ମୁମ୍ବାଇ: ନିକଟରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ସ୍ଥାନ ନେଇଛନ୍ତି ତାଙ୍କ ପତ୍ନୀ ସୁନେତ୍ରା ପୱାର। ସ୍ୱାମୀଙ୍କ ଦେହାନ୍ତର ୩ ଦିନ ପରେ ସୁନେତ୍ରା ଶନିବାର ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ଲୋକଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁନେତ୍ରାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ସମସ୍ତ ବରିଷ୍ଠ ଏନ୍ସିପି ଏବଂ ବିଜେପି ନେତା ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ତେବେ ଶପଥ ନେବା ପରେ ସୁନେତ୍ରା ବନି ଯାଇଛନ୍ତି ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ। ତାଙ୍କ ପୂର୍ବରୁ ମହାରାଷ୍ଟ୍ର କେବେ ହେଲେ ମହିଳା ଉପ ମୁଖ୍ୟମନ୍ତ୍ରୀ ଦେଖି ନଥିଲା। ଆଜି ଲୋକଭବନରେ ସୁନେତ୍ରା ପହଞ୍ଚିବା ପୂର୍ବରୁ ଏନସିପିର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ସୁନେତ୍ରା ବିଧାୟକ ଦଳ ନେତ୍ରୀ ଭାବେ ନିର୍ବାଚିତ ହୋଇଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିମନ୍ତ୍ରଣ କରିଥିଲେ। ଅପରାହ୍ଣ ୫ଟାରେ ଶପଥ ପାଠ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଏହାର ଠିକ୍ ପୂର୍ବରୁ ସୁନେତ୍ରା ଲୋକଭବନରେ ପହଞ୍ଚି ପ୍ରଥମେ ଅଜିତ ପୱାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଅଜିତ ପୱାର ଅମର ରହେ ନାରା ମଧ୍ୟରେ ସେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସୁନେତ୍ରା ପୱାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ମୋଦୀ କହିଛନ୍ତି, “ମହାରାଷ୍ଟରର ଉପମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିବା ପାଇଁ ସୁନେତ୍ରା ପୱାର ଜୀଙ୍କୁ ଅଭିନନ୍ଦନ, ଏହି ପଦବୀରେ ଥିବା ପ୍ରଥମ ମହିଳା। ମୁଁ ନିଶ୍ଚିତ ଯେ ସେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଅକ୍ଳାନ୍ତ ଭାବରେ କାମ କରିବେ ଏବଂ ସ୍ୱର୍ଗତ ଅଜିତଦାଦା ପୱାରଙ୍କ ଦୃଷ୍ଟିକୋଣକୁ ପୂରଣ କରିବେ।’










