ପାରାଦୀପ: କମ୍ପାନୀରେ ଚାଲିଛି ଶ୍ରମିକ ଶୋଷଣ। ସରକାରଙ୍କ ଶ୍ରମ ଆଇନକୁ ସିଧାସଳଖ କରାଯାଉଛି ଉଲଂଘନ। ଦିନକୁ ବାରଘଣ୍ଟା କାର୍ଯ୍ୟ କରାଯାଉଥିବା ବେଳେ ମାସରେ ତିରିଶଦିନ କାର୍ଯ୍ୟ କରିବାକୁ କମ୍ପାନୀ ଦେଉଛି ନିର୍ଦ୍ଦେଶ। ଯଦି କୌଣସି ଶ୍ରମିକର କିଛି ଅସୁବିଧା ହେଉ କିମ୍ବା ଶରୀର ଅସୁସ୍ଥତା କାରଣରୁ କାମକୁ ଆସିପାରୁନାହିଁ ତେବେ ସେହି ଶ୍ରମିକକୁ ସପ୍ତାହରୁ ଊର୍ଦ୍ଧ୍ୱ ସମୟ କାର୍ଯ୍ୟରୁ ନିଲମ୍ବନ କରାଯାଉଥିବା ଅଭିଯୋଗ ଆଣି କମ୍ପାନୀ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଶ୍ରମିକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ପ୍ଲାଷ୍ଟିକ ପାର୍କରେ କାର୍ଯ୍ୟ କରୁଥିବା ବୃଚ୍ ଇଣ୍ଟରନ୍ୟାସନାଲ ଲିମିଟେଡ଼ କମ୍ପାନୀରେ। ଧାରଣାରତ ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ ଏଠି କମ୍ପାନୀରେ ମାଲିକ ଓ ମ୍ୟାନେଜରଙ୍କ ମନମାନିରେ ଚାଲିଛି କମ୍ପାନୀ କାର୍ଯ୍ୟ। ଏଠି ଶ୍ରମିକମାନଙ୍କୁ ଅନେକ ସମୟରେ ନିର୍ଯାତନା ଦିଆଯାଉଛି।
ଯଦି କେହି ମୁହଁ ଖୋଲୁଛି ତାର ଚାକିରୀ ନାହିଁ। ତିନିବର୍ଷରୁ ଊର୍ଦ୍ଧ୍ୱ ହେବ ଆମେମାନେ କମ୍ପାନୀରେ କାମ କରୁଥିବା ବେଳେ ମିଳୁଛି ସ୍ୱଳ୍ପ ଦରମା। ଯଦି ଦରମା ବଢାଇବାକୁ ଆମେ କହୁଛୁ ତେବେ ଆମେ ସମସ୍ତେ ସ୍ଥାନୀୟ ଅଞ୍ଚଳର ଶ୍ରମିକ ହୋଇଥିବାରୁ ବିଭିନ୍ନ ସମୟରେ କମ୍ପାନୀ ମ୍ୟାନେଜର ଆମମାନଙ୍କୁ ବାହାର କରି ବାହାର ରାଜ୍ୟରୁ ଶ୍ରମିକ ଆଣି କାର୍ଯ୍ୟ କରିବା ସହିତ ଆମକୁ ବାହାର କରିଦେବାକୁ ଧମକ ଦେଉଛନ୍ତି। ବାରମ୍ବାର ଏହିଭଳି ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ଆମେ କମ୍ପାନୀ ଫାଟକ ତାଲା ପକାଇ ଧାରଣାରେ ବସିଛୁ ବୋଲି କହିଛନ୍ତି ଧାରଣାରତ ଶ୍ରମିକମାନେ। ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ। ଘଟଣାସ୍ଥଳରେ ଲକଥାନା ପୁଲିସ ପହଞ୍ଚି ଧାରଣାରତ ଶ୍ରମିକମାନଙ୍କ ସହିତ ଆଲୋଚନା ଚଳାଇଥିବା ବେଳେ କମ୍ପାନୀ ଅଧିକାରୀ ମାନେ ଆସୀନଥିବା କହିଛନ୍ତି ଧାରଣାରତ ଶ୍ରମିକ।










