ଭୁବନେଶ୍ୱର: ଭୁବନେଶ୍ୱର ୧ ନମ୍ବର ମାର୍କେଟ ଅନୁଧ୍ୟାନ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ନିଆଁ ଲାଗିବା ପାଇଁ ବ୍ୟବସାୟୀଙ୍କୁ ଦାୟୀ କଲେ ମେୟର । ଅଧିକ ପ୍ଲାଷ୍ଟିକ ବ୍ୟବହାର କରିବାରୁ ବାରମ୍ବାର ନିଆଁ ଲାଗୁଥିବା କହିଲେ ମେୟର । ଦୋକାନୀଙ୍କୁ ବାରମ୍ବାର ସଚେତନ କରାଯାଉଥିବା ସତ୍ତ୍ୱେ ଶୁଣୁନଥିଲେ । ବାରମ୍ବାର ଜବରଦଖଲ ଉଚ୍ଛେଦ କରୁଥିଲେ ମାନୁନଥିଲେ କିଛି ବ୍ୟବସାୟୀ । ଏନଫୋର୍ସମେଣ୍ଟ ସ୍କ୍ୱାଡ ମଧ୍ୟ ବାରମ୍ବାର ସଚେତନ କରୁଥିଲେ । ଦୋକାନୀମାନେ ଏସଓପି ପାଳନ କରୁନଥିବା କହିଲେ ମେୟର । ସୂଚନାଥାଉକି, ଗତକାଲି ୟୁନିଟ -୧ମାର୍କେଟରେ ନିଆଁ ଲାଗି ପ୍ରାୟ ୨୫ରୁ ଅଧିକ ଦୋକାନ ଜଳିଯାଇଛି । ବିଳମ୍ବିତ ରାତି ପାଖାପାଖି ଗୋଟାଏ ରେ ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ- ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ଚାହୁଁଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । କେହି କିଛି ବୁଝିବା ଆଗରୁ ନିଆଁର କରାଳ ଆଁରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା। ପାଖାପାଖି ୨୫ଟି ଦୋକାନ ଏହି ନିଆଁରେ ଜଳିଯାଇଛି। ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍ ଷ୍ଟ୍ରାଇକ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ।










