21.1 C
Bhubaneswar
Monday, February 2, 2026
Homeଓଡିଶାଦିଅଁ ଦର୍ଶନରୁ ବର୍ଷର ପ୍ରଥମ ଦିନ ଆରମ୍ଭ; ଶ୍ରୀକ୍ଷେତ୍ରରେ ଜନସମୁଦ୍ର

ଦିଅଁ ଦର୍ଶନରୁ ବର୍ଷର ପ୍ରଥମ ଦିନ ଆରମ୍ଭ; ଶ୍ରୀକ୍ଷେତ୍ରରେ ଜନସମୁଦ୍ର

ପୁରୀ: ନୂଆ ଆଶା, ନୂଆ ସମ୍ଭାବନା। ପୁଣି ନୂଆବର୍ଷ ଆରମ୍ଭରୁ ଭାବଭକ୍ତିରେ ଜଡ଼ସଡ଼ ହୋଇ ଶ୍ରୀକ୍ଷେତ୍ରରେ ଜଗା ଦର୍ଶନରେ ମନ। ସେଇଥିପାଇଁ ତ କାଳିଆ ଦୂଆରେ ରାତିରୁ ଲାଗିଥିବା ଭିଡ଼ ସିନ୍ଦୁରା ଫାଟୁ ଫାଟୁ ଆହୁରି ବଢିଥିଲା। ଘନ କୁହୁଡ଼ି ଘେରା ଆକାଶରୁ ନୀଳଚକ୍ର ପଛପଟେ ବର୍ଷର ପହିଲି ସୂର୍ଯ୍ୟ ଉଙ୍କିମାରିବା ସହ ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା। କିଏ ବଡ଼ଦାଣ୍ଡରୁ ଭୁଜ ଟେକି ନିଜକୁ ସମର୍ପି ଦେଉଥିଲା, କିଏ ସୁରୁଖୁରୁରେ ଜଗାଦର୍ଶନ କରି କୃତ୍ୟ କୃତ୍ୟ ହୋଇ ପଡୁଥିଲା, ପୁଣି ଆଉ କିଏ ଚକା ଆଖି ସହ ଆଖି ମିଶିଛି ମାନେ ବର୍ଷଟା ଯାକ ଭଲରେ କଟିବା ବିଶ୍ୱାସ ସହ ଖୁସିରେ ଫାଟି ପଡୁଥିଲା।

