ସର୍ବଭାରତୀୟ ସ୍ତରରେ ବିଭିନ୍ନ ଉଚ୍ଚ ପଦପଦବୀରେ ଓଡ଼ିଆମାନଙ୍କ ପ୍ରଦର୍ଶନ ଯେପରି ପ୍ରଶଂସନୀୟ ରହେ, ସେ ନେଇ ସଂପୃକ୍ତ ବ୍ୟକ୍ତିମାନେ ସଚେତନ ରହିବା ଆବଶ୍ୟକ। ସେମାନଙ୍କର ପ୍ରଦର୍ଶନ ଓ ଦକ୍ଷତା ପ୍ରଭାବିତ ହେଲେ ଓଡ଼ିଶାର ମର୍ଯ୍ୟାଦାହାନି ହେବା ସ୍ବାଭାବିକ। କେନ୍ଦ୍ରରେ ସମ୍ମାନଜନକ ଶିକ୍ଷାମନ୍ତ୍ରୀ ପଦବିରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳରେ ଗୋଟିଏ ପରେ ଗୋଟିଏ ସ୍କାମ୍ ହେବାଫଳରେ ରାଜ୍ୟର ଭାବମୂର୍ତ୍ତି ଓ ରାଜ୍ୟବାସୀଙ୍କ ସ୍ବାଭିମାନ ଭୂଲୁଣ୍ଠିତ ହେଉଛି ବୋଲି ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି। ମଙ୍ଗଳବାର ୨୦୨୬ ନିଟ୍-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପରୀକ୍ଷା ବାତିଲ ହେବା ଓ ସରକାର ସିବିଆଇ ତଦନ୍ତ ଆଦେଶ ଦେବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଦାସ କହିଛନ୍ତି, ୨୦୨୪ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ପୁଣି ୨୦୨୬ରେ ସମାନ ପରୀକ୍ଷାରେ ଆଉଥରେ ପ୍ରଘଟ ହେବା ଅକ୍ଷମଣୀୟ ତ୍ରୁଟି। ଶ୍ରୀ ପ୍ରଧାନ ଭୁଲିଯିବା ଉଚିତ ନୁହେଁ, ଯେଉଁ ପଦବିରେ ଦିନେ ମୌଲାନା ଆଜାଦଙ୍କ ଭଳି ଉତ୍ତୁଙ୍ଗ ଯୁଗପୁରୁଷ ଥିଲେ, ଧର୍ମେନ୍ଦ୍ର ଆଜି ସେହି ପଦବିରେ ଅଛନ୍ତି। ଉକ୍ତ ପଦବିର ଗାମ୍ଭୀର୍ଯ୍ୟ ଓ ଗରିମା ରକ୍ଷା କରିବା ତାଙ୍କର ନୈତିକ ଦାୟିତ୍ବ।
ସମ୍ଭବତଃ ଓଡ଼ିଶାର ନେତୃତ୍ବକୁ ନେଇ ତାଙ୍କର ଥିବା ମହତ୍ତ୍ବାକାଂକ୍ଷା ନିମନ୍ତେ ଦେଶବାସୀଙ୍କୁ ଏପରି ବହୁମୂଲ୍ୟ ଦେବାକୁ ପଡ଼ୁଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ନିଜ ଦଳର ସାଙ୍ଗଠିନକ କାର୍ଯ୍ୟରେ ତାଙ୍କର ମାତ୍ରାଧିକ ସଂପୃକ୍ତି ଓ ବ୍ୟସ୍ତତା ପାଇଁ ନିଜ ବିଭାଗୀୟ କାର୍ଯ୍ୟ ପରିଚାଳନାକୁ ସେ ଅବହେଳା କରୁଥିବା ସ୍ପଷ୍ଟ ହେଉଛି। ଶ୍ରୀ ପ୍ରଧାନ ନିଜ କାର୍ଯ୍ୟକାଳରେ ଜାତୀୟ ଶିକ୍ଷାନୀତି ଓ ଏନ୍ସିଇଆର୍ଟି ବହିର ଗୈରୀକରଣର ଅନୁମତି ଦେଇ ବିବାଦୀୟ ହୋଇପଡ଼ିଥିବା ବେଳେ ଗୋଟିଏ ପରେ ଗୋଟିଏ ପରୀକ୍ଷା ପରିଚାଳନାରେ ଘୋଟାଲା ହେବା ଦ୍ବାରା ତାଙ୍କ ନିଜର ଓ ସର୍ବୋପରି ଓଡ଼ିଶାର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ଏଣେ ଜଣେ ଓଡ଼ିଆ ଏତେ ବଡ଼ ଦାୟିତ୍ବର ଅଛନ୍ତି ବୋଲି ରାଜ୍ୟବାସୀ ଗର୍ବ କରୁଥିବେ, ତେଣେ ସେ ଅପାରଗତାର ସବୁ ସୀମା ଟପିଯାଉଥିବେ! ଲୋକେ ଆଉ କେତେକାଳ ତାଙ୍କୁ ବରଦାସ୍ତ କରିବେ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।
ଅନ୍ୟ ପକ୍ଷରେ ଅପାରଗତା ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶ୍ରୀ ପ୍ରଧାନଙ୍କ ସହ ଏକରକମ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିବା ଲାଗୁଛି। ତାଙ୍କର ୨୩ ମାସର ଶାସନରେ ଓଡ଼ିଶାରେ ବିଭିନ୍ନ ୬ଟି ବଡ଼ ଧରଣର ପରୀକ୍ଷା ଜାଲିଆତି ଧରାପଡ଼ିଛି। ଜୁଲାଇ ୨୦୨୫ର ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଅଗଷ୍ଟରେ ପୁଣି ପରୀକ୍ଷା ଘୁଞ୍ଚାଇବା, ସେହିମାସ ଅନୁଷ୍ଠିତ ଆର୍ଆଇ, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା, ୨୦୨୫ ସେପ୍ଟେମ୍ବର ଓ ଡିସେମ୍ବରରେ ଯଥାକ୍ରମେ ପୁଲିସ ଏସ୍ଆଇ ଓ ଏଏନ୍ଏମ(ନର୍ସିଂ) ପରୀକ୍ଷାରେ ବ୍ୟାପକ ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମାଲୋଚିତ ହୋଇଆସିଛନ୍ତି। ଆହୁରି ମଧ୍ୟ, ରାଜ୍ୟରେ ଭିଡ଼ହିଂସାଜନିତ ହତ୍ୟାକାଣ୍ଡ ନିତିଦିନିଆ ହେବାଦ୍ବାରା ଗୃହ ବିଭାଗର ମୁଖ୍ୟ ଭାବେ ମଧ୍ୟ ଶ୍ରୀ ମାଝୀ ଉପହସିତ ହୋଇଛନ୍ତି।










