30 C
Bhubaneswar
Tuesday, August 11, 2026
Homeଓଡିଶାଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ; ଡାହା ମିଛ କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ରାଜସ୍ୱ ମନ୍ତ୍ରୀ: ବିଜେଡି

ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ; ଡାହା ମିଛ କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ରାଜସ୍ୱ ମନ୍ତ୍ରୀ: ବିଜେଡି

ଭୁବନେଶ୍ୱର: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ବିଳମ୍ୱକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ । ମନ୍ତ୍ରୀ ଶ୍ରୀ ପୂଜାରୀ ଡାହା ମିଛ କହିଛନ୍ତି ଓ କେବଳ ମିଛ ହିଁ ବିଜେପିର ପୁଞ୍ଜି ହୋଇଛି, ଯାହା ମାଧ୍ୟମରେ ସେ ତାଙ୍କ ସରକାରଙ୍କୁ ଲୋକନିନ୍ଦାରୁ ବଞ୍ଚାଇବା ପାଇଁ ଅପପ୍ରୟାସ କରୁଛନ୍ତି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ମନ୍ତ୍ରୀ ଶ୍ରୀ ପୂଜାରୀ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ୱକୁ ନେଇ ସାମ୍ୱାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ, ୨୪ ବର୍ଷରେ ହୋଇନଥିଲା ୨ ବର୍ଷ ବିଳମ୍ୱ କ’ଣ ବେଶୀ ହୋଇଗଲା କି ବୋଲି ପାଲଟା ପ୍ରଶ୍ନ କରିଥିଲେ । ୨ ବର୍ଷ ବଡ଼ ନା ୨୪ ବର୍ଷ ବଡ଼ ଓ ୨ ବର୍ଷ ଯେପରି ଦୁଇ ଶତାବ୍ଦୀ ସହ ସମାନ ବୋଲି କହିବା ସହିତ ବିଜେଡି ସରକାରଙ୍କ ଆଡ଼କୁ ଦୋଷ ଠେଲି ଦେଇଥିଲେ । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ସମସ୍ତ କ୍ଷେତ୍ରରେ ବିଫଳତା ଓ ଅରାଜକତା ଦେଖିବାକୁ ମିଳିଥିବା ବେଳେ ନିଜ ସରକାରଙ୍କ ବିଫଳତାକୁ ଲୁଚାଇବାକୁ ବିଜେପି ମିଛର ସାହାରା ନେଇ ୨୪ ବର୍ଷର ବିଜେଡି ସରକାର ଉପରେ ଦୋଷ ଲଦିବାକୁ ଅପପ୍ରୟାସ କରୁଛି । ମିଛ ଯେପରି ବିଜେପିର ପୁଞ୍ଜି ହୋଇଛି । ନିର୍ବାଚନ ସମୟରେ ଅନେକ ଗୁଡିଏ ମିଛ ପ୍ରତିଶ୍ରୁତି ଓ ମିଛ ଅଭିଯୋଗ କରିଥିଲେ ଓ କ୍ଷମତାକୁ ଆସିବା ପରେ ମଧ୍ୟ ସେଇ ମିଛର ସାହାରା ନେଇ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି । ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି ଦେଇଥିବା ମନ୍ତବ୍ୟ କେବଳ ଡାହା ମିଛ ଛଡା ଆଉ କିଛି ନୁହେଁ । ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବା ଉଦେ୍ଦଶ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୩ ମସିହାରେ ଲୋକାୟୁକ୍ତ ଆଇନ ପାରିତ କରିବା ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ୨୦୧୪ ମସିହାରେ ରାଜ୍ୟ ବିଧାନସଭାରେ ବିଲ୍ ପାରିତ କରିଥିଲା । ଏହାର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ୨୦୧୮ ମସିହାରେ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ହୋଇଥିଲେ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ନିଯୁକ୍ତି ହୋଇଥିବା ଲୋକାୟୁକ୍ତଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦୨୪ରେ ଶେଷ ହୋଇଥିବା ବେଳେ ଏହାର ଦୁଇ ସଦସ୍ୟଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୪ରେ ଶେଷ ହୋଇଥିଲା । ଏହାପରେ, ନୂତନ ଲୋକାୟୁକ୍ତ ନିଯୁକ୍ତି ଦାୟିତ୍ୱ ବିଜେପି ସରକାରଙ୍କର ଥିଲା । କିନ୍ତୁ କେବଳ ରଙ୍ଗ ମରା ଓ ନାମ ପରିବର୍ତ୍ତନ ସହିତ ଦୁର୍ନୀତିରେ ଉବୁଟୁବୁ ହେଉଥିବା ବିଜେପି ସରକାର ଲୋକାୟୁକ୍ତ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇନଥିଲେ, ଯେଉଁଥିପାଇଁ ୨ ବର୍ଷ ହେଲା ଲୋକାୟୁକ୍ତ ପଦବୀ ଖାଲି ପଡିଛି । ଲୋକାୟୁକ୍ତ ନିଯୁକ୍ତି ଆଜି ଆରମ୍ଭ ହୋଇଥିବା ପ୍ରକ୍ରିୟା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ ଯେଉଁ ଗର୍ବ କରୁଛନ୍ତି, ତାହା ମଧ୍ୟ ରାଜ୍ୟର ଉଚ୍ଚନ୍ୟାୟାଳୟର ତାଗିଦ ପରେ ଆରମ୍ଭ ହୋଇଛି । ଏକ ପିଆଇଏଲର ଶୁଣାଣି କରି ଉଚ୍ଚନ୍ୟାୟାଳୟ ସେପ୍ଟେମ୍ୱର ୨୦୨୫, ଡିସେମ୍ୱର ୨୦୨୫ ଓ ଜାନୁଆରୀ ୨୦୨୬ରେ ତିନି ତିନି ଥର ରାଜ୍ୟ ବିଜେପି ସରକାରଙ୍କୁ ତାଗିଦ କରି ଶୀଘ୍ର ଲୋକାୟୁକ୍ତ ନିଯୁକ୍ତି ପାଇଁ ନିଦେ୍ର୍ଦଶ ଦେଇଥିଲେ । ତେଣୁକରି, ମନ୍ତ୍ରୀ ଶ୍ରୀ ପୂଜାରୀ ଡାହା ମିଛ କହି ରାଜ୍ୟବାସୀଙ୍କୁ ଭ୍ରମିତ କରିବାରୁ ନିବୃତ ରୁହନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking