ରାଜନଗର : ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ମାଗଣାରେ ଔଷଧ, ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ପ୍ରଭୃତି ଯୋଜନା କରିଛନ୍ତି। ମେଡିକାଲରେ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଭଲ ଦରମା ପ୍ରଦାନ କରୁଛନ୍ତି। ମାତ୍ର ଡାକ୍ତରମାନେ ସରକାରୀ ମେଡିକାଲରେ ସିନା ଚାକିରି କରୁଛନ୍ତି। ସେମାନଙ୍କ ଲକ୍ଷ୍ୟ ବାହାରେ ରୋଗୀ ଦେଖି ଭଲ ଦି ‘ପଇସା ରୋଜଗାର କରି ମାଲେମାଲ ହେବା। ସ୍ୱାସ୍ଥ୍ୟସେବା ପଛେ ଚୁଲିକି ଯାଉ ଆମ ପରିବାର ସାତ ପୁରୁଷ ପାଇଁ ଧନ ରହିଥାଉ। ଏଭଳି ନ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡି ଥିବା ଅଭିଯୋଗ ହେଉଛି। ଆଉଟ ଡୋରରେ ଡାକ୍ତରମାନେ ଚିଠା ଲେଖିଲା ବେଳେ ସରକାରୀ ଔଷଧ ଆଗ ପଟରେ ଲେଖୁଥିବା ବେଳେ ବେସରକାରୀ ଔଷଧ ଚିଠାର ପଛ ପଟରେ ଲେଖିଥାନ୍ତି। ଔଷଧ ଦୋକାନୀଠାରୁ ପିସି ନେଇ ଘରକୁ ଚାଲି ଯାଇଥାନ୍ତି।
ରୋଗୀଟି ଶୋଷଣର ଶିକାର ହୋଇ ଘରକୁ ଫେରିଥାଏ। ଯାହାର ବାସ୍ତବସ୍ଥିତି ରୋଗୀମାନେ ବଖାଣିଥାନ୍ତି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ମେଡିକାଲ ଅଫିସର ଦିନକୁ ୨ ଘଣ୍ଟା ରୋଗୀ ଦେଖି କୁଆଡେ ମିଟିଙ୍ଗ ଅଛି କହି ଦିନ ୧୨ ଟା ବାଜିଲେ ଗାଡ଼ିରେ ବସି ଚାଲି ଯାଉଥିବା ଚର୍ଚ୍ଚା ହେଉଛି। ଜଣେ କର୍ମଚାରୀଙ୍କ କହିବାନୁଯାୟୀ, ସେ ସକାଳ ୭ଟାରେ ଆସି ପଟ୍ଟାମୁଣ୍ଡାଇ ବଜାରରେ ଥିବା ଏକ ଔଷଧ ଦୋକାନରେ ୮ଟା ପର୍ଯ୍ୟନ୍ତ, ଅଢାଜୋରିଠାରେ ଥିବା ଔଷଧ ଦୋକାନରେ ଦିନ ୯ ଟା ୪୦/୪୫ ମିନିଟ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଦେଖି ରୋଗୀ ପିଛା ୩ଶହ ଟଙ୍କା ଆଦାୟ କରିବା ପରେ ଦଶଟା ବେଳେ ମେଡିକାଲରେ ପହଞ୍ôଚ ଆଉଟ ଡୋରରେ ବସି ରୋଗୀ ଦେଖିଥାନ୍ତି। ମଦନପୁର କଲେଜର ଅନତିଦୂର ରାମଚଣ୍ଡୀ ଛକ ନୁରୁଗାଁରେ ଥିବା ଔଷଧ ଦୋକାନକୁ ରୋଗୀମାନେ ଆସିଲେ ସାରଙ୍କୁ ଫୋନ ଆସିଥାଏ। ଆସନ୍ତୁ ବହୁ ରୋଗୀ ଆସିଲେଣି।
ମେଡିକାଲ ଅଫିସର ରୋଗୀମାନଙ୍କୁ କୁହନ୍ତି, ମୋର ଜିଲ୍ଲାପାଳ ଅଫିସରେ ମିଟିଙ୍ଗ ଅଛି। ସିଡିଏମଓଙ୍କ ଅଫିସରେ ମିଟିଙ୍ଗ ଅଛି ଓ ସ୍ୱାସ୍ଥ୍ୟ ସଚିବ ଡାକିଛନ୍ତି। ସେଠାରେ ମିଟିଙ୍ଗ ଅଛି ବୋଲି କହି ପ୍ରତ୍ୟେକ ଦିନ ବିଭିନ୍ନ ବାହାନା କରି ଚାଲିଯାଇଥାନ୍ତି। ପଟ୍ଟାମୁଣ୍ଡାଇର ଅନ୍ୟ ଏକ ଔଷଧ ଦୋକାନରେ ଅପରାହ୍ନ ଚାରିଟାରୁ ରାତି ଦଶଟା ପର୍ଯ୍ୟନ୍ତ ରୋଗୀ ଦେଖିଥାନ୍ତି। ପ୍ରତ୍ୟେକ ଗୁରୁବାର ଦିନ ଆଳି ବ୍ଲକ ଚଣ୍ଡିଆଗଡିଠାରେ ଥିବା ଏକ ଔଷଧ ଦୋକାନରେ ଦିନ ତମାମ ରୋଗୀ( ଶିଶୁ) ଦେଖିଥାନ୍ତି। କୌଣସି ବ୍ୟକ୍ତି ଅଭିଯୋଗ କଲେ ସିଡିଏମଓଙ୍କ କାର୍ଯ୍ୟାଳୟରେ ଘଟଣାକୁ ଚାପି ଦେଇଥାନ୍ତି ବୋଲି କର୍ମଚାରୀ ଜଣକ ନାମ ଗୋପନ ସୂତ୍ରରେ ପ୍ରକାଶ କରିଛନ୍ତି। ସରକାର ଡାକ୍ତରମାନଙ୍କୁ ରୋଗୀ ସେବା କରିବାକୁ ନିଯୁକ୍ତି ଦେଇଛନ୍ତି। ମାତ୍ର ସେମାନେ କେତେ ସମୟ ମେଡିକାଲରେ ରହି ରୋଗୀସେବା କରୁଛନ୍ତି କି ନାହିଁ, ତାର ତଦାରଖ କରିବାକୁ କେହି ନାହାଁନ୍ତି। ଯାହାଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହେବା ସହ ରୋଗୀମାନେ ଅକାଳରେ ପ୍ରାଣ ହରାଉଥିବା ଅଭିଯୋଗ ହେଉଛି। ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିଥିବା ସିସିଟିଭି ପ୍ରତ୍ୟେକ ଦିନର ଚେକିଂ କରାଗଲେ ମେଡିକାଲ ଅଫିସରଙ୍କ କାର୍ଯ୍ୟକଳାପ ପଦାକୁ ଆସିବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତିରି କଥା ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।










