ଭୁବନେଶ୍ଵର: ଆମ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ଵତନ୍ତ୍ର ଆକର୍ଷଣ ରହିଛି । ଏହା ଆମ ସମୃଦ୍ଧ ଐତିହ୍ୟର ପରିଚୟ ଏବଂ ଆମ ଅସ୍ମିତାର ନିଦର୍ଶନ ବୋଲି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ସ୍ଥାନୀୟ ଜନତା ମୈଦାନଠାରେ ଆୟୋଜିତ ୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳାର ଶୁଭ ଉଦଘାଟନ କରି ସେ ମଧ୍ୟ କହିଛନ୍ତି ବୁଣାକାର ଓ କାରିଗରଙ୍କ ଆର୍ଥିକ ସମୃଦ୍ଧି ଏହି ମେଳାର ପ୍ରମୁଖ ଲକ୍ଷ୍ୟ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଯୋଗ ଦେଇ କହିଥିଲେ ବୁଣାକାର ଓ କାରିଗରଙ୍କ ପାଇଁ ଓଡିଆ ଜାତି ଗର୍ବିତ । ଆମ ବୁଣାକାର ବନ୍ଧୁମାନେ ବୟନ ଅସ୍ମିତାର ସମର୍ଥ ସାରଥି ସାଜିଥିବା ବେଳେ ହସ୍ତଶିଳ୍ପୀ କାରିଗରମାନେ ଉତ୍କୃଷ୍ଟ କଳାର ବାର୍ତ୍ତାବହ ସାଜିଛନ୍ତି । ସେମାନଙ୍କ ଜୀବନ-ଜୀବିକାକୁ ଅଧିକ ସଶକ୍ତ କରିବା ପାଇଁ ଆମ ସରକାର ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି ।
ଏହି ଅବସରରେ ୧୨ ଜଣ ହସ୍ତଶିଳ୍ପୀଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସହିତ ସିଏସଆଇଆର-ଆଇଏମଏମଟି, ଭୁବନେଶ୍ଵର ଓ ଆଇଆଇପି-ମୁମ୍ବାଇ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା । ସେହିପରି ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଆଇସିଏଆର୍-ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନାଚୁରାଲ୍ ଫାଇବର୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଓୟୁଟିଆର୍, ଭୁବନେଶ୍ଵର ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶକ ଡକ୍ଟର ନିବେଦିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ, ସ୍ୱାବଲମ୍ବୀ ଅଭିଯାନର କ୍ଷେତ୍ରୀୟ ସଂଯୋଜକ ପ୍ରମୁଖ ସାରଦା ଶତପଥି, ପ୍ରସିଦ୍ଧ ବାନ୍ଧ ଶିଳ୍ପୀ ପଦ୍ମଶ୍ରୀ ଶରତ କୁମାର ପାତ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଆଜିଠାରୁ ଆରମ୍ଭ ଏହି ମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତବର୍ଷ ୯୦୫ ଗୋଟି ଷ୍ଟଲ ଖୋଲିଥିବା ବେଳେ ୨୦ ଟି ରାଜ୍ୟର ବୁଣାକାର ଓ କାରିଗର ଅଂଶଗ୍ରହଣ କରିଛନ୍ତି ।










