ଭୁବନେଶ୍ୱର: ଜାତୀୟ ପେସା ମହୋତ୍ସବ ୨୦୨୫ରେ ଆମ ରାଜ୍ୟ ଓଡ଼ିଶା ନିଜର ସୁଦୃଢ଼ ଉପସ୍ଥିତି, ସାଂସ୍କୃତିକ ମହନୀୟତା ଓ କ୍ରୀଡ଼ାକୌଶଳର ବିଶେଷ ପରାକାଷ୍ଠା ପ୍ରଦର୍ଶନ କରିଅଛି | ଏହି ମହୋତ୍ସବରେ ଓଡ଼ିଶାର ୭ଟି ଜିଲ୍ଲାରୁ ମୋଟ ୧୦୮ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ରାଜ୍ୟର ଗୌରବ ଓ ଶ୍ରୀ ବୃଦ୍ଧି କରିଅଛନ୍ତି | କ୍ରୀଡା ପ୍ରତିଯୋଗିତାରେ ଓଡ଼ିଶାର ଖେଳାଳୀମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରୁଷ କବାଡ଼ିରେ ରୌପ୍ୟ ପଦକ, ମହିଳା କବାଡ଼ିରେ କାନ୍ସ୍ୟ ପଦକ ତଥା ମହିଳା ତୀରନ୍ଦାଜରେ କାନ୍ସ୍ୟ ପଦକ ହାସଲ କରି ରାଜ୍ୟକୁ ରାଷ୍ଟ୍ରୀୟ ମଞ୍ଚରେ ଗୌରବନ୍ଵିତ କରିଛନ୍ତି। ଏହି ସଫଳତା ଓଡ଼ିଶାର ଗ୍ରାମୀଣ ଜନଜାତି ବର୍ଗର ଯୁବପ୍ରତିଭାଙ୍କ ନିପୁଣତା, ଅନୁଶାସନ ଓ ସାମୂହିକ ଶକ୍ତିର ଦୃଢ଼ ପ୍ରମାଣ ଦେଇଛି। ପେସା ମହୋତ୍ସବରେ ଓଡ଼ିଶାର ଡଙ୍ଗରିଆ କନ୍ଧ ଓ ବଣ୍ଡା ଜନଜାତିଙ୍କ ହସ୍ତଶିଳ୍ପ ଷ୍ଟଲ୍ ଆଗନ୍ତୁକ ମାନଙ୍କ ପାଇଁ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହା ସହିତ ମୟୁରଭଞ୍ଜର ପୀତଳ (ବ୍ରାସ୍) ଶିଳ୍ପ ଷ୍ଟଲ୍ ନିଜର କଳାତ୍ମକ ଉତ୍କୃଷ୍ଟତା ପାଇଁ ସଭିଙ୍କ ମନ ମୋହିଥିଲା | ସେହିପରି ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ପାରମ୍ପରିକ ଖାଦ୍ୟ ଷ୍ଟଲ ଗୁଡ଼ିକୁ ବେଶ ଭଲ ବ୍ୟବସାୟିକ ସଫଳତା ମିଳିଛି ଏବଂ ଆଗନ୍ତୁକମାନେ ଓଡ଼ିଶାର ପାରମ୍ପରିକ ସ୍ୱାଦର ପ୍ରଚୁର ପ୍ରଶଂସା କରିଛନ୍ତି।
ଏହା ସହିତ ମୟୂରଭଞ୍ଜରୁ ଆସିଥିବା ପ୍ରତିଯୋଗୀମାନେ ପାରମ୍ପରିକ ଡେମୋ ଖେଳ ‘ଚକି ଖେଳ’ର ଜୀବନ୍ତ ପ୍ରଦର୍ଶନ କରି ନିଜର ଅନ୍ତର୍ନିହିତ ପ୍ରତିଭା ଓ ଲୋକ ପରମ୍ପରାର ସମୃଦ୍ଧ ଇତିହାସକୁ ରାଷ୍ଟ୍ରୀୟ ମଞ୍ଚରେ ଉପସ୍ଥାପନ କରିଛନ୍ତି। ମହୋତ୍ସବ ସମୟରେ ଓଡ଼ିଶାର ୧୦ ଜଣ ସରପଞ୍ଚ ଆନ୍ଧ୍ରପ୍ରଦେଶର ଆରାକୁ ଭ୍ୟାଲିରେ ଥିବା ବିଭିନ୍ନ ଗ୍ରାମପଞ୍ଚାୟତରେ ଆୟୋଜିତ ଛାୟା ଗ୍ରାମସଭାରେ ଅଂଶଗ୍ରହଣ କରିଥିଲେ । ଏହି ଗ୍ରାମସଭାରେ ସେମାନେ ପଞ୍ଚାୟତ ସ୍ତରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତା’ ନିରାକରଣ ଉପରେ ସାରଗର୍ଭକ ଆଲୋଚନା କରିଥିଲେ | ମହୋତ୍ସବର ଉଦଯାପନୀ ସମାରୋହରେ କୋରାପୁଟ ଜିଲ୍ଲାର ଭତ୍ରା ସମ୍ପ୍ରଦାୟର ଢେମସା ନୃତ୍ୟ ଓ ପାରମ୍ପରିକ ବାଦ୍ୟ ସଙ୍ଗୀତର ତାଳେ ତାଳେ ମଞ୍ଚକୁ ଦୁଲୁକାଇ ଦେଇଥିଲା । ସେମାନଙ୍କ ପ୍ରସ୍ତୁତି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଆୟୋଜନକୁ ଏକ ନୂତନ ସାଂସ୍କୃତିକ ଉଚ୍ଚତା ପ୍ରଦାନ କରିଥିଲା । ମୋଟାମୋଟି ଭାବେ ଡିସେମ୍ବର ୨୨, ୨୩ ଓ ୨୪ରେ ଆୟୋଜିତ ଏହି ମହୋତ୍ସବରେ ପଦକର ଚମକ, ଲୋକକଳାର ଗୁଞ୍ଜନ ଓ ଆଦିବାସୀ ସଂସ୍କୃତିର ଜୀବନ୍ତତାର ଉଚ୍ଚିତ ପ୍ରଦର୍ଶନ ହୋଇପାରିଛି । ଏହି ବିଶେଷ ସଫଳତାରେ ଆନନ୍ଦିତ ହୋଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଦେବା ସହ ଏହି ଉପଲବ୍ଧିକୁ ଆମ ରାଜ୍ୟ ଓଡ଼ିଶା ଜନଜାତି ସମ୍ପ୍ରଦାୟ ଗୁଡ଼ିକର ଶକ୍ତି ଓ ପରାକାଷ୍ଠା ପ୍ରତିପାଦନ ଦିଗରେ ଏକ ମାଇଲ୍ ଖୁଣ୍ଟ ବୋଲି କହିଛନ୍ତି ।










