ରାଉରକେଲା: ରାଉରକେଲାରେ ସୁନା ଦୋକାନରୁ ବଡ଼ ଧରଣର ଲୁଟ୍ । ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ କୁଲୁଣ୍ଡା-ବଲାଣ୍ଡ ରୋଡ୍ରେ ଥିବା ଏକ ସୁନା ଗହଣା ଦୋକାନରେ ଡକାୟତି ହୋଇଛି । ଦୁର୍ବୃତ୍ତମାନେ ଦୋକାନର ସଟର ତାଡ଼ି ଭିତରକୁ ପଶି ଗହଣା ଲୁଟ୍ କରି ଫେରାର ହୋଇଛନ୍ତି । ପ୍ରାଥମିକ ସୂଚନା ଅନୁସାରେ, ଦୋକାନରୁ ପ୍ରାୟ ୧୫ ଗ୍ରାମ ସୁନା ଏବଂ ୫ କିଲୋ ରୂପା ସାମଗ୍ରୀ ଲୁଟ୍ ହୋଇଛି। ଲୁଟ୍ ସାମଗ୍ରୀର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।ଲୁଟ୍ ପରେ ଦୁର୍ବୃତ୍ତମାନେ ଗହଣାର ଖୋଳଗୁଡ଼ିକୁ ଦୋକାନ ବାହାରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି । ଏପଟେ ଲୁଟ୍ ସମୟର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଖବର ପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୁଲିସ ଛାନଭିନ୍ ଜାରି ରଖିଛି ।










