29.1 C
Bhubaneswar
Wednesday, May 13, 2026
Homeଓଡିଶାକେନ୍ଦୁଝରରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା

କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା

ଭୁବନେଶ୍ବର: ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି କେନ୍ଦୁଝର ଶଙ୍କରପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ୩୮ଜଣ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ବିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଏବଂ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍‌ଠାରେ ଜିଲ୍ଲାରେ ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ସାଂସଦ ଅନନ୍ତ ନାୟକ, ବିଧାୟକ ଡାକ୍ତର ଫକୀର ମୋହନ ନାଏକଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀମତୀ ପରିଡ଼ା ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିଜସ୍ୱ କୋଠା ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଏବଂ ଶୌଚାଳୟ ଭଳି ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ।

ସେହିପରି ଫେସ୍ ରେକଗ୍ନିସନ ସିଷ୍ଟମ ମାଧ୍ୟମରେ ବଣ୍ଟନ, ଶିଶୁ ପୋଷଣ ନିରୀକ୍ଷଣ ଏବଂ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ସହ ଆବେଦନଗୁଡ଼ିକର କ୍ଷେତ୍ର ଭିତ୍ତିକ ସତ୍ୟାପନର ସମୀକ୍ଷା କରାଯାଇଥିଲା। ମିଶନ ଶକ୍ତି, ସାମର୍ଥ୍ୟ, ଶକ୍ତି ସଦନ ଏବଂ ପାଳନା କ୍ରେଚ୍ ସେବା ସହ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଚାଲୁଥିବା ସଚେତନତା ଅଭିଯାନ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଚାଲୁଥିବା ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ପିଲାମାନଙ୍କର ପୁନର୍ବାସ ଓ ଶିକ୍ଷାଗତ ସହାୟତା ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଅନ୍ୟପକ୍ଷରେ, ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମା’ ତାରିଣୀ ମନ୍ଦିର, ସାନଘାଗରା, ବଡ଼ଘାଗରା ଏବଂ ଖଣ୍ଡାଧାରଠାରେ ପାର୍କିଂ, ଚାଲିବା ରାସ୍ତା, ଶୌଚାଳୟ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସ୍ଥିତି ପରଖାଯାଇଛି। ସମସ୍ତ ବିକାଶମୂଳକ କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବା ସହ ହିତାଧିକାରୀଙ୍କୁ ସଠିକ୍ ସେବା ପ୍ରଦାନ ପାଇଁ ନିୟମିତ ଅନୁଧ୍ୟାନ କରିବାକୁ ଶ୍ରୀମତୀ ପରିଡ଼ା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking