ନୂଆଦିଲ୍ଲୀ: ସ୍ପାଇସଜେଟର ଏକ ବିମାନ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଇଞ୍ଜିନ ଫେଲ ହୋଇଯିବାରୁ ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଯାଇଥିଲା । ମଙ୍ଗଳବାର ଦିନ ୧୫୦ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଉଡାଣ ଭରିଥିଲା । ଏସଜି ୧୨୧ ବିମାନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିବା ସମୟରେ କ୍ରୁ ମେମ୍ବର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ପାଇଥଲେ । ଏହାପରେ ପାଇଲଟମାନେ ବିମାନକୁ ଫେରାଇ ଦିଲ୍ଲୀ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଘଟଣା ସଂପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ସେବା ପହଞ୍ଚି ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ତେବେ ଏହାର ସମାଧାନ ପାଇଁ ଯାଞ୍ଚ କରାଯିବା ନେଇ ମୁଖପାତ୍ର ଏକ ବିବୃତ୍ତିରେ ସୂଚନା ଦେଇଛନ୍ତି ।










