କେନ୍ଦୁଝର: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଗଡ଼ିଲାନି ମୁଖ୍ୟମନ୍ତ୍ରୀ ବସ୍ । ଦରମା ଠିକ୍ ସମୟରେ ମିଳୁନଥିବା ଅଭିଯୋଗରେ ଧର୍ମଘଟକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ବସ୍ ଚାଳକ । ଫଳରେ କେନ୍ଦୁଝର ଜିଲ୍ଲାରେ ଠପ୍ ହୋଇଯାଇଛି ବସ୍ ସେବା । ଯାତାୟାତ ପାଇଁ ବସ୍ ଉପରେ ନିର୍ଭର କରୁଥିବା ଯାତ୍ରୀ ଏବେ ହେଉଛନ୍ତି ନାହିଁ ନଥିବା ହଇରାଣ । କେନ୍ଦୁଝର ଜିଲ୍ଲାର ୭ଟି ବ୍ଲକରେ ମୁଖ୍ୟମନ୍ତ୍ରୀ ବସ୍ ଚାଳକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ବସ୍ ଚାଳକମାନେ ଗାଡ଼ି ଚଳାଇବା ବନ୍ଦ କରିଦେଇଥିବାରୁ ବ୍ଲକ୍ ପରିସରରେ ଅଟକି ରହିଛି ବସ୍ । ଆଉ ବ୍ଲକ୍ ସମ୍ମୁଖରେ ଏକାଠି ହୋଇ ଦାବି ନେଇ ପ୍ରତିବାଦ କରୁଛନ୍ତି ଚାଳକମାନେ । ଚାଳକମାନଙ୍କ ଅଭିଯୋଗ ହେଉଛି, ସେମାନଙ୍କୁ ଠିକ୍ ସମୟରେ ଦରମା ମିଳୁନାହିଁ । ନିୟମିତ ଭାବେ ଦରମା ପ୍ରଦାନ କରାଯାଉନଥିବାରୁ ପରିବାର ଚଳାଇବାରେ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ଚାଳକ ।ଏପଟେ ଚାଳକମାନଙ୍କ ଧର୍ମଘଟ ଯୋଗୁଁ ସିଧାସଳଖ ପ୍ରଭାବିତ ହୋଇଛି ସାଧାରଣ ଯାତ୍ରୀଙ୍କ ଯାତାୟାତ। ନିର୍ଦ୍ଧାରିତ ରୁଟ୍ରେ ବସ୍ ଚଳାଚଳ କରୁନଥିବାରୁ ଛାତ୍ରଛାତ୍ରୀ, କର୍ମଜୀବୀ ଓ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ହଇରାଣ ହେଉଛନ୍ତି । ଅନେକ ଯାତ୍ରୀଙ୍କୁ ବିକଳ୍ପ ଯାତାୟାତ ଉପରେ ନିର୍ଭର କରିବାକୁ ପଡ଼ୁଛି ।










