ଯିଏ ବିଜୁ ବାବୁଙ୍କ ସହ ବିଶ୍ୱାସଘାତ କରିଥିଲେ, ତାଙ୍କ ପୁଅ ନବୀନ ବାବୁଙ୍କ ସହ ବିଶ୍ୱାସଘାତ କଲେ
ବିଜୁ ବାବୁଙ୍କ ବିଚାରଧାରାକୁ ପ୍ରତିଦିନ ହତ୍ୟା କରୁଥିବା ଦଳ ନିକଟରେ ନିଜକୁ ବିଜୁ ଲିଗାସୀ କହୁଥିବା ବ୍ୟକ୍ତିମାନେ ବିକି୍ର ହୋଇଗଲେ
୩ ମାସ ତଳୁ ବିଜେଡିକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ବିଜୟ ମହାପାତ୍ର
ମୁଖ୍ୟମନ୍ତ୍ରୀ ଘୋଡ଼ା ବେପାରରେ ସମ୍ପୃକ୍ତ
ଭୁବନେଶ୍ୱର: ବିଜୁ ବାବୁଙ୍କ ନୀତି ଆଦର୍ଶରେ ଗଢ଼ା ହୋଇଥିଲା ବିଜୁ ଜନତା ଦଳ । ଦଳର ସୁପି୍ରମୋ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକୁ ଅବମାନନା କରି ବିଜେଡିର କିଛି ବିଧାୟକ ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରରେ ସାମିଲ ହୋଇ କ୍ରସ ଭୋଟିଂ କରିଥିବାରୁ ସେମାନଙ୍କ ବିରୋଧରେ ବର୍ଷିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ ଓ ବିଧାୟକ ଧ୍ରୁବ ଚରଣ ସାହୁ ଦଳର ନୀତି, ଆଦର୍ଶ ବିରୋଧରେ ଯାଇ ବିଜେଡିର କିଛି ବିଧାୟକ ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରରେ ସାମିଲ ହୋଇ ବିପୁଳ ଟଙ୍କା ନେଇ କ୍ରସ ଭୋଟିଂ ଜରିଆରେ ଜଣେ ଦାଗୀ ନେତାଙ୍କୁ ଭୋଟ ଦେଇ ବିଜୟୀ କରିଥିବାରୁ କଡ଼ା ସମାଲୋଚନା କରିଥିଲେ ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟସଭା ନିର୍ବାଚନରେ ଯେଉଁ ବିଧାୟକ ମାନେ କ୍ରସ ଭୋଟିଂ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଲେ, ଆଜି ସେମାନେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ବିଜୁ ଲିଗାସୀର କଥା କହୁଛନ୍ତି । ଯେଉଁମାନେ ଦିନେ ନବୀନ ବାବୁଙ୍କ ଗାଡ଼ିକୁ ଟେକା ଓ ଅଣ୍ଡା ପକାଇଥିଲେ, ନବୀନ ବାବୁ ସେକଥାକୁ ଭୁଲି କଟକ ଭଳି ଜିଲ୍ଲାରେ ତାଙ୍କ ପତ୍ନୀଙ୍କୁ ଜିଲ୍ଲାପରିଷଦ ସଭାପତି କରିଥିଲେ । ଏହାସହିତ ତାଙ୍କୁ ମଧ୍ୟ ବିଧାୟକ କରିଥିଲେ ଓ ତାଙ୍କ ପୁଅକୁ ମଧ୍ୟ ଦୁଇ ଦୁଇ ଥର ବିଧାୟକ କରି ଏକ ପରିଚୟ ଦେଇଥିଲେ । ଆଜି ସେମାନେ ନବୀନ ବାବୁଙ୍କ ସହିତ ବିଶ୍ୱାସଘାତକତା କରି କିଛି ଟଙ୍କା ପାଇଁ ନିଜକୁ ବିକି୍ର କରିଦେଲେ । ଏହାକୁ କ’ଣ ବିଜୁ ଲିଗାସୀ କୁହାଯିବ ? ବିଜୁ ବାବୁ ସବୁବେଳେ ନୀତି, ନୈତିକତା ଓ ଆଦର୍ଶର କଥା କହୁଥିଲେ । ଏମାନେ ଅର୍ଥ ଓ କ୍ଷମତା ବିନା ରହିପାରିବେ ନାହିଁ ବୋଲି ପ୍ରମାଣିତ କରି ଆଜି ଦଳ ବିରୋଧରେ ଯାଇ କ୍ରସ ଭୋଟିଂ କରିଛନ୍ତି ।
ଶ୍ରୀ ବ୍ୟୋମକେଶ ରାୟ କହିଥିଲେ, ଗତକାଲି ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର କିଛି ବିଧାୟକ ଘୋଡ଼ା ବେପାରରେ ସାମିଲ ହୋଇ କ୍ରସ ଭୋଟିଂ କଲେ । ସବୁଠୁ ଲଜ୍ଜାର କଥା ହେଉଛି ଏହି ଘୋଡ଼ା ବେପାରରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ତାଙ୍କ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ । ବିଜେପି ଓ ବିଜେପି ସମର୍ଥୀତ ପ୍ରାର୍ଥୀଙ୍କ ଠାରୁ ବିପୁଳ ଟଙ୍କା ନେଇ ବିଧାୟକ ମାନେ ଭୋଟ ଦେଲେ । ନିଜ ନିର୍ବାଚନ ମଣ୍ଡଳୀରେ ସମର୍ଥକମାନଙ୍କ ନିକଟରେ ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ଭିନ୍ନ କଥା କହୁଛନ୍ତି । ବାଙ୍କୀର ବିଧାୟକ ଦେବୀ ରଞ୍ଜନ ତି୍ରପାଠୀ କହୁଛନ୍ତି ତାଙ୍କ ବାପା ଅଣକଂଗ୍ରେସ ରାଜନୀତିରୁ ଆସିଛନ୍ତି, ତେଣୁ ସେ ବିଜେଡି ଓ କଂଗ୍ରେସର ମେଣ୍ଟ ବିରୋଧରେ ଯାଇ ବିବେକାନୁମୋଦିତ ଭାବେ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲେ । କିନ୍ତୁ ଆମେ ଏଠାରେ ସୂଚାଇ ଦେବାକୁ ଚାହୁଁ ଯେ, ୧୯୯୬ ମସିହାରେ ତତ୍କାଳୀନ ବିଧାୟକ ପ୍ରଭାତ ତି୍ରପାଠୀ, ବିଜୁ ବାବୁଙ୍କ ସହିତ ବିଶ୍ୱାସଘାତକତା କରି ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କୁ ଭୋଟ ଦେଇ ଯେଉଁ ପରମ୍ପରା ସୃଷ୍ଟି କରିଥିଲେ, ସେହି ରାସ୍ତାରେ ଦେବୀ ରଞ୍ଜନ ତି୍ରପାଠୀ ଗଲେ । ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ସେ ଆଜି ବିଜୁ ଲିଗାସୀ କଥା କହୁଛନ୍ତି ।
ଶ୍ରୀ ଧ୍ରୁବ ସାହୁ କହିଥିଲେ, ଆମେ ରେଙ୍ଗାଲୀ ବିଧାୟକଙ୍କୁ ସାଲୁ୍ୟଟ କରୁଛୁ । ତାଙ୍କୁ ୧୫ କୋଟି ଟଙ୍କା ଯଚା ଯାଇଥିଲା ଦଳ ବିରୋଧରେ ଭୋଟ ଦେବା ପାଇଁ, କିନ୍ତୁ ସେ ସଚ୍ଚୋଟତାର ପରିଚୟ ଦେଇ ଦଳ ସପକ୍ଷରେ ଭୋଟ ଦେଇଥିଲେ । କିନ୍ତୁ ଏବେ ବିଜୁ ଲିଗାସୀ କଥା କହୁଥିବା ନେତାମାନେ ୧୯୯୫ ମସିହାରେ ବିଜୁ ବାବୁଙ୍କୁ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇ ନ ଦେବା ପାଇଁ ତତ୍କାଳୀନ ଜନତା ଦଳ ନେତା ବିଜୟ ମହାପାତ୍ର ଅନୁ୍ୟନ ୩୦ଟି ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଛିଡ଼ା କରାଇ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ବାଟ ଫିଟାଇଥିଲେ । ସେହି ବିଜୟ ମହାପାତ୍ର ଆଜି ସ୍ୱୀକାର କରିଛନ୍ତି, ୩ ମାସ ତଳୁ ଦଳକୁ ଭାଙ୍ଗିବା ପାଇଁ ସେ ଯୋଜନାବଦ୍ଧ ବ୍ଲୁ ପ୍ରିଣ୍ଟ ତିଆରି କରୁଥିଲେ । ଯାହାକୁ ନବୀନ ବାବୁ ଜାଣିବା ପରେ ପାଟକୁରାର ବିଜେଡି ବିଧାୟକ ଥିବା ତାଙ୍କ ପୁଅ ଶ୍ରୀ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ସସ୍ପେଣ୍ଡ କରିଥିଲେ । ନବୀନ ସରକାରରେ ଯେଉଁ ନେତାମାନେ ଚିଟ୍ଫଣ୍ଡରେ କେସ୍ରେ ଓ ବିଭିନ୍ନ ଦୁର୍ନୀତି ମାମଲାରେ ସମ୍ପୃକ୍ତ ରହି ଜେଲ ଯାଇଥିଲେ, ନବୀନ ବାବୁ ତାଙ୍କ ବିଶାଳ ହୃଦୟର ପରକାଷ୍ଠା ଦେଖାଇ ସେମାନଙ୍କ ପିଲାମାନଙ୍କୁ ନିର୍ବାଚନରେ ଟିକେଟ ଦେଇ ଓ ତାଙ୍କ ପାଇଁ ପ୍ରଚାର କରି ଦୁଇ ଦୁଇ ଥର ବିଧାୟକ କରାଇଥିଲେ । ଆଜି ସେହିମାନେ ନବୀନ ବାବୁଙ୍କ ସହିତ ବିଶ୍ୱାସ ଘାତକତା କରି ଦଳ ବିରୋଧରେ ଯାଇ କ୍ରସ ଭୋଟିଂ କରିଛନ୍ତି ।










