ଦିଗପହଣ୍ଡି: କାର୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଗତକାଲି ବିଲମ୍ବିତ ରାତିରେ ଏକ ପରିବାର ଚିକିତ୍ସା ପାଇଁ ଚିକିଟିରୁ ଆନ୍ଧ୍ରପ୍ରଦେଶ ଯାଉଥିଲେ । ସେହି ସମୟରେ ଶ୍ରୀକାକୁଲମ ଜିଲ୍ଲା ନନ୍ଦି ଗାଁରେ କାର୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘାଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ପାତିସୋନପୁର ଗ୍ରାମର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି । କାର୍ ଡ୍ରାଇଭରଙ୍କୁ ନିଦ ହେଇଯିବା ଯୋଗୁଁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।









