ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ପଣ୍ଡାଙ୍କ ସମର୍ଥନରେ ବାହାରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ଗଞ୍ଜାମ ଗସ୍ତ ସମୟରେ ସେ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ବିକ୍ରମଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି । ପ୍ରତାପ ଜେନା ଅଭିଯୋଗ କରିଛନ୍ତି ଯେ, ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ପୁଲିସ ସାହାଯ୍ୟରେ ବିଜେଡି ନେତାମାନଙ୍କୁ ଫସାଇବାରେ ଲାଗିଛି । ବିଶେଷ କରି ବିକ୍ରମଙ୍କ ଦ୍ୱାରା ଗଞ୍ଜାମରେ ବିଜେଡି ସଂଗଠନ ଅତ୍ୟନ୍ତ ମଜଭୁତ ଥିବାରୁ ବିଜେପି ଭୟଭୀତ ହୋଇପଡ଼ିଛି । ସେଥିପାଇଁ ତାଙ୍କୁ ଷଡ଼ଯନ୍ତ୍ର କରି ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।
ବିକ୍ରମଙ୍କୁ ଜଣେ ଦୃଢ଼ ସଂଗଠକ ଭାବେ କହି କରି ପ୍ରତାପ କହିଛନ୍ତି,ବିକ୍ରମ ଜେଲରୁ ଫେରିବା ପରେ ଗଞ୍ଜାମର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ । ଗତକାଲି ବିକ୍ରମଙ୍କ ପାଇଁ ଦେଖାଦେଇଥିବା ବିପୁଳ ଜନ ସମର୍ଥନ ପ୍ରମାଣ କରୁଛି ଯେ ଲୋକଙ୍କ ଆଶୀର୍ବାଦ ତାଙ୍କ ସହ ରହିଛି । ବିଜେଡିର ଏହି ଟାଣୁଆ ନେତାଙ୍କ ମନୋବଳ ବଢ଼ାଇବା ପାଇଁ ପ୍ରତାପ ଜେନାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଗଞ୍ଜାମ ଯାଇଥିଲେ । ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।










