ରାଜ୍ୟରେ ଏବେ ପାଣିପାଗର ଦୁଇଟି ରୂପ ଦେଖିବାକୁ ମିଳୁଛି । କେତେବେଳେ ପ୍ରବଳ ଖରା ଓ ଗୁଳୁଗୁଳି ତ ଆଉ କେତେବେଳେ କୋହଲିଆ ପାଗ ସହ ବର୍ଷା ଅନୁଭୂତ ହେଉଛି । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି । ଏହି ପରିସ୍ଥିତି ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳର କେ. ନୂଆଗାଁରେ ସର୍ବାଧିକ ୧୧ ମିମି ବର୍ଷା ରେକର୍ଡ ହୋଇଛି । ଅପରପକ୍ଷରେ, ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଅସହ୍ୟ ହେବାରେ ଲାଗିଛି । ଟିଟିଲାଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ୩ଟି ସହରରେ ପାରଦ ୩୯ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇପାରେ । ଫଳରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି । ବର୍ଦ୍ଧିତ ତାତି ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତେଣୁ ଉଭୟ ଖରା ଓ ବଜ୍ରପାତକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।