ବର୍ଷର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ତାଙ୍କ ଆଶୀର୍ବାଦ ନେବାକୁ ଶ୍ରୀକ୍ଷେତ୍ରରେ ଗୁରୁବାର ସୃଷ୍ଟି ହୋଇଥିଲା ଜନସମୁଦ୍ର। ବଡ଼ଦାଣ୍ଡର ଯୁଆଡ଼େ ଦେଖିଲେ କେବଳ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ବୁଧବାର ରାତିରୁ ଗୁରୁବାର ଦିନ ତମାମ ଭକ୍ତଙ୍କ ଗହଳିରେ ଉଛୁଳି ପଡୁଥିଲା ବଡ଼ଦାଣ୍ଡ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୭୦ରୁ ଊର୍ଦ୍ଧ୍ୱ ପ୍ଲାଟୁନ ପୁଲିସ ଫୋର୍ସ ସହ ଦକ୍ଷ ଅଧିକାରୀମାନେ ମୁତୟନ ହୋଇଥିଲେ। ବର୍ଷର ପ୍ରଥମ ଦିନରେ ମହୋଦଧିରେ ସୂର୍ଯ୍ୟୋଦୟ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ତାଙ୍କ ଆଶିଷ ନେବା ପାଇଁ ପୁରୀକୁ ଛୁଟିଥିଲା ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ। ଗତକାଲି ରାତି ୧ଟା ୫୫ମିନିଟ ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ଫିଟିବା ପରେ ନୀତି କାନ୍ତି ସହ ଆରମ୍ଭ ହୋଇଥିଲା ଦର୍ଶନ। ନାୟକ ପ୍ଲାଜା ଛକ ଠାରୁ ହୋଇଥିବା ବ୍ୟାରିକେଡ ଦେଇ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ। ନାୟକ ପ୍ଲାଜା ଛକ ଠାରୁ ଦୀର୍ଘ ସମୟ ବ୍ୟାରିକେଡ୍‌ରେ ଅପେକ୍ଷା କରିଥିବା ଭକ୍ତ ଶ୍ରଦ୍ଧାଳୁଙ୍କୁ ଦଫା ଦଫାରେ ଶ୍ରୀମନ୍ଦିରକୁ ଛଡ଼ାଯାଇଥିଲା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଦୀର୍ଘ ଏକ କି.ମି ବ୍ୟାପୀ ବ୍ୟାରିକେଡ୍‌ରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଗତକାଲି ପର୍ଯ୍ୟଟନ ସହର ପୁରୀର ସମସ୍ତ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ ପରେ ରାତ୍ରରେ ସମସ୍ତେ ଶ୍ରୀମନ୍ଦିର ମୁହାଁ ହୋଇଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ତ୍ୱରାନ୍ୱିତ ହୋଇ ରାତିରେ ଦ୍ୱାର ଫିଟିବା ପରେ ଆରମ୍ଭ ହୋଇଥିଲା ଦର୍ଶନ। ହଜାର ହଜାର ପର୍ଯ୍ୟଟକ ମହୋଦଧିରେ ପ୍ରଥମ ସୂର୍ଯୋଦୟ ଦର୍ଶନ କରିବା ପରେ ସମୁଦ୍ର ସ୍ନାନ କରିଥିଲେ।

ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜନ ଗହଳି ନିୟନ୍ତ୍ରଣ, ଭକ୍ତଙ୍କ ବିଶ୍ରାମ, ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ ସହ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୩ଜଣ ଅତିରିକ୍ତ ଏସପି, ୪୩ ଜଣ ଡିଏସ୍‌ପି, ୮୭ ଜଣ ଇନ୍ସପେକ୍ଟର , ୩୩୦ କନଷ୍ଟେବଳ, ହୋମଗାର୍ଡ, ଲାଇଫଗାର୍ଡ ଓ ଓଡ୍ରାଫ ଟିମ ସହ ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେପଟେ ଶ୍ରୀମନ୍ଦିର ଭିତରେ୧୫୨ଟି ସିସିଟିଭି କ୍ୟାମେରା ଓ ବାହାରେ୧୯୨ ସିସିଟିଭି କ୍ୟାମେରାକୁ ସ୍ଥାପନ କରାଯାଇଥିଲା। ଏଥିସହ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଅନ୍ୟପକ୍ଷରେ କେବଳ ଶ୍ରୀମନ୍ଦିର ନୁହେଁ, ଠାକୁର ଦେବଦେବୀ ଦର୍ଶନରୁ ନୂଆବର୍ଷ ଆରମ୍ଭର ଇଚ୍ଛାରୁ ରାଜ୍ୟର ସବୁ ମନ୍ଦିରରେ ବି ଥିଲା ଅସମ୍ଭବ ଗହଳି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ହେଉ ଅବା ସମ୍ବଲପୁରର ସମଲେଶ୍ୱରୀ, କଟକର ମା’ କଟକ ଚଣ୍ଡୀ, ଘଟଗାଁର ମା ତାରିଣୀ ହୁଅନ୍ତୁ କି ଝଙ୍କଡ଼ର ଶାରଳା, କେନ୍ଦ୍ରାପଡ଼ା ବଳଦେବଜୀଉ, ଯାଜପୁରର ମା ବିରଜା। ଦେବଦେବୀଙ୍କ ଦର୍ଶନ ପାଇଁ ସବୁ ମନ୍ଦିରରେ ଦିନ ତମାମ ଭିଡ଼ ଲାଗି ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking