ନୂଆଦିଲ୍ଲୀ: ବାଂଲାଦେଶର ମୈମନସିଂ ପ୍ରାନ୍ତରେ ଈଶ୍ୱର ନିନ୍ଦା ଅଭିଯୋଗରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏବଂ ସେଠାରେ ଥିବା ହିନ୍ଦୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ତଥା ହିନ୍ଦୁ ପରିବାରଙ୍କ ଉପରେ ହେଉଥିବା ହିଂସା, ନିର୍ଯାତନା ଆଦି ଘଟଣାକୁ ନେଇ ଭାରତରେ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଯାଇଛି। ଭାରତର ଅନେକ ପ୍ରାନ୍ତରେ ଏବେ ବାଂଲାଦେଶ ବିରୋଧୀ ପ୍ରତିବାଦ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ଏବଂ ବଜରଙ୍ଗ ଦଳ ସମେତ ଅନେକ ପ୍ରମୁଖ ହିନ୍ଦୁ ଗୋଷ୍ଠୀ, ସଂଗଠନ ମଙ୍ଗଳବାର ଅପରାହ୍ନରେ ନୂଆଦିଲ୍ଲୀ ସ୍ଥିତ ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ବାହାରେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହେବା କାରଣରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏପରିକି ପ୍ରତିବାଦ ସମୟରେ ବିକ୍ଷୋଭକକାରୀ ବାଂଲାଦେଶ ପତାକା ଓ କୁଶପୁତ୍ତଳିକା ଦାହ କରିଥିଲେ। ପ୍ରତିବାଦ ପୂର୍ବରୁ ଦିଲ୍ଲୀ ପୁଲିସ ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା। ଏହା ସତ୍ତ୍ୱେ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଥିଲା। ତେବେ କୌଣସି ପ୍ରକାର ଅସ୍ୱାଭାବିକ ତଥା ଅପ୍ରୀତିକର ଘଟଣା ଆଶଙ୍କାରେ ବାଂଲାଦେଶ ହାଇକମିଶନ୍ଙ୍କ କାର୍ଯ୍ୟାଳୟ ପାଇଁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥାରେ ତିନି ସ୍ତରର ବ୍ୟାରିକେଡିଂ, ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଅଧିକ ବଳ ନିଯୋଜିତ ଅଛନ୍ତି।
ତେବେ ନୂଆଦିଲ୍ଲୀରେ ଘଟିଥିବା ଆଜିର ଏପ୍ରକାର ପ୍ରତିବାଦପୂର୍ଣ୍ଣ ଘଟଣାକୁ ନେଇ ବାଂଲାଦେଶ ସରକାର ନିଜ ରାଜଧାନୀ ଢ଼ାକା ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ସମନ୍ ମଧ୍ୟ କରିଥିବା ସୂଚନା ମିଳିଛି। ବାଂଲାଦେଶ ପକ୍ଷରୁ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଡକାଯାଇ ନୂଆଦିଲ୍ଲୀରେ ଥିବା ନିଜ ଦୂତାବାସ କାର୍ଯ୍ୟାଳୟର କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦର୍ଶାଯାଇଛି। ଅନ୍ୟପକ୍ଷେ ଭାରତ ପକ୍ଷରୁ ମଧ୍ୟ ଆଜି ବାଂଲାଦେଶ ଉଚ୍ଚାୟୁକ୍ତଙ୍କୁ ସମନ୍ କରାଯାଇଛି। ଏହାକୁ ମିଶାଇ ଭାରତ ଗତ ୭୨ ଘଣ୍ଟା ମଧ୍ୟରେ ବାଂଲାଦେଶ ଉଚ୍ଚାୟୁକ୍ତଙ୍କୁ ୨ଥର ସମନ୍ ଜାରି କରିଛି ଏବଂ ପ୍ରତ୍ୟେକ ଥର ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ ଅଧିକାରୀ ତଥା କର୍ମଚାରୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଛି। ତେବେ କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟ କେତେକ ରାଜ୍ୟ ଯେପରିକି ପଶ୍ଚିମବଙ୍ଗ, ଆସାମ ଏବଂ ଓଡ଼ିଶାରେ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିବାଦ ହୋଇଥିବା ସୂଚନା ମିଳିଛି।
ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ କଂଗ୍ରେସ ନେତାମାନେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ କଲକାତାରେ ବାଂଲାଦେଶ ଡେପୁଟି ହାଇକମିଶନଙ୍କ କାର୍ଯ୍ୟାଳୟ ବାହାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଆସାମର ହାଇଲାକଣ୍ଡି ପ୍ରାନ୍ତରେ ମଧ୍ୟ ଅନେକ ହିନ୍ଦୁ ଗୋଷ୍ଠୀ ବାଂଲାଦେଶରେ ଚାଲିଥିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପ୍ରତିବାଦ କରିଛନ୍ତି। ଓଡ଼ିଶାରେ ମଧ୍ୟ ଏଭଳି ପ୍ରତିବାଦର ଝଲ୍କ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ଓଡ଼ିଶାର ଜଗତସିଂପୁର ଏବଂ ଭଦ୍ରକ ଜିଲ୍ଲାରେ ଯଥାକ୍ରମେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ଏବଂ ସ୍ଥାନୀୟ ସଂଗଠନ ହିନ୍ଦୁ ସମାଜ ପକ୍ଷରୁ ରାଲି ଆୟୋଜନ କରାଯାଇଥିଲା ଏବଂ ବାଂଲାଦେଶରେ ଜଣେ ହିନ୍ଦୁ ଯୁବକଙ୍କୁ ଏପ୍ରକାର ନିର୍ମର୍ମ ହତ୍ୟା କରାଯିବା ଘଟଣାକୁ ନିନ୍ଦା କରାଯାଇଥିଲା। ପ୍ରକାଶ, ଚର୍ଚ୍ଚିତ ଛାତ୍ର ନେତା ଏବଂ ଗତବର୍ଷ ଜୁଲାଇରେ ଶେଖ୍ ହାସିନଙ୍କ ବିରୁଦ୍ଧରେ ବିଦ୍ରୋହର ଜଣେ ପ୍ରମୁଖ ଚେହେରା ସାଜିଥିବା ଶରିଫ୍ ଉସମାନ ହାଦିଙ୍କୁ ହତ୍ୟା କରାଯିବା ପରେ ପରେ ବାଂଲାଦେଶ ଅଶାନ୍ତ ହୋଇପଡିଛି। ହାଦିଙ୍କ ସମର୍ଥକ ତଥା ପ୍ରଶଂସକଙ୍କ ସହ ଅନ୍ୟ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ଏବେ ଏକଜୁଟ୍ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଭାରତ ବିରୋଧୀ ନାରାବାଜି ସହ ଏଠାରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଅମାନବୀୟ ଅତ୍ୟାଚାର ଚଳାଇଛନ୍ତି। ହିନ୍ଦୁମାନଙ୍କ ଘରଦ୍ୱାର ସମ୍ପତ୍ତି ଆଦି ପୋଡାଜଳା କରାଯିବା ସହ ସେମାନଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉନାହାନ୍ତି ବାଂଲାଦେଶୀ ପ୍ରତିବାଦକାରୀ।










