ଭୁବନେଶ୍ୱର: ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଙ୍କୁ ପ୍ରଶ୍ନ କରିଛନ୍ତି ଯେ ଜାତୀୟ ହାର ତୁଳନାରେ ଓଡିଶାର ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ବହୁତ କମ ରହିବା ପଛରେ କଣ କାରଣ ରହିଛି , ଏବଂ ଏହା ଓଡିଶାର ଅର୍ଥନୈତିକ ଅନଗ୍ରସରତା ନୁହେଁ କି, ଓଡିଶାର ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ର ଜାତୀୟ ହାର ସହିତ ସମାନ ନହେଲେ ବିକଶିତ ଓଡିଶା ୨୦୩୬ ଲକ୍ଷ୍ୟ କିଭଳି ଭାବେ ପୂରଣ ହୋଇ ପାରିବ କି, ଏଥିପାଇଁ ସରକାର କଣ ଯୋଜନା କରିଛନ୍ତି ?
ବିଧାୟକଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଉତ୍ତର ରଖି କହିଛନ୍ତି, ୨୦୨୫ର ତଥ୍ୟ ଅନୁଯାୟୀ ଜାତୀୟ ସ୍ତରରେ ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ୧୪୦୦ କିଲୋୱାଟ ଥିବା ବେଳେ ଓଡିଶା ପାଇଁ ୨୧୯୧ କିଲୋୱାଟ ରହିଛି । ଯାହାକି ଜାତୀୟ ସ୍ତର ତୁଳନାରେ ୫୩% ଅଧିକ । ଓଡିଶା ସରକାର ରାଜ୍ୟ ଉପଭୋକ୍ତାଙ୍କର ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ବୃଦ୍ଧି କରିବା ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ଉଦ୍ୟମ କରୁଛନ୍ତି । ରାଜ୍ୟ ବିଦ୍ୟୁତ ଚାହିଦାକୁ ଆକଳନ କରି ଗ୍ରୀଡକୋ ମାଧ୍ୟମରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି । ଓଡିଶା ସରକାର ରାଜ୍ୟ ମଧ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବା ନିମନ୍ତେ ଓଡିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ ପ୍ରଣୟନ କରିଛନ୍ତି । ଭବିଷ୍ୟତରେ ବିଦ୍ୟୁତ ଚାହିଦାରେ ବୃଦ୍ଧିକୁ ବିଚାରକୁ ନେଇ ନୂତନ ଲାଇନ ଏବଂ ସବସ୍ଟାସନ ସ୍ଥାପନ କରି ରାଜ୍ୟର ଟ୍ରାନ୍ସମିଶନ ନେଟୱାର୍କକୁ ସୁଦୃଢ କରିବା ଦିଗରେ ରାଜ୍ୟ ସରକାର ଓପିଟିସିଏଲ ମାଧ୍ୟମରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଦ୍ୟୁତ ବିତରଣ କ୍ଷେତ୍ରରେ ରାଜ୍ୟ ସରକାର ଏଟି ଏବଂ ସି କ୍ଷତି କମାଇବା ପାଇଁ ବିତରଣକାରୀ ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।










