ନୂଆଦିଲ୍ଲୀ: ଆରବିଆଇ ପଞ୍ଚମ ଥର ପାଇଁ ରେପୋ ରେଟକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଫଳରେ କୋଟି କୋଟିଋଣଗ୍ରାହୀଙ୍କୁ ଆରାମ ମିଳିବ ବୋଲି ଆଶା କରାଯାଉଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ୨୦୨୬-୨୭ ଆର୍ଥିକ ବର୍ଷର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ରେପୋରେଟକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ମୁଦ୍ରାନୀତି କମିଟି ନିଷ୍ପତ୍ତି ନେଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରମୁଖ ନୀତିଗତ ସୁଧ ହାରରେ କୌଣସି ପରିବର୍ତ୍ତନ ନ କରାଯିବାରୁ ହୋମ ଲୋନ, କାର ଲୋନ ସମେତ ଅନ୍ୟାନ୍ୟ ଋଣର ଇଏମଆଇ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଅର୍ଥାତ ଆପଣ ବର୍ତ୍ତମାନ ଯେତିକି ଇଏମଆଇ ଦେଉଛନ୍ତି, ସେହି ପରିମାଣର ଇଏମଆଇ ହିଁ ଆଗକୁ ମଧ୍ୟ ଦେବାକୁ ପଡିବ ।
ରେପୋ ରେଟ ହେଉଛି ସେହି ସୁଧ ହାର , ଯେଉଁ ହାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ଋଣ ପ୍ରଦାନ କରିଥାଏ । ଯଦି ରେପୋ ରେଟ ବଢେ , ତେବେ ବ୍ୟାଙ୍କମାନେ ଆରବିଆଇ ଠାରୁ ଅଧିକ ସୁଧରେ ଋଣ ନେବେ । ଏହାର ପ୍ରଭାବରେ ହୋମ ଲୋନ , କାର ଲୋନ , ପର୍ସନାଲ ଲୋନ ଭଳି ଋଣର ସୁଧ ହାର ବଢିପାରେ , ଯାହା ସିଧାସଳଖ ଭାବେ ଆପଣଙ୍କ ଇଏମଆଇ ଉପରେ ପ୍ରଭାବ ପକାଇଥାଏ । ଅନ୍ୟପକ୍ଷରେ ରେପୋ ରେଟ କମିଲେ ଋଣ ଶସ୍ତା ହେବା ସହ ଇଏମଆଇ ମଧ୍ୟ କମିପାରେ ।










