ନୂଆଦିଲ୍ଲୀ: ଆମେରିକା ପରେ ମେକ୍ସିକୋ ମଧ୍ୟ ଏବେ ଏସୀୟ ଦେଶଗୁଡ଼ିକରୁ ଆମଦାନୀ କରୁଥିବା କିଛି ଉତ୍ପାଦ ଉପରେ ୫୦% ପର୍ଯ୍ୟନ୍ତ ଟାରିଫ୍ (ଶୁଳ୍କ) ନୀତିକୁ କାର୍ଯ୍ୟକାରୀ କରିଛି। ନୂଆ ବର୍ଷ ପହିଲାରୁ ଏହାକୁ ବିଧିବଦ୍ଧ ଭାବେ ଲାଗୁ କରାଯିବ ବୋଲି ମେକ୍ସିକୋ ସରକାର ସ୍ପଷ୍ଟ କରିଛନ୍ତି। ମେକ୍ସିକୋ ସରକାରଙ୍କ ଅନୁସାରେ ଯେଉଁ ଦେଶଗୁଡ଼ିକର ମେକ୍ସିକୋ ସହିତ ବାଣିଜ୍ୟ ଚୁକ୍ତି ନାହିଁ, ସେମାନେ ଏହି ୫୦% ଶୁଳ୍କର ସାମ୍ନା କରିବେ। ଏହିକ୍ରମେ ଭାରତ ମଧ୍ୟ ଏବେ ମେକ୍ସିକୋ’ର ଏହି ନୂଆ ଟାରିଫ୍ ନୀତିର ଶିକାର ହୋଇଛି। ଅର୍ଥାତ୍ ଦକ୍ଷିଣ କୋରିଆ, ଚୀନ, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆ ସମେତ ଭାରତ ଉପରେ ମଧ୍ୟ ମେକ୍ସିକୋ ପକ୍ଷରୁ ସ୍ୱତଃପ୍ରବୃତ୍ତ ଭାବେ ୫୦% ଆମଦାନୀ ଶୁଳ୍କ ଲାଗୁ ହୋଇଯାଇଛି। କାରଣ ଏସବୁ ଦେଶଙ୍କର ମେକ୍ସିକୋ ସହ କୌଣସି ବାଣିଜ୍ୟିକ ଚୁକ୍ତି ନାହିଁ।
ତେବେ ମେକ୍ସିକୋର ଏହି ନୂଆ ଟାରିଫ୍ ନୀତି ଯୋଗୁ ଭାରତର ପ୍ରାୟ ୧ ବିଲିଅନ ଡଲାରର ରପ୍ତାନୀ ଗୁରୁତର ଭାବେ ପ୍ରଭାବିତ ହେବ। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ମେକ୍ସିକୋ ଶୁଳ୍କ ଭୋକ୍ସୱାଗନ୍, ହୁଣ୍ଡାଇ, ନିସାନ ଏବଂ ମାରୁତି ସୁଜୁକି ଭଳି ପ୍ରମୁଖ ଭାରତୀୟ କାର୍ ରପ୍ତାନିକାରୀଙ୍କଠାରୁ ୧ ବିଲିୟନ ଡଲାର ମୂଲ୍ୟର ରପ୍ତାନୀକୁ ଗୁରୁତର ପ୍ରଭାବିତ କରିବ। ଭାରତୀୟ କାରଗୁଡ଼ିକ ଉପରେ ଆମଦାନୀ ଶୁଳ୍କ ୨୦% ରୁ ୫୦% କୁ ବୃଦ୍ଧି ପାଇବ, ଯାହା ଭାରତର ସର୍ବବୃହତ ଯାନବାହନ ରପ୍ତାନିକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଘାତ ହେବ। ସାଉଥ୍ ଆଫ୍ରିକା ଏବଂ ସାଉଦି ଆରବ ପରେ ମେକ୍ସିକୋ ହେଉଛି ଭାରତର ତୃତୀୟ ବୃହତ୍ତମ କାର୍ ରପ୍ତାନିକାରୀ ଦେଶ। ଆମେରିକା ଅଧିକାଂଶ ସାମଗ୍ରୀ ପାଇଁ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିବାର ପ୍ରାୟ ୪ ମାସ ପରେ, ମେକ୍ସିକୋ ଭାରତ ଏବଂ ଚୀନ୍ ସମେତ ଏସୀୟ ଦେଶଗୁଡ଼ିକରୁ କିଛି ଉତ୍ପାଦ ଆମଦାନୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ମଞ୍ଜୁର କରିଛି। ମେକ୍ସିକୋ ସରକାରଙ୍କ ଅନୁସାରେ ଜାତୀୟ ଶିଳ୍ପ ଏବଂ ଉତ୍ପାଦକମାନଙ୍କୁ ସୁରକ୍ଷା ଦେବା ପାଇଁ ଲାଗୁ ହୋଇଥିବା ଶୁଳ୍କ ୧ ଜାନୁଆରୀ, ୨୦୨୬ ରୁ କାର୍ଯ୍ୟକାରୀ ହେବାକୁ ଯାଉଛି।
ପ୍ରକାଶ, ଗତ ବୁଧବାର ମେକ୍ସିକୋ ସିନେଟରେ ଏସଂକ୍ରାନ୍ତୀୟ ବିଲ୍ ପାସ୍ ହୋଇଛି। ଏହି ସମୟରେ ସ୍ଥାନୀୟ ସରକାର ଯୁକ୍ତି ବାଢ଼ିଥିଲେ ଯେ, ସ୍ଥାନୀୟ ଯୁବପିଢ଼ିଙ୍କ ରୋଜଗାର ଏବଂ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଏହା ଦେଶରେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ସହାୟକ ହେବ। ତେବେ ବିଲ୍ ସପକ୍ଷରେ ୭୬ଟି ଭୋଟ୍ ମିଳିଥିବା ବେଳେ ୫ଟି ବିରୋଧରେ ଏବଂ ୩୫ସଦସ୍ୟ ଭୋଟଦାନରୁ ବିରତ ରହିଥିଲେ। ମେକ୍ସିକୋ ସହିତ ଯେଉଁ ଦେଶଗୁଡ଼ିକର ବାଣିଜ୍ୟିକ ରାଜିନାମା ହୋଇ ନ ଥିବ ସେହିସବୁ ଦେଶ ଏହି ଶୁଳ୍କ ବୋଝ ମୁଣ୍ଡାଇବେ। ପ୍ରାୟ ୧୪୦୦ ଉତ୍ପାଦ ଉପରେ ଶୁଳ୍କ ଲାଗୁ ହେବ। ମେକ୍ସିକୋର ଏକ ଦୈନିକ ଏଲ୍ ୟୁନିଭର୍ସାଲ୍ ଅନୁଯାୟୀ, ଅଟୋ ପାର୍ଟସ୍, ହାଲୁକା କାର, ପୋଷାକ, ପ୍ଲାଷ୍ଟିକ୍, ଷ୍ଟିଲ୍, ଘରୋଇ ଉପକରଣ, ଖେଳଣା, କପଡ଼ା, ଫର୍ଣ୍ଣିଚର, ପାଦୁକା, ଚମଡ଼ା ସାମଗ୍ରୀ, କାଗଜ, କାର୍ଡବୋର୍ଡ, ମୋଟରସାଇକେଲ୍, ଆଲୁମିନିୟମ୍, ଟ୍ରେଲର, କାଚ, ସାବୁନ, ପରଫ୍ୟୁମ୍ ଏବଂ ପ୍ରସାଧନ ସାମଗ୍ରୀ ଭଳି ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିଛି। ଅଧିକାଂଶ ସାମଗ୍ରୀ ଉପରେ ୩୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରାଯାଇଥିବା ବେଳେ ଯାତ୍ରୀବାହୀ ଯାନ ସମେତ ଅନ୍ୟ କେତେକ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେବ।
ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ମଧ୍ୟ ଦେଶର ଶିଳ୍ପ ପାଇଁ ଅଧିକ ସୁରକ୍ଷା ପ୍ରଦାନ କରିବାକୁ ଏବଂ ଘରୋଇ ଉତ୍ପାଦନ ବୃଦ୍ଧି କରିବାକୁ ଚାହାଁନ୍ତି। ଏହିକ୍ରମେ ପ୍ରସ୍ତାବିତ ଶୁଳ୍କଗୁଡ଼ିକ ମଧ୍ୟ ୩.୮ ବିଲିଅନ ଆମେରିକୀୟ ଡଲାର (ପ୍ରାୟ ୩୩,୯୧୦ କୋଟି ଟଙ୍କା) ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ ମେକ୍ସିକୋର ଏହି ନିଷ୍ପତ୍ତି ଦ୍ୱାରା ଚୀନ୍ ସବୁଠାରୁ ଅଧିକ ପ୍ରଭାବିତ ହେବ, କାରଣ ମେକ୍ସିକୋ ୨୦୨୪ ମସିହାରେ ଦେଶରୁ ୧୩୦ ବିଲିୟନ ଡଲାର ମୂଲ୍ୟର ଉତ୍ପାଦ ଆମଦାନୀ କରିଥିଲା। ତେବେ ମେକ୍ସିକୋର ଏହି ପଦକ୍ଷେପ ସମ୍ପର୍କରେ କିଛି ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ, ଏହା କେବଳ ଆମେରିକାକୁ ଖୁସି କରିବା ଲାଗି କରାଯାଇଛି। ଆଗାମୀ ଦିଗରେ ଆମେରିକା-ମେକ୍ସିକୋ-କାନାଡ଼ା ଚୁକ୍ତିର ସମୀକ୍ଷା ହେବାକୁ ଥିବାରୁ ମେକ୍ସିକୋ ସରକାର ଆମେରିକାକୁ ଖୁସି କରିବା ଲାଗି ଏହି ପଦକ୍ଷେପ ନେଇଛନ୍ତି। ଆଉ କିଛି ବିଶେଷଜ୍ଞ କହିଛନ୍ତି, ମେକ୍ସିକୋର ପଦକ୍ଷେପ ଦେଶକୁ ଗୋଟିଏ ବର୍ଷରେ ୩.୭୬ ବିଲିଅନ ଡଲାର ଅର୍ଥର ଲାଭ ଦେବ। ତେବେ ଭାରତ ପକ୍ଷରୁ ମେକ୍ସିକୋ’ର ଏହି ନୂଆ ଶୁଳ୍କ ନୀତି ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଦିଆଯାଇନଥିବା ବେଳେ ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ କିନ୍ତୁ କହିଛି ଯେ ଏଭଳି ଏକପାଖିଆ ପଦକ୍ଷେପ ବାଣିଜ୍ୟିକ ସ୍ୱାର୍ଥକୁ ହାନୀ ପହଞ୍ଚାଇବ।










