ଅନୁଗୁଳ: ତାଳଚେର ଅଞ୍ଚଳର ଯୋଗାଯୋଗ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ତାଳଚେର-ଅନୁଗୁଳ ରୋଡରେ ନିର୍ମିତ ବହୁପ୍ରତୀକ୍ଷିତ ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କରିଛନ୍ତି।ପ୍ରାୟ ୪୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଫ୍ଲାଏଓଭର ଅଞ୍ଚଳବାସୀଙ୍କ ଦୀର୍ଘଦିନର ଟ୍ରାଫିକ୍ ସମସ୍ୟାର ସମାଧାନ କରିବା ସହ ବିକାଶର ଗତିକୁ ତ୍ୱରାନ୍ୱିତ କରିବ।ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର-ଅନୁଗୋଳ ରୋଡ ହେଉଛି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ମେରୁଦଣ୍ଡ । ଏହି ରୋଡ୍ କୋଇଲା ଖଣି, ଶିଳ୍ପାଞ୍ଚଳ, ଶିକ୍ଷାନୁଷ୍ଠାନ ଏବଂ ମେଡିକାଲକୁ ସଂଯୋଗ କରିଛି।ପୂର୍ବରୁ ହାଣ୍ଡିଧୁଆ ନିକଟରେ ରେଳ ଫାଟକ ଯୋଗୁଁ ଲୋକଙ୍କୁ ୪୫ ମିନିଟ୍ରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। ମାଲ୍ବାହୀ ଟ୍ରେନ୍ର ଅଧିକ ଯାତାୟାତ ଯୋଗୁଁ ଏହି ଫାଟକ ପ୍ରାୟତଃ ବନ୍ଦ ରହୁଥିଲା, ଫଳରେ ଅଧିକ ସମୟ ଧରି ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଥିଲା।ପ୍ରାୟ ୪୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଫ୍ଲାଏଓଭର ମାଧ୍ୟମରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟା ଓ ପ୍ରତୀକ୍ଷାର ଅନ୍ତ ଘଟିଛି।ଏବେ ଏହି ଓଭର ବ୍ରିଜ୍ ଫଳରେ ଯାତ୍ରା ସହଜ ଓ ସୁରକ୍ଷିତ ହୋଇଛି।ତାଳଚେର ସବ୍-ଡିଭିଜନର ୮ଟି ଗ୍ରାମ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ଅଞ୍ଚଳର ପ୍ରାୟ ୪୦ ହଜାରରୁ ଅଧିକ ଜନସାଧାରଣ ଏହାଦ୍ୱାରା ଉପକୃତ ହେବେ।ଘଣ୍ଟପଡ଼ା, ହାଣ୍ଡିଧୂଆ,ତାଳଚେର ଟାଉନ୍, ନାଲ୍କୋ,କୁଲାଡ,ଡେରା, ବଳରାମପ୍ରସାଦ ଓ ଜଗନ୍ନାଥପୁର ଭଳି ଅଞ୍ଚଳର ବାସିନ୍ଦା,ବିଶେଷ କରି ଶ୍ରମିକ, ଛାତ୍ରଛାତ୍ରୀ ଓ ରୋଗୀମାନେ ନିରନ୍ତର ଯାତାୟାତର ସୁବିଧା ପାଇବେ।
ଏହି ଓଭର ବ୍ରିଜ୍ କେବଳ ଦୂରତା କମାଇବ ନାହିଁ,ବରଂ ଅଞ୍ଚଳର ଆର୍ଥିକ ବିକାଶକୁ ନୂତନ ଗତି ପ୍ରଦାନ କରିବ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ,ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶା ବିକାଶର ‘ଡବଲ ଇଞ୍ଜିନ’ସରକାର କାର୍ଯ୍ୟ କରୁଛି।ତାଳଚେର ଓ ଅନୁଗୁଳ ହେଉଛି ଓଡ଼ିଶାର ‘ଅଭିବୃଦ୍ଧି ଇଞ୍ଜିନ’।ଏହି ଅଞ୍ଚଳର ବିକାଶ ହେଲେ ହିଁ ଓଡ଼ିଶା ଓ ଦେଶର ବିକାଶ ସମ୍ଭବ ହେବ।ସେ ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ,ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ,କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି.କିଷାନ ରେଡ୍ଡୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇବା ସହ ଅଞ୍ଚଳର ସମୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।ଘଣ୍ଟପଡା ଓଭର ବ୍ରିଜ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ପାଲଲହଡା ବିଧାୟକ ଅଶୋକ ମହାନ୍ତି,ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆର ସି ସି ଏଫ ସଞ୍ଜୟ କୁମାର ସ୍ୱାଇଁ, ଉପ ଜିଲ୍ଲାପାଳ ସମୀର କୁମାର ଜେନା,ଏମସିଏଲର ସିଏମଡି ଉଦୟ ଏ କୋଏଲ,ଡିପି ଏମସିଏଲ କେଶବ ରାଓ, ନଗରପାଳ ପବିତ୍ର ଭୁତିଆ, ସରପଞ୍ଚ ସସ୍ମିତା ବିଶ୍ୱାଳ, ନୋଡାଲ ଜିଏମ ଅଶୋକ କୁମାର ଧଳ,ସ୍ଥାନୀୟ ଜନପ୍ରତିନିଧି,ସରକାରୀ ଓ ଏମସିଏଲ ଅଧିକାରୀ,ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।










