ଭଦ୍ରକ: ଭଦ୍ରକର ଚରମ୍ପା ଅଞ୍ଚଳରେ ଆଜି ଦିନ ଦ୍ୱିପ୍ରହରରେ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ଝାଂପି ନେଲେ ସୁନା ଚେନ୍। ଆଜି ଦିନ ପ୍ରାୟ ୧୨ଟା ବେଳେ ଚରମ୍ପା ପଥରାଡ଼ି ଅଞ୍ଚଳର ଜଣେ ମହିଳା ଚାଲିଚାଲି ନିଜ ଘରକୁ ଯାଉଥିବା ବେଳେ ପଥରଆଡ଼ି କଲୋନି ଭିତରେ ଏକ ବାଇକ୍ରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ଅଢେଇ ଭରି ଓଜନର ଏକ ସୁନା ଚେନ୍କୁ ଝାଂପି ନେଇ ଆଖିପିଛୁଲାକେ ଫେରାର ହୋଇ ଯାଇଥିଲେ।ସୂଚନା ଅନୁସାରେ ମହିଳା ଜଣକ ନିକଟସ୍ଥ ଇଣ୍ଡିଆନ ବ୍ୟାଙ୍କକୁ ଯାଇ ସେଠାରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ତେବେ ଏହି ସମୟ ମଧ୍ୟରେ ସେ ଦୁର୍ବୃତ୍ତଙ୍କର ଟାର୍ଗେଟ୍ ହୋଇଥିଲେ। ଲୁଟ୍ର ଶିକାର ହେଲା ପରେ ମହିଳା ଜଣଙ୍କ ଡାକ ପକାଇବା ପରେ ପାଖ ଘର ଲୋକମାନେ ଆସି ସେହି ଲୁଟେରାମାନଙ୍କୁ ପିଛା କରିଥିଲେ। କିନ୍ତୁ ସେମାନଙ୍କର କିଛି ସନ୍ଧାନ ମିଲି ନଥିଲା। ପରେ ସେମାନେ ଭଦ୍ରକ ଟାଉନ୍ ଥାନାରେ ଆସି ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।









