– ୫ ଜିଲ୍ଲାକୁ ୨, ୯୪, ୫୯୪ ଟୋକନ ପ୍ରଦାନ
-ପଞ୍ଜିକୃତ ହୋଇଛନ୍ତି ୧୯,୭୬,୮୧୨ ଚାଷୀ
ଭୁବନେଶ୍ୱର: ବୁଧବାର ବିଧାନସଭା ଆରମ୍ଭରୁ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠିଥିଲା। କାଲିଠୁ ସମ୍ବଲପୁର, ବରଗଡରେ ସ୍ୱାଭାବିକ ହୋଇଥିଲେ ବି ଟୋକନ ସମସ୍ୟା ଓ ଏମ୍ଏସ୍ପିକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ। ତେବେ ଜବାବ ରଖିବା ସହ ବିରୋଧୀଙ୍କୁ କଡ଼ା ଜବାବ ଦେଇଛି ଶାସକ ଦଳ। ରାଜ୍ୟରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଧାନମଣ୍ଡି ଉପରେ କଡ଼ା ନଜର ରଖିବା ପାଇଁ ଖୋଦ୍ ମନ୍ତ୍ରୀମାନେ ଦାୟିତ୍ୱ ନେବେ। ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଜିଲ୍ଲାୱାରୀ ଦାୟିତ୍ୱ ବଣ୍ଟନ କରିଛନ୍ତି। ରାଜ୍ୟ ବିଧାନସଭାରେ ବୁଧବାର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି। ବୁଧବାର ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ଅନ୍ୟା ସଦସ୍ୟମାନଙ୍କ ଦ୍ୱାରା ଆଗତ “ବ୍ୟାପକ ଅବ୍ୟବସ୍ଥା ଭିତରେ ରାଜ୍ୟରେ ଚାଲୁଛି ମଣ୍ଡି ଓ ଧାନ କିଣା ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ’ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର ଏହା କହିଛନ୍ତି। ସେ କହିଛନ୍ତି ଯେ ଧାନ ସଂଗ୍ରହ ସମୟରେ ବିଭାଗ ବିଭାଗ ଭିତରେ ସମନ୍ୱୟ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି। ପ୍ରତ୍ୟକ ଜିଲ୍ଲା ପାଇଁ ଜଣେ ଜଣେ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀମାନେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରିବେ। ଜିଲ୍ଲାପାଳ ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ଅଫିସରଙ୍କୁ ଦାୟିତ୍ୱ ଦେବେ। ଅଫିସରମାନେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ସମବାୟ, ପଞ୍ଚାୟତିରାଜ, ଖାଦ୍ୟ ଯୋଗାଣ ଭଳି ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରିବେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ଏହାଛଡ଼ା ଧାନ ସଂଗ୍ରହ ସମୟରେ ବିଭାଗୀୟ ସମନ୍ୱୟ ରକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ ଉପକମିଟି ଗଠନ କରାଯାଇଛି। ମଣ୍ଡିରେ ଯେପରି କୌଣସି ଅନିୟମିତତା ନହୁଏ ଏବଂ ପଡ଼ୋଶୀ ରାଜ୍ୟରୁ ବେଆଇନ୍ ଭାବେ ଧାନ ଓଡ଼ିଶା ମଣ୍ଡିକୁ ପ୍ରବେଶ ନକରେ, ସେଥିପାଇଁ ସୀମାନ୍ତରେ ସିସିଟିଭି କ୍ୟାମେରା ଲଗାଯିବା ସହ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଏବଂ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ଯଦି କୌଣସି ସରକାରୀ ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି। ଧାନ ବିକ୍ରି ପାଇଁ ୫ ଜିଲ୍ଲାକୁ ଟୋକନ ଦିଆଯାଇସାରିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା ଓ ସମ୍ବଲପୁରକୁ ଟୋକନ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ତେବେ ମୋଟ ୨, ୯୪, ୫୯୪ ଟୋକନ ଦିଆଯାଇଛି ଏବଂ ଖୁବଶୀଘ୍ର ଅନ୍ୟ ଅଞ୍ଚଳରୁ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଏହାଛଡ଼ା ଏଫଏକ୍ୟୁ ଧାନ ବାଧ୍ୟତାମୂଳକ ହୋଇଥିବାବେଳେ ଚଳିତ ଖରିଫ ଋତୁରେ ୧୯,୭୬,୮୧୨ ଚାଷୀ ପଞ୍ଜିକୃତ ହୋଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ସରକାର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ମଣ୍ଡିରେ ‘କଟନି ଛଟନି’ ସମସ୍ୟାକୁ ଦୂର କରିବା ପାଇଁ ଆଧୁନିକ ମାନ ପରୀକ୍ଷା ଯନ୍ତ୍ର, ୧୪୦ଟି ଭ୍ରାମ୍ୟମାଣ ଧାନ ସଫେଇ ଯନ୍ତ୍ର ଏବଂ ୩୦୩ଟି ଏଆଇ ବେସଡ ଆନାଲାଇଜର ଯୋଗାଇ ଦିଆଯାଇଛି। କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀଙ୍କ ଠାରୁ ଧାନ କିଣାକୁ ଅଗ୍ରାଧିକାର ଦିଆଯିବ। ଅଦିନିଆ ବର୍ଷା ଯୋଗୁଁ କିଛି ସ୍ଥାନରେ ଧାନ ସଂଗ୍ରହ ବିଳମ୍ବିତ ହୋଇଛି। ତେବେ ଯଦି କୌଣସି ଚାଷୀ ନିର୍ଦ୍ଧାରିତ ଟୋକେନ ଅବଧି ମଧ୍ୟରେ ଧାନ ବିକ୍ରି କରିପାରିବେ ନାହିଁ, ତେବେ ଜିଲ୍ଲାପାଳମାନଙ୍କୁ ସେହି ସମୟସୀମାକୁ ଆଉ ୧୫ ଦିନ ବୃଦ୍ଧି କରିବାକୁ କ୍ଷମତା ଦିଆଯାଇଛି।










