26.7 C
Bhubaneswar
Thursday, September 10, 2026
Homeଓଡିଶାରାଜସ୍ୱ ପ୍ରଶାସନରେ ଡିଜିଟାଲ୍ ସମନ୍ୱୟ, ସ୍ୱଚ୍ଛତା ଓ ତ୍ଵରିତ ରାଜସ୍ୱ ସେବା ପ୍ରଦାନକୁ ମିଳିବ ନୂଆ...

ରାଜସ୍ୱ ପ୍ରଶାସନରେ ଡିଜିଟାଲ୍ ସମନ୍ୱୟ, ସ୍ୱଚ୍ଛତା ଓ ତ୍ଵରିତ ରାଜସ୍ୱ ସେବା ପ୍ରଦାନକୁ ମିଳିବ ନୂଆ ଗତି

ଭୁବନେଶ୍ୱର: ଦେଶର ଜମିଜମା ପ୍ରଶାସନ ବ୍ୟବସ୍ଥାକୁ ଅଧିକ ଆଧୁନିକ, ସ୍ୱଚ୍ଛ, ଦକ୍ଷ ଓ ନାଗରିକକୈନ୍ଦ୍ରିକ କରିବା ଲକ୍ଷ୍ୟରେ ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମଡର୍ନାଇଜେସନ୍ ପ୍ରୋଗ୍ରାମ୍ (DILRMP) ୩.୦ କାର୍ଯ୍ୟକାରୀ କରାଯିବ। DILRMP ୨.୦ ମାଧ୍ୟମରେ ଭୂମି ଅଧିକାର ରେକର୍ଡ, କ୍ୟାଡାଷ୍ଟ୍ରାଲ୍ ମାନଚିତ୍ର ବା ଭୂ-ନକ୍ସା ଓ ପଞ୍ଜୀକରଣ ବ୍ୟବସ୍ଥାର ଡିଜିଟାଲୀକରଣର ଭିତ୍ତି ସୁଦୃଢ଼ ହୋଇଥିବାବେଳେ, DILRMP ୩.୦ ଏହି ବିଭିନ୍ନ ବ୍ୟବସ୍ଥାକୁ ଏକ ବିଶ୍ୱସନୀୟ, ପରସ୍ପର ସମନ୍ୱୟକ୍ଷମ (Interoperable) ଏବଂ GIS-ସକ୍ଷମ Land Stack ମଧ୍ୟରେ ଏକୀକୃତ କରିବ।

ଏହି କାର୍ଯ୍ୟକ୍ରମ ୧ ଏପ୍ରିଲ୍ ୨୦୨୬ରୁ ୩୧ ମାର୍ଚ୍ଚ ୨୦୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ମୋଟ ୫୬୫.୫୦ କୋଟି ଟଙ୍କା ବ୍ୟୟ ବରାଦ ରହିଛି।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ DILRMP ୩.୦ର ପରିଚାଳନାଗତ ନିୟମାବଳୀ ତଥା ଗାଇଡଲାଇନର ଉନ୍ମୋଚନ କରିଛନ୍ତି l ଏହି ଅବସରରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟବର ବିଭାଗୀୟ ମନ୍ତ୍ରୀଗଣ ତଥା ସଚିବ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ l ଲୋକସେବା ଭବନରୁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ମଧ୍ଯ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

ସୂଚନାନୁଯାୟୀ, ଜମିଜମା ସମ୍ବନ୍ଧୀୟ ସମସ୍ତ ସୂଚନାର ଏକୀକୃତ ଡିଜିଟାଲ୍ ଭିତ୍ତି ଭାବେ Land Stack କୁ ବିକଶିତ କରାଯିବା ସହ DILRMP ୩.୦ରେ କ୍ୟାଡାଷ୍ଟ୍ରାଲ୍ ପାର୍ସେଲ୍‌କୁ ମୂଳ spatial layer ଭାବେ ବ୍ୟବହାର କରାଯିବ। ଏଥିରେ Record of Rights (RoR), ପଞ୍ଜୀକରଣ ତଥ୍ୟ, Circle Rate, ଭୂମି ସମ୍ପର୍କିତ ପ୍ରତିବନ୍ଧକତା, ଭୂମି ବ୍ୟବହାର, Building Plan ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ତଥ୍ୟକୁ interoperable API ମାଧ୍ୟମରେ ଏକୀକୃତ କରାଯିବ। ULPIN/Bhu-Aadhaar ସମସ୍ତ ଭୂମି ପାର୍ସେଲ୍ ପାଇଁ ସାଧାରଣ ଓ ଅନନ୍ୟ ପାର୍ସେଲ୍ ପରିଚୟ ସଂଖ୍ୟା ଭାବେ କାର୍ଯ୍ୟ କରିବ।

DILRMP ୩.୦ର ପ୍ରମୁଖ ଉଦ୍ଦେଶ୍ୟଗୁଡିକ ମଧ୍ୟରେ ଗ୍ରାମୀଣ, ଅର୍ଦ୍ଧ-ସହରାଞ୍ଚଳ ଓ ସହରାଞ୍ଚଳର ସମସ୍ତ ଭୂମି ପାର୍ସେଲ୍‌ର ସମ୍ପୂର୍ଣ୍ଣ ଡିଜିଟାଲୀକରଣ, georeferencing ଏବଂ Bhu-Aadhaar (ULPIN) ଆବଣ୍ଟନ, Spatially enabled ଓ Federated Secure API Architecture ଆଧାରିତ Land Stack ପ୍ରତିଷ୍ଠା, ସମସ୍ତ ପୁରାତନ ଭୂମି ଓ ପଞ୍ଜୀକରଣ ରେକର୍ଡର ଡିଜିଟାଲୀକରଣ କରି ସେଗୁଡ଼ିକୁ ସହଜରେ ଖୋଜି ପାଇବାର ସୁବିଧା, ସୁରକ୍ଷିତ identity verification ଓ consent-based integration ମାଧ୍ୟମରେ ନାଗରିକମାନଙ୍କୁ ପ୍ରମାଣିତ ଓ ସୁରକ୍ଷିତ ଭୂମି ସେବା ପ୍ରଦାନ,End-to-end digital property transactions ପାଇଁ ପଞ୍ଜୀକରଣ ବ୍ୟବସ୍ଥାର ଆଧୁନିକୀକରଣ ଓ ଏକୀକରଣ, ରାଜସ୍ୱ ଅଦାଲତର ପ୍ରକ୍ରିୟାକୁ ସୁଦୃଢ଼ ଓ ଡିଜିଟାଲୀକରଣ କରି ମ୍ଯୁଟେସନ୍ ଓ ଭୂମି ବିବାଦ ନିଷ୍ପତ୍ତିରେ ବିଳମ୍ବ ହ୍ରାସ ଏବଂ ସ୍ୱଚ୍ଛତା ବୃଦ୍ଧି, ଭୂମି ପ୍ରଶାସନ ସହ ଜଡ଼ିତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ seamless integration ପାଇଁ interoperable repositories ଓ data-exchange mechanisms ପ୍ରଣୟନ ଆଦି ବ୍ୟବସ୍ଥା ରହିଛି l

ଏହି ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, DILRMP ୩.୦ର ଏହି ପଦକ୍ଷେପ ଦେଶର ଭୂମି ପ୍ରଶାସନକୁ ଏକ ଏକୀକୃତ, ଡିଜିଟାଲ୍, GIS-ଆଧାରିତ ଓ ନାଗରିକକୈନ୍ଦ୍ରିକ ବ୍ୟବସ୍ଥା ଭାବେ ବିକଶିତ କରିବା ସହିତ ଭୂମି ସମ୍ପର୍କିତ ସେବାରେ ଅଧିକ ପାରଦର୍ଶିତା, ତ୍ଵରିତ ସେବା ପ୍ରଦାନ, ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ l

ଓଡ଼ିଶାରେ ଅଦ୍ୟାବଧି DILRMP ଅଧୀନରେ ପ୍ରମୁଖ ସଫଳତା ସମ୍ଵନ୍ଧରେ ସୂଚନା ଦେଇ ମାନ୍ୟବର ମନ୍ତ୍ରୀ କହିଛନ୍ତି, DILRMP ଅଧୀନରେ ଓଡ଼ିଶା ରାଜ୍ୟସରକାର ପୂର୍ବରୁ ନିଜର କାର୍ଯ୍ୟ ଆରମ୍ଭ କରି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ରାଜ୍ୟର ରାଜସ୍ୱ ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି l ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୧୭ ତହସିଲ୍ ମଧ୍ୟରୁ ୩୧୧ ତହସିଲରେ ଆଧୁନିକ ରେକର୍ଡ଼ ରୁମ୍ ଅବସ୍ଥାପିତ ହୋଇଛି l ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲାରେ ହାଇଟେକ୍ ସର୍ଭେ ପ୍ରକ୍ରିୟାଧୀନ ଅଛି l ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୯୯ ଲକ୍ଷ ୮୬ ହଜାର ୪୮୭ ଜମି ପଟ୍ଟା (RoR)ର କମ୍ପ୍ୟୁଟରୀକରଣ ହୋଇଛି l ସେହିପରି ରାଜ୍ୟର ୫୧୮୦୨ ଗ୍ରାମରୁ ପ୍ରାୟ ୫୧୭୪୨ ଗ୍ରାମର Cadastral Maps ବା ଭୂ-ନକ୍ସା ପ୍ରସ୍ତୁତ ହୋଇଛି l ସେହିପରି ରାଜ୍ୟର ୩୨୧ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ମଧ୍ୟୟରୁ ୨୧୩ଟି SRO କମ୍ପ୍ୟୁଟରୀକରଣ ହୋଇଛି l ୨୦୨୫ ମସିହାରେ ନୂତନ କରି ପ୍ରତିଷ୍ଠା ହୋଇଥିବା ୧୦୮ ପଞ୍ଜୀକରଣ କାର୍ଯ୍ୟାଳୟ ମଧ୍ଯ ଖୁବ୍ ଶୀଘ୍ର ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ହେବା ନିମନ୍ତେ କାର୍ଯ୍ୟ କରାଯାଉଛି l ସେହିପରି ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ(ROTI) ପରିସରରେ DILRMP ସେଲ୍ ମଧ୍ଯ ଅବସ୍ଥାପିତ ହୋଇଛି l କ୍ୟାସଲେସ୍ ଏବଂ ପେପରଲେସ୍ ପଞ୍ଜୀକରଣ ବ୍ୟବସ୍ଥା, ଅତ୍ୟାଧୁନିକ ନିରୀକ୍ଷଣ ଜ୍ଞାନକୌଶଳ ଆଦି ଦ୍ଵାରା ରାଜସ୍ୱ ବ୍ୟବସ୍ଥାକୁ ସ୍ଵଚ୍ଛ, ପାରଦର୍ଶୀ ଏବଂ ଲୋକାଭିମୁଖୀ କରିବା ଦିଗରେ ରାଜସ୍ୱ ବିଭାଗ ନିରନ୍ତର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking