ବିହାର: ବିହାରର ରାଜଧାନୀ ପାଟନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିବାଦ କରିଛନ୍ତି । ଶୁକ୍ରବାର ପାଟନାର ବାଇପାସ ଥାନା ଅଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥରେ ଏକ ଦ୍ରୁତଗତି ବସ୍ ଧକ୍କାରେ ୨୬ ବର୍ଷୀୟ ଯୁବକ ମନୀଷ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଥିଲେ, ଯାହାପରେ ଶତାଧିକ ଲୋକ ଜାତୀୟ ରାଜପଥରେ ଧାରଣା ଦେଇ ରାସ୍ତା ଅବରୋଧ କରିଥିଲେ । ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍କୁ ଘେରି ନିଆଁ ଲଗାଇ ଦେବା ସହ ଆଖପାଖରେ ଥିବା ଆଉ ୪ରୁ ୫ଟି ଗାଡ଼ିକୁ ମଧ୍ୟ ପୋଡ଼ି ଦେଇଥିଲେ ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବସ୍ରେ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା କାରଣରୁ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ବିଫଳ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ । ଘଟଣାସ୍ଥଳରେ ଥିବା ପୁଲିସ ଅଧିକାରୀ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ରୋଷ ଆଗରେ ସେମାନେ ମଧ୍ୟ ହାର ମାନିଥିଲେ ।










