ମୟୂରଭଞ୍ଜ: ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ। ସୂଚନା ଅନୁଯାୟୀ, ଉକ୍ତ ରେଞ୍ଜ ଅଞ୍ଚଳରେ ୩୪ଟି ହାତୀ ଥିବା ବେଳେ ଭଦ୍ରାଶୋଳ ଗ୍ରାମର ରଘୁ ମାରାଣ୍ଡି ଗତକାଲି ପ୍ରାୟ ରାତି ୯ଟା ୩୦ମିନିଟ ସମୟରେ ଘର ପଛ ବାଡ଼ିକୁ ଶୌଚ ହେବାକୁ ଯାଇଥିଲେ। ଶୌଚ ହେବା ସମୟରେ ଦନ୍ତାହାତୀ ରଘୁଙ୍କୁ ଆକ୍ରମଣ କରିଥିଲା।ଦନ୍ତାହାତୀଟି ଦାନ୍ତରେ ରଘୁଙ୍କ ମୁଁହ ଓ ମୁଣ୍ଡକୁ ଭୁସି ରକ୍ତାକ୍ତ କରିଥିଲା। ତେବେ ରଘୁ ରାତିରେ ଘରକୁ ନଫେରିବାରୁ ଆଜି ସକାଳେ ପରିବାର ଲୋକେ ଖୋଜାଖୋଜି କରିବାରୁ ରଘୁଙ୍କ ମୃତଦେହ ଘର ପଛ ବାଡ଼ିରେ ପଡିଥିବାର ଦେଖିଥିଲେ। ଘଟଣା ସମ୍ପର୍କରେ ଖବରପାଇ ଫରେଷ୍ଟର ମାଳତୀଲତା ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସରପଞ୍ଚ ମନୋରଞ୍ଜନ ସିଂ,ସମିତି ସଭ୍ୟା ମମତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମଶୁନ୍ଦର ଡାକୁଆ ଯୁବ ସମାଜସେବୀ ଉତ୍ତମ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେବା ସହିତ ହାତୀ ସମସ୍ୟାର ସ୍ଥାୟୀ ସମଧାନ ଦିଗରେ ଗୁରୁତ୍ୱ ଦେବା ଏବଂ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।









