28.1 C
Bhubaneswar
Monday, February 23, 2026
Homeଓଡିଶାପାରାଦୀପ ହେବ ସ୍ପୋର୍ଟସ୍ ହବ୍

ପାରାଦୀପ ହେବ ସ୍ପୋର୍ଟସ୍ ହବ୍

କୁଜଙ୍ଗ ଉଦୟବଟରେ ହେବ ବହୁମୁଖୀ ଇନଡୋର ଷ୍ଟାଡିୟମ
୨୫ ମିଟର ବିଶିଷ୍ଟ ସୁଇମିଂ ପୁଲ୍ ନିର୍ମାଣକୁ ଅନୁମୋଦନ
ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ ଦେଇଥିଲେ ପ୍ରସ୍ତାବ

ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହିକ୍ରମରେ ପାରାଦୀପକୁ ପ୍ରମୁଖ କ୍ରୀଡା ହବ୍ ଭାବେ ଗଢି ତୋଳିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ପ୍ରସ୍ତାବ ପରେ କୁଜଙ୍ଗ ବ୍ଲକ ଉଦୟବଟରେ ଗ୍ୟାଲେରୀ ସହିତ ଏକ ବହୁମୁଖୀ ଇନଡୋର ଷ୍ଟାଡିୟମ ଏବଂ ୨୫ ମିଟର ବିଶିଷ୍ଟ ସୁଇମିଂ ପୁଲ୍ ନିର୍ମାଣ ପ୍ରସ୍ତାବକୁ ନୀତିଗତ ଭାବେ ଅନୁମୋଦନ କରିଛନ୍ତି କ୍ରୀଡ଼ା ଓ ଯୁବସେବା ବିଭାଗ। ପ୍ରକଳ୍ପ ପାଇଁ ଅତିକମରେ ୫ ଏକର ପରିମିତ ଏକ ଜବରଦଖଲମୁକ୍ତ ସରକାରୀ ଜମି ଚିହ୍ନଟ କରି ବିଭାଗକୁ ଜଣାଇବାକୁ ଅନୁରୋଧ କରାଯାଇଛି।

ଗତମାସ କୁଜଙ୍ଗ ଏବଂ ତିର୍ତ୍ତୋଲରେ ବ୍ଲକସ୍ତରୀୟ ଷ୍ଟାଡିୟମକୁ ପ୍ରଶାସନିକ ଅନୁମୋଦନ ମିଳିବା ପରେ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ କୃତଜ୍ଞତା ଜଣାଇବା ସହ ଏହାକୁ ଅଧିକ ବ୍ୟାପକ ଓ ବିଶ୍ବସ୍ତରୀୟ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ। କୁଜଙ୍ଗ ବ୍ଲକ ଅନ୍ତର୍ଗତ ଉଦୟବଟରେ ଏକ ପୂର୍ଣ୍ଣାଙ୍ଗ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିବା ସହ ଏହା ସ୍ଥାନୀୟ କ୍ରୀଡ଼ାବିତଙ୍କ ପ୍ରତିଭା ବିକାଶରେ ସହାୟକ ହେବ ବୋଲି ଉଲ୍ଲେଖ କରିଥିଲେ। ସେହିପରି ସେଠାରେ ୨୫ ମିଟର ବିଶିଷ୍ଟ ବିଶ୍ୱସ୍ତରୀୟ ସୁଇମିଂ ପୁଲ୍ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏଥିସହ ପୂର୍ବରୁ ଅନୁମୋଦିତ ବ୍ଲକ ସ୍ତରୀୟ ଷ୍ଟାଡିୟମକୁ ଏକ ବିଶ୍ବସ୍ତରୀୟ ସ୍ପୋର୍ଟସ କମ୍ପ୍ଲେକ୍ସରେ ଉନ୍ନୀତ କରିବାକୁ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ଆବେଦନ କରିଥିଲେ। ଏଥିରେ ବ୍ଲକସ୍ତରୀୟ ଷ୍ଟାଡିୟମ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ବିଭିନ୍ନ କ୍ରୀଡ଼ା, ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା, ଅଧିକ କ୍ଷମତା ସମ୍ପନ୍ନ ଗ୍ୟାଲେରୀ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। ସମାନ ପରିସର ମଧ୍ୟରେ ଏକ କ୍ରିକେଟ ପଡ଼ିଆର ବ୍ୟବସ୍ଥା କରିବାକୁ ଉଲ୍ଲେଖ କରିଥିଲେ। ପାରାଦୀପ ହେବ ସ୍ପୋର୍ଟସ ହବ। ଗାଁ ଗାଁରୁ କ୍ରୀଡାବିତଙ୍କ ପ୍ରତିଭାର ବିକାଶ ପାଇଁ ପ୍ଲାଟଫର୍ମ ଯୋଗାଇଦେବେ ରାଜ୍ୟ ସରକାର। ପାରାଦୀପ ଅଞ୍ଚଳର ଦୀର୍ଘ ଦିନର ଦାବି ପୂରଣ କରିବା ଦିଗରେ ନିରନ୍ତର ଉଦ୍ୟମ କରିଆସୁଛନ୍ତି ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ବାଇଁ। ତାଙ୍କର ଉଦ୍ୟମରେ ପାରାଦୀପ ଅଞ୍ଚଳରେ କ୍ରୀଡା ଭିତ୍ତିଭୂମିର ବ୍ୟାପକ ବିକାଶ ହେବାକୁ ଯାଉଛି। ଯାହା ରାଜ୍ୟ ସରକାରଙ୍କ ସମୃଦ୍ଧ ଓଡିଶା ସ୍ବପ୍ନ ସାକାର କରିବା ଦିଗରେ ବଡ଼ ଭୂମିକା ନେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking