ଶକ୍ତି, ପ୍ରତିରକ୍ଷା ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାରେ ରୁପାନ୍ତରିତ ହୁଏ । “ଏହି ମିଶନ କେବଳ ଏକ ଶିଳ୍ପ ନୀତି ନୁହେଁ, ଏହା ଭାରତର ଆତ୍ମବିଶ୍ୱାସର ଘୋଷଣା ।”

ମିଶନର ଅଗ୍ରଗତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଛଅଟି ରାଜ୍ୟରେ ୧,୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୦ ଟି ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି, ଯେଉଁଥିରେ କେନ୍ସ ଏବଂ ମାଇକ୍ରୋନ ପ୍ରକଳ୍ପଗୁଡ଼ିକ ଅବିଚ୍ଛେଦ୍ୟ ଅଂଶ। ସେ ସ୍ୱଦେଶୀ ଧୃବ ୬୪ ମାଇକ୍ରୋପ୍ରୋସେସରର ବିକାଶ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏହା ୫ଜି ଭିତ୍ତିଭୂମି, ଅଟୋମୋଟିଭ୍ ଇଲେକ୍ଟ୍ରୋନିକ୍ସ ଏବଂ ଶିଳ୍ପ ସ୍ୱୟଂଚାଳିତକରଣ ପାଇଁ ଏକ ସୁରକ୍ଷିତ ପ୍ରୋସେସର ପ୍ଲାଟଫର୍ମ ପ୍ରଦାନ କରେ। ଭାରତ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳର ପ୍ରତ୍ୟେକ ସ୍ତରରେ ଡିଜାଇନ୍ ଏବଂ ପ୍ରସ୍ତୁତ କରିବାର କ୍ଷମତା ନିର୍ମାଣ କରୁଛି । ଭାରତର ସେମିକଣ୍ଡକ୍ଟର ମହତ୍ତ୍ୱାକାଂକ୍ଷାର ପରବର୍ତ୍ତୀ ପର୍ଯ୍ୟାୟ ସମ୍ପର୍କରେ ଘୋଷଣା କରି ପ୍ରଧାନମନ୍ତ୍ରୀ ଚଳିତ ବର୍ଷର କେନ୍ଦ୍ର ବଜେଟରେ ଉପସ୍ଥାପିତ ଭାରତ – ସେମିକଣ୍ଡକ୍ଟର ମିଶନ ୨.୦ ବିଷୟରେ କହିଥିଲେ। ସେମିକଣ୍ଡକ୍ଟର ଉପକରଣ ଏବଂ ସାମଗ୍ରୀର ଘରୋଇ ଉତ୍ପାଦନ ଉପରେ ଧ୍ୟାନ ଦେଇ, ନୂତନ ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ଏକ ପୂର୍ଣ୍ଣ-ଷ୍ଟାକ୍ ଭାରତୀୟ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ କରିବା। “ଆମର ପ୍ରୟାସ ହେଉଛି ଏକ ଇକୋସିଷ୍ଟମ ସୃଷ୍ଟି କରିବା, ଯାହା ଦ୍ୱାରା ଆମେ ଘରୋଇ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳରେ ବଡ଼ ଭାଗୀଦାରୀ ଗଠନ କରିପାରିବା’।

ପ୍ରଧାନମନ୍ତ୍ରୀ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି ଗଠନ ଲାଗି ଭାରତର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ୮୫,୦୦୦ ରୁ ଅଧିକ ଡିଜାଇନ୍ ପେଶାଦାରଙ୍କୁ ତାଲିମ ଦେବାର ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ ବୋଲି କହିଥିଲେ। ଚିପ୍ସ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ କହିଥିଲେ। ଏହା ଅଧୀନରେ ପ୍ରାୟ ୪୦୦ ବିଶ୍ୱବିଦ୍ୟାଳୟ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଆଧୁନିକ ଡିଜାଇନ୍ ଉପକରଣର ସୁବିଧା ଦିଆଯାଇଛି, ଯାହା ଫଳରେ ୫୫ରୁ ଅଧିକ ଚିପ୍ସର ଡିଜାଇନ୍ ଏବଂ ନିର୍ମାଣ ହୋଇପାରିଛି। “ପ୍ରଯୁକ୍ତିର ବିକାଶ ଏବଂ ଦକ୍ଷ କର୍ମଶକ୍ତି , ଉଭୟ ଏକା ସହିତ ଚାଲିବା ଉଚିତ , ଭାରତ ଏହା ସୁନିଶ୍ଚିତ କରିଥାଏ’ ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଶିଳ୍ପ ଆକଳନକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଭାରତର ସେମିକଣ୍ଡକ୍ଟର ବଜାର ବର୍ତ୍ତମାନ ପ୍ରାୟ ୫୦ ବିଲିୟନ ଡଲାର। ଏହି ଦଶନ୍ଧି ଶେଷ ସୁଦ୍ଧା ଏହା ୧୦୦ ବିଲିୟନ ଡଲାର ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଭାରତର ସେମିକଣ୍ଡକ୍ଟର ସଂକଳ୍ପ ପାଇଁ ବିଶ୍ୱ ନିବେଶକଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ଭାରତରେ ଆମର ଆବଶ୍ୟକତା ପାଇଁ ସର୍ବାଧିକ ସଂଖ୍ୟକ ଚିପ୍ସ ଉତ୍ପାଦନ କରିବା”।

ଏକ ନିରନ୍ତର କଞ୍ଚାମାଲ ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଭାରତର ସମାନ୍ତରାଳ ପ୍ରୟାସ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, ଯେଉଁଥିରେ ପାକ୍ସ ସିଲିକାରେ ଭାରତର ସଦସ୍ୟତା ଏବଂ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନର ଶୁଭାରମ୍ଭ ଅନ୍ତର୍ଭୁକ୍ତ। ସେ ଖଣିଜ ପୁନଃଚକ୍ରଣ ପାଇଁ ୧,୫୦୦ କୋଟି ଟଙ୍କାର ଯୋଜନା ଏବଂ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଏବଂ କେରଳ ଭଳି ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ଏକ ବିରଳ ପୃଥିବୀ କରିଡର ଘୋଷଣା ଉପରେ ଆଲୋକପାତ କରିଥିଲେ। “ଏହି କାମ ୩୦ – ୪୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲେ ଭଲ ହୋଇଥାନ୍ତା, କିନ୍ତୁ ଭାରତ ଏବେ ମିଶନ ମୋଡରେ ଏହା ଉପରେ କାମ କରୁଛି,” ଶ୍ରୀ ମୋଦୀ କହିଥିଲେ। ଏହି ଦଶନ୍ଧିକୁ ଭାରତର ‘ଟେକାଡେ’ ଭାବରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ। ବର୍ତ୍ତମାନର ସମୟ କେବଳ ଆର୍ଥିକ ପ୍ରତିଯୋଗିତା ନୁହେଁ ବରଂ ଭବିଷ୍ୟତର ଟେକ୍ନୋଲୋଜି ପରିଦୃଶ୍ୟକୁ ଆକାର ଦେବ। ସେ ଏଆଇ ଗ୍ରହଣରେ ଭାରତର ନେତୃତ୍ୱ, ଡିଜିଟାଲ ଇଣ୍ଡିଆ ଏବଂ ଫିନଟେକର ସଫଳତା ଏବଂ ସାମ୍ପ୍ରତିକ ଏଆଇ ପ୍ରଭାବ ସମ୍ମିଳନୀକୁ ଭାରତୀୟମାନଙ୍କ ପ୍ରଯୁକ୍ତିବିଦ୍ୟା ଉପରେ ବିଶ୍ୱାସ ଏବଂ ଏହାକୁ ଗ୍ରହଣ କରିବାର ପ୍ରମାଣ ଭାବରେ ଇଙ୍ଗିତ କରିଥିଲେ। “ଆମର ସେମିକଣ୍ଡକ୍ଟର କ୍ଷେତ୍ରର ଉତ୍ଥାନରୁ ଭାରତର ଏଆଇ ଇକୋସିଷ୍ଟମକୁ ବହୁତ ଶକ୍ତି ମିଳିବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏକବିଂଶ ଶତାବ୍ଦୀର ଭାରତ କେବଳ ପରିବର୍ତ୍ତନର ସାକ୍ଷୀ ନୁହେଁ ବରଂ ଏହାର ନେତୃତ୍ୱ ନେବାକୁ ସଂକଳ୍ପବଦ୍ଧ। ଐତିହାସିକ ନୀତିଗତ ନିଷ୍ପତ୍ତିଗୁଡ଼ିକୁ ତାଲିକାଭୁକ୍ତ କରିବା, IN- SPACE ମାଧ୍ୟମରେ ମହାକାଶ କ୍ଷେତ୍ରକୁ ଘରୋଇ ଖେଳାଳିଙ୍କ ପାଇଁ ଖୋଲିବା, ପରମାଣୁ କ୍ଷେତ୍ରରେ ଐତିହାସିକ ଶାନ୍ତି ବିଲ୍ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ମିଶନ-ମୋଡ୍ ନିବେଶ ସମ୍ପର୍କରେ ସେ କହିଥିଲେ। ଏହି ପଦକ୍ଷେପଗୁଡ଼ିକ ଆଗାମୀ ଦଶନ୍ଧି ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି ସୁରକ୍ଷା ଲାଗି ମୂଳଦୁଆ ସ୍ଥାପନ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ । “ଭାରତ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିରେ ଅଭୂତପୂର୍ବ ନିବେଶ କରୁଛି ଏବଂ ସଂସ୍କାର ଆଣୁଛି। ଏହା ବିଶ୍ୱବ୍ୟାପୀ ନିବେଶକମାନଙ୍କ ପାଇଁ ଏକ ମହାନ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କେନ୍ସ ପ୍ଲାଣ୍ଟରୁ ଉତ୍ପାଦିତ ସାମଗ୍ରୀ ‘ବିଶ୍ୱର କାରଖାନା’ ଭାବରେ ଭାରତର ଯାତ୍ରାକୁ ଆହୁରି ମଜବୁତ କରିବ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ବ୍ୟବସାୟ କରିବାର ସହଜତା, ଉତ୍ପାଦନର ସହଜତା ଏବଂ ଲଜିଷ୍ଟିକ୍ସରେ ସହଜତାକୁ ନିରନ୍ତର ଉନ୍ନତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ପ୍ରକଳ୍ପ ସହିତ ଜଡିତ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking