ରାଜନଗର: ରାଜନଗର ବ୍ଲକ୍ରେ ମହିଳା ଓ ଶିଶୁ ବିକାଶ ବିଭାଗର ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ମୈାଳିକ ସୁବିଧାରୁ ବଞ୍ôଚତ ହେଉଛନ୍ତି ଅଙ୍ଗନବାଡି ପ୍ରି-ସ୍କୁଲର ଛାତ୍ରଛାତ୍ରୀ। କେଉଁଠି କେନ୍ଦ୍ରର ନିଜସ୍ୱ ଘର ନାହିଁ ତ, କେଉଁଠି ନିଜସ୍ୱ ଘର ଥିଲେ ବି ବିଦ୍ୟୁତକରଣ ହୋଇନାହିଁ। ଏପରିକି ପାନୀୟଜଳ ଓ ଶୌଚାଳୟରୁ ବଞ୍ôଚତ ଅଧାରୁ ଅଧିକ ପ୍ରି-ସ୍କୁଲର ଛାତ୍ରଛାତ୍ରୀ। ଏହି ବ୍ଲକ୍ର ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ୨୭୪ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ୧୨୭ଟି କେନ୍ଦ୍ରର ନିଜସ୍ୱ ଗୃହ ଥିବା ବେଳେ ୧୪୭ଟି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ। କେନ୍ଦ୍ର ଚାଲିଥିବା ନିଜସ୍ୱ ଗୃହ ୧୨୭ ମଧ୍ୟରୁ ୯୪ଟିରେ ବିଦ୍ୟୁତ ସଂଯୋଗ କରାଯାଇଥିବା ବେଳେ ୩୩ଟି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ କରାଯାଇନାହିଁ । ଏହି କେନ୍ଦ୍ରଗୁଡିକ ମଧ୍ୟରୁ ଶତାଧିକ କେନ୍ଦ୍ରରେ ଶୌଚାଳୟ ନିର୍ମାଣ କରାଯାଇନାହିଁ । ଟିଭି, ପାନୀୟଜଳ ସଂଯୋଗ, ପାଣି ମଟର, ସୋଲାର ପ୍ରଭୃତି ସାମଗ୍ରୀ କେବଳ କାଗଜ କଲମରେ ଦର୍ଶାଯାଇ କୋଟିକୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି ।
ସବୁଠାରୁ ବଡକଥା ହେଉଛି ୫ଟି ଅଙ୍ଗନବାଡି କେନ୍ଦ୍ର ୫ବର୍ଷ ତଳୁ ନିର୍ମାଣ ସରିଥିଲେ ମଧ୍ୟ ସେଥିରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ନିର୍ମାଣ ସରିଥିବା ଏହି କେନ୍ଦ୍ରଗୁଡିକର କାନ୍ଥରୁ ରଙ୍ଗ ଛାଡିବା ସହିତ ଫାଟ ଦେଖାଦେଲାଣି । ବ୍ଲକ୍ ପ୍ରଶାସନ କେନ୍ଦ୍ରର ଗୃହ ସିନା ନିର୍ମାଣ କରିଦେଲା। ତାକୁ ହସ୍ତାନ୍ତର କରୁନାହିଁ । କନିଷ୍ଠ ଯନ୍ତ୍ରୀମାନେ କେନ୍ଦ୍ରର ଗୃହ ନିର୍ମାଣ ଦାୟିତ୍ୱରେ ରହିଥିଲେ ମଧ୍ୟ ଗାଁର ପେଟି ଠିକାଦାରଙ୍କ ହାତକୁ ଟେକି ଦେଇ ସମସ୍ତ ଅର୍ଥ ହଡପ କରିଥିବାରୁ ସେମାନେ ତାଲା ଖୋଲୁନାହାଁନ୍ତି । ଏପରିକି ନିଜସ୍ୱ ଗୃହ ନଥିବା ଅଙ୍ଗନବାଡି କେନ୍ଦ୍ର ସ୍କୁଲ ବାରଣ୍ଡା, କର୍ମୀ ଓ ସହାୟିକାଙ୍କ ଘର, ଗାଁର କ୍ଲବ ଘର ଓ ଭାଗବତ ଟୁଙ୍ଗିରେ ଚାଲୁଛି । ବିଦ୍ୟାଳୟମାନଙ୍କରେ ଚାଲୁଥିବା କେନ୍ଦ୍ରଗୁଡିକ ସକାଳ ୭ଟାରୁ ଆରମ୍ଭ ହୋଇ ସ୍କୁଲ ଆରମ୍ଭ ସକାଳ୧୦ଟାରେ ବନ୍ଦ କରାଯାଉଛି । ଏପରି ସ୍ଥିତିରେ ପ୍ରି-ସ୍କୁଲର ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ । ଏହି ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଗର୍ଭବତୀ, ପ୍ରସୂତି ଓ କିଶୋରୀ ବାଳିକାମାନଙ୍କୁ ବସିବାକୁ ଜାଗା ନଥିବାରୁ ଦସ୍ତଖତ କରି ଟିଏଚଆର ଖାଦ୍ୟ ନେଉଥିବା ଅଭିଯୋଗ ହେଉଛି । ଏହା ମଧ୍ୟରେ ୨୪ବର୍ଷର ସରକାର ବଦଳିଲା । ନୂତନ ସରକାର ଗଠନକୁ ଦେଢ ବର୍ଷ ବିତିଲାଣି । ମାତ୍ର ଅଙ୍ଗନବାଡି କେନ୍ଦ୍ରଗୁଡିକର ସ୍ଥିତି ନବଦଳିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ରାଜ୍ୟ ସରକାର ଅଙ୍ଗନବାଡିଗୁଡିକ ସମ୍ପର୍କରେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।










