19.1 C
Bhubaneswar
Monday, December 29, 2025
Homeଓଡିଶାନନ୍ଦନକାନନର ୬୬ତମ ପ୍ରତିଷ୍ଠା ଦିବସ; ହେବ ବିଶ୍ୱସ୍ତରୀୟ, ଖର୍ଚ୍ଚ ହେବ ୧୨୦ କୋଟି

ନନ୍ଦନକାନନର ୬୬ତମ ପ୍ରତିଷ୍ଠା ଦିବସ; ହେବ ବିଶ୍ୱସ୍ତରୀୟ, ଖର୍ଚ୍ଚ ହେବ ୧୨୦ କୋଟି

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ହେବ ବିଶ୍ୱସ୍ତରୀୟ। ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା। ବର୍ଷକ ମଧ୍ୟରେ ବିକଶିତ ହେବ ଭିତ୍ତିଭୂମି ଓ ଆନୁସାଙ୍ଗିକ ବ୍ୟବସ୍ଥା। ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଗଣ୍ଡା, ଚିତା, ବିଦେଶୀ ମାଙ୍କଡ଼ ସହ ନୂଆ ବ୍ୟବସ୍ଥା କରାଯିବ। ୬୪ତମ ପ୍ରତିଷ୍ଠା ଦିବସରେ ଏଭଳି ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସୋମବାର ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁଁ ବନ୍ଦ ଥିବାରୁ ସ୍ଥାନୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ କର୍ମଚାରୀ ଏବଂ ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ ପୂର୍ବାହ୍ଣରେ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ଲନ୍‌ରେ ଅନୁଷ୍ଠିତ ସଭାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ସଭା ପୂର୍ବରୁ ନବନିର୍ମିତ ଉତ୍ତର-ପୂର୍ବ ଦୃଶ୍ୟପଟ୍ଟ ପାନୋରମା ୧୦ ଖୁଆଡ ସମେତ ପାଣିଓଧ, ଶାଳିଆପତାନି, ଡାଳିଓଧ, ଦେଶୀଭାଲୁ, ଗାଡଭାଲୁ, ସରୀସୃପ ସଂଙ୍ଗରୋଧ ଗୃହ, ଛୋଟବିରାଡ଼ି, ତୃଣଭୋଜି ସଙ୍ଗରୋଧ କକ୍ଷ, ଜଳଫୁଆରା(ଫାଉଣ୍ଟେନ)ଛକ ସୈାନ୍ଦର୍ଯ୍ୟକରଣ ସହିତ ଷ୍ଟିଲ ହାତୀ ଓ ଉଦ୍ୟାନ କୃଷି ବିଭାଗକୁ ଉଦ୍‌ଘାଟନ କରି ସେମାନଙ୍କୁ ଖୁଆଡ଼ରେ ଛଡ଼ାଯାଇଥିଲା। ନନ୍ଦନକାନନରେ ଜନ୍ମ ହୋଇଥିବା ବାଘ, ସିଂହ, ସିମ୍ପାଜି ଆଦିଙ୍କ ଶାବକଙ୍କ ନାମକରଣ ମନ୍ତ୍ରୀ ଘୋଷଣା କରିଥିଲେ। ଏଥିମଧ୍ୟରୁ ବାଘୁଣୀ ଅଙ୍କିତାର ଶାବକର ନାମ କାହ୍ନା, ବାଘୁଣୀ ରୁପାର ୨ଶାବକ ନାମ ଅରୁଣ, ଅର୍ଜୁନ, ବାଘୁଣୀ ମୈାସୁମୀ ଶାବକର ନାମ ଅନନ୍ୟା, ସିଂହୀ ରେୱା ୨ଶାବକ ନାମ ରକି, ଲକି ଏବଂ ସିମ୍ପାଜି ରାକ୍ଷୀ ଶାବକ ନାମ ପୁଷ୍ପା ଓ ସିମ୍ପାଜି ଦୁର୍ଗା ଶାବକର ନାମ ସୁରଜକୁ ମନ୍ତ୍ରୀ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ୧୨୦କୋଟି ଟଙ୍କାରେ କାଞ୍ଜିଆ ହ୍ରଦରୁ ବର୍ଷା ପାଣି ନିଷ୍କାସନ ପାଇଁଁ ଡ୍ରେନ ନିର୍ମାଣ ସହ ନୂତନ ଖୁଆଡ଼ ନିର୍ମାଣ ଓ ପୁରୁଣା ଖୁଆଡ଼ ନବୀକରଣ କରାଯିବ। ଖୁବ୍‌ଶ୍ରୀଘ୍ର ପ୍ରାଣୀ ଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଓ କ୍ରୟକରି ଦେଶ ବିଦେଶରୁ ଚିତା, ଗଣ୍ଡା,ଗୋଲଡେନ୍ ମାଙ୍କଡ, ଚଷମା ମାଙ୍କଡ ପରି ଅନେକ ଜୀବଜନ୍ତୁ ଓ ନନ୍ଦନକାନନରୁ ସାଥୀ ବିନା ବଂଶ ଲୋପ ପାଉଥିବା ଜିରାଫ୍ ଆଦି ଜୀବଜନ୍ତୁ ଆଣିବା ପାଇଁ ଯୋଜନା ଚାଲିଛି। ତାସହିତ ନନ୍ଦନକାନନରୁ ଅବସର ନେଉଥିବା ଅଧିକାରୀ ଓ କର୍ମଚାରୀଙ୍କ ଉଦେଶ୍ୟରେ ସ୍ମୃତି ରଖିବାକୁ କହିଥିଲେ। ଏହି ଅବସରରେ ନନ୍ଦନକାନନ ପକ୍ଷରୁ ନନ୍ଦନକାନନ ଉପରେ କ୍ଷୁଦ୍ର ଚଳଚିତ୍ର ଓ ନନ୍ଦନକାନନ ଶିକ୍ଷାବିଭାଗ ପକ୍ଷରୁ ମୁକ୍ତାକାଶ ପାଠଶାଳ ଉପରେ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା।

ସମ୍ମାନୀତ ଅତିଥିଭାବେ ଭୁବନେଶ୍ୱର ଉତ୍ତର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ବନବାହାନୀ ମୁଖ୍ୟ ସୁରେଶ ପନ୍ତ, ପ୍ରଧାନ ବନ ସଂରକ୍ଷକ (ବନ୍ୟପ୍ରାଣୀ)ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ(ପିସିସିଏଫ୍‌) ସୁଶାନ୍ତ ନନ୍ଦ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରେମ କୁମାର ଝା ଯୋଗଦେଇ ନନ୍ଦନକାନନକୁ ଅଧିକ ସୌନ୍ଦର୍ଯ୍ୟକରଣ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ। ତା ସହିତ ନନ୍ଦନକାନନ ନିର୍ଦ୍ଦେଶକ ଓ ଉପ ନିର୍ଦ୍ଦେଶକଙ୍କ ସୁପରିଚାଳନା ପାଇଁ ଉଚ୍ଚପ୍ରଶଂସା କରିଥିଲେ। ଏହି ଅବସରରେ ନନ୍ଦନକାନନ ପ୍ରତିଷ୍ଠା ପଛରେ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା। ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପନିର୍ଦ୍ଦେଶକ ସନଥ୍ କୁମାର ନାରାୟଣ ଅତିଥି ପରିଚୟ ଓ ବିବରଣୀ ପାଠ କରିଥିଲେ । ଉତ୍ସବରେ ନନ୍ଦନକାନନ ବାର୍ଷିକ ପୁସ୍ତିକା, କ୍ୟାଲେଣ୍ଡର, ଶିକ୍ଷାମୂଳକ ପୁସ୍ତିକା, ରାଜ୍ୟ ଉଭିଦଉଦ୍ୟାନ ପୁସ୍ତିକା ସହିତ ନନ୍ଦନକାନନ ହାଇଲାଇଟ୍ – ୨୦୨୫ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବନପାଳ, ବନରକ୍ଷୀ, ଜନ୍ତୁ ରକ୍ଷକ, ନିରାପତ୍ତା ସମେତ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ମାନପତ୍ର ଓ ଆର୍ôଥକ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ପୂର୍ବତନ ଜିଲ୍ଲାପରିଷଦ କୁନାଲ ରାଉତ, ନନ୍ଦନକାନନର ପୂର୍ବତନ ନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟ, ପୂର୍ବତନ ଏସିଏଫ୍ କମଳଲୋଚନ ପୁରୋହିତ, ପୂର୍ବତନ ବନାଞ୍ଚଳ(ରେଞ୍ଜର) ମନୋରଞ୍ଜନ ପଟ୍ଟନାୟକଙ୍କ ସହିତ ବହୁ ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ, ସ୍ଥାନୀୟ ଲୋକପ୍ରତିନିଧି ଉପସ୍ଥିତଥିଲେ। ଉତ୍ସବ ପରିଚାଳନାରେ ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ସହକାରୀ ବନସଂରକ୍ଷକ(ଏସିଏଫ୍‌) ମନସ୍ମିତା ମହାରଣା, ଜନ୍ତୁ ଏସିଏଫ୍ ନୂତନ ହେମ୍ବ୍ରମ୍‌, ଶିକ୍ଷାଅଧିକାରୀ ମିଳନ ପଣ୍ଡା, ବନାଞ୍ଚଳ(ରେଞ୍ଜର) ରଞ୍ଜିତା ସାହୁ, ଖେଳପ୍ରିୟ ସାହୁ, ଭଗବାନ ବିଶୋଇଙ୍କ ସମେତ ରାଜ୍ୟ ଉଭିଦ ଉଦ୍ୟାନ ସହକାରୀ ବନସଂରକ୍ଷକ(ଏସିଏଫ୍‌) କ୍ଷୀରାବ୍ଧି ପ୍ରଧାନ, ବନାଞ୍ଚଳ(ରେଞ୍ଜର) ମିନାକ୍ଷୀ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ତେବେ ନନ୍ଦନକାନନ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରିତ ଅତିଥିଭାବେ ଜଟଣୀ ଓ ଭୁବନେଶ୍ୱର ଉତ୍ତର ବିଧାୟକ ନନ୍ଦନକାନନ ଆସିଥିଲେ। କିନ୍ତୁ ଉଦଘାଟନ କାର୍ଯ୍ୟରେ ଯୋଗଦେଇଥିଲେ ହେଁ ସଭାକାର୍ଯ୍ୟରେ ଯୋଗ ନ ଦେଇନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking