କଟକ: ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଗୁରୁବାର ସନ୍ଧ୍ୟାରେ ବାଣ ବିସ୍ଫୋରଣ ହୋଇଛି। ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦୁଇ ଜଣ ସମ୍ପର୍କରେ ମାଆ ଓ ଝିଅ। ସେମାନେ ହେଲେ ସୁଧାଶୁଂବାଳା ନାୟକ(୩୭) ଓ ସ୍ଥିତିପ୍ରଜ୍ଞା ନାୟକ(୩)। ଗୁରୁତର ଆହତ ଜଣକ ହେଉଛନ୍ତି ସୁଧାଶୁଂବାଳାଙ୍କ ଶାଶୂ ପ୍ରଭାତୀ ନାୟକ। ଗୁରୁବାର ସନ୍ଧ୍ୟାରେ ଗୋବିନ୍ଦ ନାୟକଙ୍କ ଘରେ ହଠାତ ବାଣ ବିସ୍ଫୋରଣ ଘଟିଥିଲା। ବାଣ ବିସ୍ଫୋରଣ ଘଟି ଚାରି ବଖରା ଘର ନଷ୍ଟ ହୋଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍କୁ ପଠାଇଥିଲା। ହତମାନଙ୍କ ଶରୀର ଶତକଡ଼ା ୯୫ ଭାଗ ଜଳିଯାଇଥିଲା। ତେବେ ସୁଧାଶୁଂବାଳା ଓ ସ୍ଥିତିପ୍ରଜ୍ଞାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ପ୍ରଭାତୀ ନାୟକ ଚିକିତ୍ସାଧୀନ ଅଛନ୍ତି। ବେଆଇନ୍ ଭାବେ ବାଣ ପ୍ରସ୍ତୁତ କରି ଘର ମଧ୍ୟରେ ମହଜୁତ ରଖାଯାଇଥିବାବେଳେ କେଉଁ କାରଣରୁ ବାଣ ବିସ୍ଫୋରଣ ଘଟିଥିଲା ତାହା ଜଣାପଡ଼ିନାହିଁ। ଦମକଳ ବାହିନୀ ଓ ଜଗତପୁର ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି।










