25.1 C
Bhubaneswar
Saturday, February 14, 2026
Homeଓଡିଶାସମସ୍ୟା ଜଣାନ୍ତୁ, ଆବଶ୍ୟକ ପଡିଲେ ମୁଁ ନିଜେ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସମାଧାନ କରିବି:...

ସମସ୍ୟା ଜଣାନ୍ତୁ, ଆବଶ୍ୟକ ପଡିଲେ ମୁଁ ନିଜେ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସମାଧାନ କରିବି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାକୁ ତ୍ଵରିତ ବେଗରେ ଆଗେଇନେବା ପାଇଁ ଆଜି ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏସ୍.ଆଇ.ଆର୍.ଡି (SIRD) ପରିସରସ୍ଥିତ ମନରେଗା ସୋସାଇଟି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ନାଏକ ବିଭିନ୍ନ ଜିଲ୍ଲାରୁ ଆସିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ (ସି.ଡି.ଓ) ଏବଂ ବ୍ଲକ ଉନ୍ନୟନ ଅଧିକାରୀ (ବି.ଡି.ଓ) ମାନଙ୍କ ସହ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୀକ୍ଷାରେ ମୁଖ୍ୟତଃ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ , ଅନ୍ତ୍ୟୋଦୟ ଗୃହ ଯୋଜନା, ମନରେଗା ଏବଂ ଗ୍ରାମୀଣ ସଂଯୋଗୀକରଣ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ବିଭାଗୀୟ କମିଶନର-ତଥା-ଶାସନ ସଚିବ ଶ୍ରୀ ଗିରିଶ ଏସ୍.ଏନ୍ ଙ୍କ ଉପସ୍ଥିତିରେ ଅଧିକାରୀମାନେ ପ୍ରକଳ୍ପଗୁଡ଼ିକର ବ୍ଲକସ୍ତରୀୟ ଅଗ୍ରଗତି, ସ୍ଥିତି ଓ ବ୍ୟୟ ସମ୍ପର୍କିତ ସମସ୍ତ ତଥ୍ୟ ମାନ୍ୟବର ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ଯେଉଁ ବ୍ଲକଗୁଡ଼ିକରେ ପ୍ରକଳ୍ପ କାର୍ଯ୍ୟର ଗତି ଧିମା ରହିଛି, ସେଠାରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଭରସା ପ୍ରକଟ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, “ଗ୍ରାମୀଣ ଓଡ଼ିଶାର ବିକାଶ ପାଇଁ ଆମେ ଅଧିକ କାର୍ଯ୍ୟ କରିବାକୁ ସମର୍ଥ, ଏହି ବାର୍ତ୍ତା କାର୍ଯ୍ୟ ମାଧ୍ୟମରେ ପ୍ରତିଫଳିତ ହେବା ଦରକାର। ସରକାରଙ୍କ ପାଖରେ ପାଣ୍ଠିର ଅଭାବ ନାହିଁ; ଆମର କାର୍ଯ୍ୟ ହିଁ ଆମର ଦକ୍ଷତା ଓ ପ୍ରତିବଦ୍ଧତାର ପ୍ରମାଣ। କ୍ଷେତ୍ରସ୍ତରରେ କୌଣସି ସମସ୍ୟା ଥିଲେ ଜଣାନ୍ତୁ, ଦରକାର ପଡିଲେ ମୁଁ ନିଜେ ସେଠାରେ ପହଞ୍ଚି ସମସ୍ୟାର ସମାଧାନ କରିବି।”

କ୍ଷେତ୍ରସ୍ତରରେ କାମ କରୁଥିବା ଅଧିକାରୀମାନଙ୍କ ସହ ବିଭାଗ ସବୁବେଳେ ଦୃଢ଼ ଭାବେ ଠିଆ ହୋଇଛି ବୋଲି ବିଭାଗୀୟ କମିଶନର ଦୋହରାଇଥିଲେ। ରାଜ୍ୟର ସମସ୍ତ ଗାଁକୁ ରାସ୍ତା ଦ୍ୱାରା ଯୋଡ଼ିବା ଉପରେ ଗୁରୁତ୍ୱ ଦେଇ ସେ ଏହି କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ଗାଁର ଚେହେରା ବଦଳାଇବାର ସାମର୍ଥ୍ୟ ରଖିଛି ବୋଲି ସେ ମତ ପ୍ରକାଶ କରିଥିଲେ। ସେହିପରି ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ସମ୍ପୂର୍ଣ୍ଣ ହୋଇଥିବା କାମର ବିଲ୍ ଓ କାଗଜପତ୍ର ସଠିକ୍ ସମୟରେ ଦାଖଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ପ୍ରକଳ୍ପର ପ୍ରକୃତ ସ୍ଥିତି ସରକାରୀ ରେକର୍ଡରେ ସଠିକ୍ ଭାବେ ପ୍ରତିଫଳିତ ହେବ ଏବଂ ସମୀକ୍ଷା ପ୍ରକ୍ରିୟା ଅଧିକ ଫଳପ୍ରଦ ହୋଇପାରିବ।ଏହି ଗୁରୁତ୍ୱପୂର୍ଣ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ୩୦ ଜଣ ସି.ଡି.ଓ ଏବଂ ୩୮ ଜଣ ବି.ଡି.ଓ ଯୋଗ ଦେଇଥିଲେ। ବ୍ଲକସ୍ତରରେ ଏକ ସ୍ୱଚ୍ଛ ଓ ଦାୟିତ୍ୱବାନ ପ୍ରଶାସନ ମାଧ୍ୟମରେ ‘ବିକଶିତ ଓଡ଼ିଶା’ ଗଠନ ପାଇଁ ସଂକଳ୍ପ ନେବା ସହ, ଗ୍ରାମାଞ୍ଚଳର ବିକାଶ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ଓ ସୁଦୃଢ଼ କରିବା ପାଇଁ ସମସ୍ତ ଅଧିକାରୀ ସମ୍ମତି ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking