ଭୁବନେଶ୍ୱର: ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଇ-ବସ୍ ସେବା ଏବଂ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବ୍ୟାପକ କରାଯିବ । ରାଜ୍ୟ ସରକାର ୬୦୦ ଇ-ବସ୍ କିଣିବାକୁ ଯୋଜନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ରାଜ୍ୟକୁ ଆଉ ୪୦୦ ଇ-ବସ୍ ଆସିବ ବୋଲି ଜଣାଯାଇଛି । ଏହା ଫଳରେ ରାଜ୍ୟରେ ଆମ ବସ୍ ସେବାର କଳେବର ବୃଦ୍ଧି ପାଇବା ସହିତ ସହରାଞ୍ଚଳରେ ଏହା ଅଧିକରୁ ଅଧିକ ଲୋକଙ୍କୁ ସେବା ଯୋଗାଇବ । ଉଲ୍ଲେଖନୀୟ ଯେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦ୍ୱାରା ପରିଚାଳିତ ଆମ୍ ବସ୍ ସେବା ଏବେ ଦୈନିକ ୩ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ କରୁଛି । ଆମ ବସରେ ଯାତାୟତ କରୁଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଡିଜିଟାଲ୍ ମାଧ୍ୟମରେ ଦେୟ ପ୍ରଦାନ କରୁଛନ୍ତି ଯାହା ସରକାରଙ୍କ ଡିଜିଟାଲ ଇଣ୍ଡିଆକୁ ଅଧିକ ସୁଦୃଢ କରୁଛି ।
ସେହିଭଳି ଯାତ୍ରୀମାନଙ୍କୁ ଘରୁ ବସ୍ଷ୍ଟାଣ୍ଡ ଏବଂ ବସ୍ଷ୍ଟାଣ୍ଡରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପରିବହନ ସେବା ଯୋଗାଇବା ପାଇଁ ଆମ ଇ-ରାଇଡ୍ ସେବାକୁ ଅଧିକ ସୁଦୃଢ଼ କରାଯାଉଛି l ‘ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମ ମାଧ୍ୟମରେ ରୁଟ୍ ଅପ୍ଟିମାଇଜେସନ୍ ଓ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦିଆଯାଉଛି । ବଜେଟରେ ଅର୍ଥ ବରାଦ ଓ ନୂତନ ପଦକ୍ଷେପ ସଂକ୍ରାନ୍ତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଏହି ବଜେଟ୍ ଆମ ସରକାରଙ୍କ ଲୋକ-କୈନ୍ଦ୍ରିକ ବିକାଶର ପ୍ରତିଫଳନ l ଆମ ବସ୍ ଓଡ଼ିଶାରେ ସାଧାରଣ ପରିବହନର ସଂଜ୍ଞା ବଦଳାଇ ଦେଇଛି l ଆମେ କେବଳ ସଂଯୋଗୀକରଣ ବଢ଼ାଉନାହୁଁ, ବରଂ ଭବିଷ୍ୟତ ପାଇଁ ଏକ ସ୍ୱଚ୍ଛ ଓ ସବୁଜ ସହର ର୍ନିମାଣ କରୁଛୁ । ଆମ ବସ୍ ସେବାରେ ଅଧିକରୁ ଅଧିକ ଇ-ବସ୍ ସାମିଲ କରି ଆମେ ସହରାଞ୍ଚଳ ପରିବହନକୁ ଅଧିକ ସୁଲଭ ଏବଂ ପରିବେଶ ଅନୁକୂଳ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢୀ କହିଛନ୍ତି । ବଜେଟରେ ରାଜ୍ୟ ସରକାର ସହରାଞ୍ଚଳ ପରିବହନକୁ ଯେଭଳି ଅଗ୍ରାଧିକାର ପ୍ରଦାନ କରିଛନ୍ତି ତାହା ଆଗାମୀ ଦିନରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ କେବଳ ସୁସଂଗତ କରିବନାହିଁ, ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀମତୀ ପାଢୀ କହିଛନ୍ତି।










