ଭୁବନେଶ୍ୱର: କଲେଜ ଯାଉଥିବା ଛାତ୍ରଛାତ୍ରୀ, କାର୍ଯ୍ୟସ୍ଥଳକୁ ଯାଉଥିବା କର୍ମଜୀବୀ କିମ୍ବା ହସ୍ପିଟାଲ ଯାଉଥିବା ପରିବାର, ସମସ୍ତଙ୍କ ପାଇଁ ନିର୍ଭରଯୋଗ୍ୟ ଜନ ପରିବହନ ଦୈନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହି ଯାତ୍ରାକୁ ଅଧିକ ସୁଗମ, ସୁବିଧାଜନକ ଓ ପରିବେଶ ଅନୁକୂଳ କରିବା ଦିଗରେ ଓଡ଼ିଶାର ପ୍ରୟାସକୁ ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) କନଫରେନ୍ସ ଓ ଏକ୍ସିବିସନ୍ ୨୦୨୬ରେ ତିନୋଟି ଜାତୀୟ ସମ୍ମାନ ମିଳିଛି। ଭୁବନେଶ୍ୱରଠାରେ ଅକ୍ଟୋବର ୨୩ ଓ ୨୪ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଏହି ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ଅନ୍ତର୍ଜାତୀୟ ବିଶେଷଜ୍ଞ, ସହରାଞ୍ଚଳ ଗମନାଗମନ କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିବିଶେଷ ଏବଂ ସରକାରୀ ସଂସ୍ଥା, ମେଟ୍ରୋ ରେଳ ସଂଗଠନ ଓ ଘରୋଇ କ୍ଷେତ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜର୍ମାନୀର ଅନ୍ତର୍ଜାତୀୟ ସହଯୋଗ ସଂସ୍ଥା ଜିଆଇଜେଡ୍ (GIZ)ର ପାଭିଲିୟନ୍ ନୂତନ ଚିନ୍ତାଧାରାର ଆଦାନପ୍ରଦାନ ସହ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ମଧ୍ୟ ପ୍ରଦର୍ଶିତ କରିଥିଲା। ପ୍ରଥମ ଥର ପାଇଁ ଓଡ଼ିଶାରେ ୟୁଏମ୍ଆଇ ସହ ନ୍ୟାସନାଲ ଅର୍ବାନ କନକ୍ଲେଭ୍ (ଏନ୍ୟୁସି) ଆୟୋଜିତ ହୋଇଥିବାବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ ଓ ସମନ୍ୱୟ କାର୍ଯ୍ୟରେ କ୍ରୁଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା।
ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ଉଦ୍ଯାପନୀ ଅଧିବେଶନରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ତଥା ଶକ୍ତି ମନ୍ତ୍ରୀ ଶ୍ରୀ ମନୋହର ଲାଲ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶାର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଗୃହ ଓ ସହରାଞ୍ଚଳ ବିକାଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପ୍ରମୁଖ ସଚିବ ଶ୍ରୀ ସତିନ୍ଦର ପାଲ ସିଂହ, ଯୁଗ୍ମ ସଚିବ ଶ୍ରୀ ପ୍ରବୀର କୁମାର ଏବଂ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏମ୍. ସାଦିକ୍ ଆଲାମ୍ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସର୍ବୋତ୍ତମ ସହରାଞ୍ଚଳ ଜନ ପରିବହନ ସଂସ୍କାର ଓ କାର୍ଯ୍ୟକାରିତା
ସମନ୍ୱିତ ଜନ ପରିବହନ ବ୍ୟବସ୍ଥା ଗଠନରେ ଓଡ଼ିଶାର ଅଗ୍ରଗତିକୁ ସ୍ୱୀକୃତି ଦେଇ ରାଜ୍ୟକୁ ‘ସର୍ବୋତ୍ତମ ସହରାଞ୍ଚଳ ପରିବହନ ସଂସ୍କାର ଓ କାର୍ଯ୍ୟକାରିତା ବିଶିଷ୍ଟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ’ ବର୍ଗରେ ପ୍ରଶଂସାମୂଳକ ସମ୍ମାନ (Commendation Award) ପ୍ରଦାନ କରାଯାଇଛି।
କ୍ରୁଟ୍ ବର୍ତ୍ତମାନ ସାତଟି ସହରରେ ୧୩୮ଟି ରୁଟ୍ରେ ୭୭୦ଟି ବସ୍ ଚଳାଉଛି ଏବଂ ଦୈନିକ ପ୍ରାୟ ୩.୫ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଉଛି। ଏହି ସେବା ଛାତ୍ରଛାତ୍ରୀ, କର୍ମଜୀବୀ ଓ ସାଧାରଣ ଲୋକଙ୍କୁ ବିଦ୍ୟାଳୟ, କାର୍ଯ୍ୟସ୍ଥଳ, ବଜାର ଓ ହସ୍ପିଟାଲ ଯିବା ପାଇଁ ସୁଲଭ ଓ ସୁବିଧାଜନକ ଯାତାୟାତର ସୁଯୋଗ ଦେଉଛି।
କ୍ରୁଟ୍ର ଜନ ପରିବହନ ବ୍ୟବସ୍ଥା କେବଳ ବସ୍ ସେବାରେ ସୀମିତ ନୁହେଁ। ଆମ୍ ବସ୍ ସେବା ସହ ଇ-ରିକ୍ସା, ବୈଦ୍ୟୁତିକ ଫିଡର୍ ସେବା ଏବଂ ଓଡ଼ିଶା ଯାତ୍ରୀ ମୋବିଲିଟି ଡିଜିଟାଲ୍ ଗମନାଗମନ ସେବାର ସମନ୍ୱୟ ପ୍ରଥମ ଓ ଶେଷ ମାଇଲ୍ ସଂଯୋଗକୁ ସୁଦୃଢ଼ କରୁଛି। ଡିଜିଟାଲ୍ ଟିକେଟ୍ ବ୍ୟବସ୍ଥା ଓ ସମନ୍ୱିତ ଯୋଜନା ଯାତ୍ରୀଙ୍କ ସମଗ୍ର ଯାତ୍ରାକୁ ଅଧିକ ସହଜ କରିବା ସହ ମହିଳା ଗାଇଡ୍, ସାରଥୀ ଓ କ୍ୟାପଟେନ୍ଙ୍କ ଅଂଶଗ୍ରହଣ ପରିବହନ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛି।
ସବୁଜ ପରିବହନ ପଦକ୍ଷେପ ପାଇଁ ଭୁବନେଶ୍ୱରକୁ ଉତ୍କର୍ଷ ସମ୍ମାନ
କମ୍ପ୍ରିହେନ୍ସିଭ୍ ରିଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦ୍ୱାରା ପ୍ରତିନିଧିତ୍ୱ କରାଯାଇଥିବା ଭୁବନେଶ୍ୱରକୁ ‘ସର୍ବୋତ୍ତମ ସବୁଜ ପରିବହନ ପଦକ୍ଷେପ ଗ୍ରହଣକାରୀ ସହର’ ବର୍ଗରେ ଉତ୍କର୍ଷ ସମ୍ମାନ (Excellence Award) ମିଳିଛି।
ଗତ ଦୁଇ ବର୍ଷ ମଧ୍ୟରେ କ୍ରୁଟ୍ର ସମୁଦାୟ ବସ୍ ସଂଖ୍ୟାରେ ବୈଦ୍ୟୁତିକ ବସ୍ର ଅନୁପାତ ପ୍ରାୟ ୨୦ ପ୍ରତିଶତରୁ ବୃଦ୍ଧି ପାଇ ୫୨ ପ୍ରତିଶତରୁ ଅଧିକ ହୋଇଛି। ୫୦ରୁ ଅଧିକ ରୁଟ୍ରେ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବସ୍ ଚଳାଚଳ କରୁଛି। ଏହି ପରିବର୍ତ୍ତନ ଯାତ୍ରୀଙ୍କ ପାଇଁ କମ୍ ଶବ୍ଦଯୁକ୍ତ ଯାତ୍ରା ଓ ସ୍ୱଚ୍ଛ ସହରାଞ୍ଚଳ ବାୟୁର ଲକ୍ଷ୍ୟକୁ ଆଗକୁ ନେଉଛି।
କ୍ରୁଟ୍ର ଗ୍ରୀନ୍ ଡିପୋଗୁଡ଼ିକରେ ଛାତ ଉପରେ ସୌର ଶକ୍ତି ଉତ୍ପାଦନ, ବର୍ଷାଜଳ ସଂରକ୍ଷଣ, ବିଶୋଧିତ ଜଳର ପୁନଃବ୍ୟବହାର ଓ ଶକ୍ତି-ସଞ୍ଚୟକାରୀ ବ୍ୟବସ୍ଥା ରହିଛି। କ୍ରୁଟ୍ର ଆକଳନ ଅନୁଯାୟୀ, ସୌର ଶକ୍ତି ଉତ୍ପାଦନ ଦ୍ୱାରା ପ୍ରତିବର୍ଷ ପ୍ରାୟ ୨୦୦ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ସମତୁଲ୍ୟ ନିର୍ଗମନ ହ୍ରାସ ପାଉଛି ଏବଂ ବାର୍ଷିକ ପ୍ରାୟ ୫୦,୦୦୦ କିଲୋଲିଟର ବିଶୋଧିତ ଜଳର ପୁନଃବ୍ୟବହାର ହେଉଛି।
ଶ୍ରେଷ୍ଠ ପ୍ରଦର୍ଶନୀ ପାଇଁ କ୍ରୁଟ୍ ପାଭିଲିୟନ୍କୁ ପ୍ରଥମ ପୁରସ୍କାର
କ୍ରୁଟ୍ ପାଭିଲିୟନ୍କୁ ଶ୍ରେଷ୍ଠ ପ୍ରଦର୍ଶନୀ ପାଇଁ ପ୍ରଥମ ପୁରସ୍କାର ମିଳିଛି। ପାଭିଲିୟନ୍ରେ ସାତଟି ସହରରେ କ୍ରୁଟ୍ର ପରିବହନ ସେବାର ବିକାଶ ଯାତ୍ରା ସହ ଡିଜିଟାଲ୍ ଟିକେଟ୍ ବ୍ୟବସ୍ଥା, ବୈଦ୍ୟୁତିକ ପରିବହନ, ବସ୍ ଡ୍ରାଇଭିଂ ସିମୁଲେଟର୍ ଓ ଗମନାଗମନ ସମ୍ପର୍କିତ କୁଇଜ୍ ଭଳି ଆକର୍ଷଣୀୟ ବ୍ୟବସ୍ଥା ପ୍ରଦର୍ଶିତ ହୋଇଥିଲା। ଏଥିରେ ମହିଳା ଗାଇଡ୍, ସାରଥୀ ଓ କ୍ୟାପଟେନ୍ଙ୍କ ଅବଦାନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଭବିଷ୍ୟତର ପରିବହନ ଯୋଜନା ଅନ୍ତର୍ଗତ ଟ୍ରାନ୍ଜିଟ୍-ଭିତ୍ତିକ ସହରାଞ୍ଚଳ ବିକାଶ, ଆଞ୍ଚଳିକ ଗମନାଗମନ ସମନ୍ୱୟ, କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ସମୟସୂଚୀ ପ୍ରସ୍ତୁତି ଓ ରୁଟ୍ର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ ଭଳି ପଦକ୍ଷେପ ମଧ୍ୟ ଉପସ୍ଥାପିତ ହୋଇଥିଲା।
ଏହି ତିନୋଟି ଜାତୀୟ ସମ୍ମାନ ସ୍ୱଚ୍ଛ, ସମନ୍ୱିତ ଓ ସୁଗମ ଜନ ପରିବହନ ବ୍ୟବସ୍ଥା ଗଠନ ଦିଗରେ ଓଡ଼ିଶାର ପ୍ରୟାସକୁ ସ୍ୱୀକୃତି ଦେଇଛି। ଏହି ସଫଳତାର ପ୍ରକୃତ ମୂଲ୍ୟ ରହିଛି ଓଡ଼ିଶାବାସୀଙ୍କ ଦୈନନ୍ଦିନ ଯାତ୍ରାକୁ ଅଧିକ ସୁବିଧାଜନକ, ସଂଯୋଗଯୁକ୍ତ ଓ ପରିବେଶ ଅନୁକୂଳ କରିବାରେ।
ଏହି ତିନୋଟି ସମ୍ମାନ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ତେବେ, ପ୍ରକୃତ ସଫଳତାର ମାପକାଠି ହେଉଛି ପ୍ରତ୍ୟେକ ଯାତ୍ରୀଙ୍କ ଯାତ୍ରା ଅନୁଭୂତି। କ୍ରୁଟ୍ ଯାତ୍ରୀମାନଙ୍କ ପାଇଁ ଯାତ୍ରାକୁ ଅଧିକ ସୁବିଧାଜନକ, ନିରବଚ୍ଛିନ୍ନ, ସୁଲଭ ଓ ସୁରକ୍ଷିତ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବ। ଲୋକଙ୍କୁ କେବଳ ଗନ୍ତବ୍ୟସ୍ଥଳ ସହ ନୁହେଁ, ବରଂ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟସେବା, ବଜାର ଏବଂ ସହରରେ ଉପଲବ୍ଧ ବିଭିନ୍ନ ସୁଯୋଗ ସହ ଯୋଡ଼ିବା ଏହାର ଲକ୍ଷ୍ୟ। ଜନ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଅନ୍ୟ ଯାତାୟାତ ସେବାଗୁଡ଼ିକ ସହ ଏହାର ସମନ୍ୱୟ ବୃଦ୍ଧି କରି, ସହରର ପ୍ରତ୍ୟେକ ସ୍ଥାନକୁ ଯିବା, ଯାତାୟାତ କରିବା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଉପଲବ୍ଧ କରାଇବାକୁ କ୍ରୁଟ୍ ଲକ୍ଷ୍ୟ ରଖିଛି।
ଏହି ସ୍ୱୀକୃତି ଓଡ଼ିଶା ସରକାର, ଗୃହ ଓ ନଗର ଉନ୍ନୟନ ବିଭାଗ, କ୍ରୁଟ୍ର ସମସ୍ତ କର୍ମଚାରୀ ଏବଂ ପରିବହନ କ୍ଷେତ୍ରର ସହଯୋଗୀମାନଙ୍କ ସମ୍ମିଳିତ ପ୍ରୟାସର ଫଳ। ନୂତନ ଉତ୍ସାହ ଓ ଦୃଢ଼ ସଂକଳ୍ପ ସହ ଏହି ପ୍ରୟାସ ଆଗକୁ ଜାରି ରହିବ। ପ୍ରତ୍ୟେକ ଯାତ୍ରାକୁ ଅର୍ଥପୂର୍ଣ୍ଣ କରିବା, ଲୋକଙ୍କୁ ବିଭିନ୍ନ ସୁଯୋଗ ସହ ଯୋଡ଼ିବା ଏବଂ ସୁଗମ, ନିର୍ଭରଯୋଗ୍ୟ ଓ ସ୍ଥାୟୀ ଜନ ପରିବହନ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାର ସହରଗୁଡ଼ିକର ବିକାଶରେ ସହଯୋଗ କରିବା ହେଉଛି କ୍ରୁଟ୍ର ନିରନ୍ତର ଲକ୍ଷ୍ୟ।










