21.1 C
Bhubaneswar
Wednesday, February 4, 2026
Homeଓଡିଶାରାଜ୍ୟସ୍ତରୀୟ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି

ରାଜ୍ୟସ୍ତରୀୟ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଥିଲା ଏକ ଜୀବନ୍ତ ଇତିହାସ । ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମଧୁବାବୁ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କର ଦୂରଦୃଷ୍ଟି ଓ ଜାତୀୟ ଦୃଷ୍ଟି ପାଇଁ ସେ ଚିରକାଳ ପାଇଁ ଓଡ଼ିଶାବାସୀଙ୍କ ହୃଦୟରେ ବଞ୍ଚିରହିବେ । ଓଡ଼ିଶାର ହସ୍ତଶିଳ୍ପ ଓ ସ୍ୱଦେଶୀ କାରିଗରୀ ଜରିଆରେ ଅର୍ଥନୈତିକ ଅଭିବୃଦ୍ଧି ଆଣିବା ସହ ଓଡ଼ିଶାର ଖ୍ୟାତିକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ ତାଙ୍କର ଉଦ୍ୟମ ପ୍ରଣିଧାନଯୋଗ୍ୟ । ଓଡ଼ିଆ ଲୋକଟିଏ ଯେତେବେଳେ କିଛି ନୂଆ କରିବାକୁ ଚେଷ୍ଟା କରିବ ସେତିକିବେଳେ ମଧୁବାବୁଙ୍କ ପ୍ରେରଣା ତାଙ୍କୁ ପ୍ରୋତ୍ସାହିତ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

“ଓଡ଼ିଆ ଅସ୍ମିତା ଏବଂ ମଧୁବାବୁ” ବିଷୟବସ୍ତୁକୁ ନେଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦୈନିକ ସମ୍ବାଦପତ୍ର “ସମୟ”ର ମୁଖ୍ୟ ସମ୍ପାଦକ ତଥା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୌତ୍ର ଶ୍ରୀଯୁକ୍ତ ଗୁରୁକଲ୍ୟାଣ ମହାପାତ୍ର କହିଛନ୍ତି ଯେ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ନବଜାଗରଣ ପାଇଁ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ । ସେ ମଧୁବାବୁଙ୍କୁ ପ୍ରଥମ ରାଜନୈତିଜ୍ଞ ପୁରୁଷ ବୋଲି ସମ୍ବୋଧନ କରି କହିଥିଲେ ଯେ ମଧୁବାବୁ ହେଉଛନ୍ତି ଆଧୁନିକ ଓଡ଼ିଶାର ରାଜନୈତିକ ଇତିହାସର ଅଗ୍ରଗଣ୍ୟ ଓ ଅନନ୍ୟ ବ୍ୟକ୍ତିତ୍ୱ । ବ୍ୟକ୍ତିଗତ ସଫଳତାକୁ ପ୍ରାଧାନ୍ୟ ନଦେଇ ଓଡ଼ିଶାର ପରିଚୟକୁ ବିଶ୍ୱବିଦିତ କରିବାକୁ ସେ ସବୁବେଳେ ଚେଷ୍ଟା କରୁଥିଲେ ବୋଲି ଶ୍ରୀଯୁକ୍ତ ମହାପାତ୍ର ମତପ୍ରକାଶ କରିଛନ୍ତି ।

ଅତିଥି ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧିବାଦୀ ଚିନ୍ତକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ସିଂହ ମଧୁବାବୁଙ୍କ ଓଡ଼ିଆ ଅସ୍ମିତାର ଯୁଗ ପୁରୁଷ ବୋଲି ବିବେଚିତ କରି କହିଛନ୍ତି ଯେ ମଧୁସୂଦନ ଦାସଙ୍କ ନୀତି ଆଦର୍ଶକୁ ଆଜିର ଦିନରେ ଆମେ କେତେ ଦୂର ପ୍ରତିଫଳିତ କରିପାରିଛେ, ତାହାର ଆତ୍ମଚିନ୍ତନର ଆବଶ୍ୟକତା ରହିଛି । ୧୮୪୮ରେ ଜନ୍ମ ଓ ୧୯୩୪ ଫେବୃଆରୀ ୪ ରେ ପରଲୋକ ଗମନ କରିଥିବା ମଧୁବାବୁଙ୍କ ଜୀବନୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ସେ । ଊନବିଂଶ ଶତାବ୍ଦୀ ପୂର୍ବରୁ ଏବଂ ପ୍ରାରମ୍ଭରେ ଓଡ଼ିଶାର ରାଜନୈତିକ ପରିସ୍ଥିତି, ଅର୍ଥନୈତିକ ଅବସ୍ଥା, ଉତ୍କଳ ସମ୍ମିଳନୀ, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନର ସୁରକ୍ଷା ଏବଂ ସର୍ବୋପରି ଓଡ଼ିଶାରେ ନବଜାଗରଣର ଅଭ୍ୟୁଦୟରେ ତାଙ୍କର ଭୂମିକା ଥିଲା ଅପରିସୀମ ବୋଲି ସେ ପ୍ରକାଶ କରିଛନ୍ତି । ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ନିଜର ସବୁକିଛି ଉତ୍ସର୍ଗ କରିଦେଇଥିଲେ । ଫଳ ସ୍ୱରୂପ ଶେଷ ଜୀବନରେ ସେ ଦେବାଳିଆ ହୋଇଯାଇଥିଲେ । ସେଭଳି ଜଣେ ବରପୁତ୍ରଙ୍କ ଜୀବନାଦର୍ଶକୁ ପାଥେୟ କରି ଓଡ଼ିଶାର ଯୁବପିଢ଼ି ଅଗ୍ରସର ହେଲେ ବିଶ୍ୱ ମାନଚିତ୍ରରେ ଓଡ଼ିଶାର ପରିଚିତି ଅଧିକ ଜାଜ୍ଜ୍ୱଲ୍ୟମାନ ହେବ ଏ କଥାରେ ସନ୍ଦେହ ନାହିଁ ବୋଲି ଶ୍ରୀଯୁକ୍ତ ସିଂହ ପ୍ରକାଶ କରିଛନ୍ତି ।

ମଧୁବାବୁ ବହୁକ୍ଷେତ୍ରରେ ଥିଲେ ପ୍ରଥମ ଓଡ଼ିଆ । ଓଡ଼ିଶାର ପ୍ରଥମ ସ୍ନାତକ, ପ୍ରଥମ ଏମ୍‌.ଏ, ପ୍ରଥମ ଓକିଲ, ବିହାର ଓଡ଼ିଶା ଲେଜିସ୍‌ଲେଟିଭ୍‌ କାଉନ୍‌ସିଲର ପ୍ରଥମ ମନ୍ତ୍ରୀ ଭାବେ ସେ ନିଜର ସ୍ୱକୀୟ ପରିଚୟ ସୃଷ୍ଟି କରିଯାଇଛନ୍ତି । ଓଡ଼ିଶାର ଅର୍ଥନୈତିକ ବିକାଶ ସହ ଜନଜାତି ଓ ନାରୀ ଶିକ୍ଷା ସହ ସେମାନଙ୍କର ଉତ୍‌ଥାନ ପାଇଁ ମଧୁବାବୁଙ୍କର ଅବଦାନ ଅବିସ୍ମରଣୀୟ ବୋଲି ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡଃ ଭାରତୀ ପାଲ କହିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ ଅତିଥିମାନଙ୍କ ସହ ଯୋଗ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନୁହେଁ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତିଷ୍ଠା ଓ ପରିଚିତି ନିମନ୍ତେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବହୁମୁଖୀ ଅବଦାନ ପ୍ରାତଃସ୍ମରଣୀୟ ବୋଲି କହିଛନ୍ତି । କାର୍ଯ୍ୟକ୍ରମକୁ ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭାଗର ଅନୁଶାସନ ସଚିବ ସୁଶ୍ରୀ ମୌସୁମୀ ଦାସ ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ବୈଷୟିକ ଶ୍ରୀ ଗୁରୁବୀର ସିଂ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ସହକାରୀ ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ବୀରାଜ ପାଣି, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଶ୍ବଜିତ ଦାଶ ଓ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ କର୍ମଚାରୀଙ୍କ ସମେତ ପ୍ରମୁଖ ବୁଦ୍ଧିଜୀବୀ ସଭାରେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking