ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଡୋଡୋ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଯବାନ ସହିଦକୁ ନେଇ ଶୋକ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ। ଏକ୍ସ ପୋଷ୍ଟ ମାଧ୍ୟମରେ ତାଙ୍କ ସମବେଦନା ଜଣାଇ ସିଂହ କହିଛନ୍ତି ଯେ ଆହତ ସୈନିକମାନଙ୍କୁ ଚିକିତ୍ସା ଦିଆଯାଉଛି ଏବଂ ସର୍ବୋତ୍ତମ ଯତ୍ନ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। “ଡୋଡାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆମେ ଗଭୀର ଭାବରେ ମର୍ମାହତ, ଯେଉଁଥିରେ ଆମେ ଭାରତୀୟ ସେନାର ୧୦ ଜଣ ସାହସୀ ସୈନିକଙ୍କୁ ହରାଇଲୁ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଆହତ ସୈନିକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି, ଏବଂ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ଏହି କଷ୍ଟକର ସମୟରେ ଦେଶ ଆମର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାର ସହିତ ଠିଆ ହୋଇଛି,” ସିଂହ ଲେଖିଛନ୍ତି। ସୂଚନାଯୋଗ୍ୟ, ଆଜି ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାରେ ସେନା ଗାଡି ୨୦୦ ଫୁଟ ଗଭୀର ଖାଇକୁ ଖସି ପଡିବାରୁ ୧୦ ଜଣ ଯବାନ ସହିଦ ହୋଇଥିବା ବେଳେ ୭ ଆହତ ହୋଇଥିଲେ ।










