25.1 C
Bhubaneswar
Sunday, February 22, 2026
Homeଓଡିଶାସରକାରଙ୍କ ନିର୍ଦ୍ଦେଶନାମାକୁ ଖାରଜ କଲେ ହାଇକୋର୍ଟ

ସରକାରଙ୍କ ନିର୍ଦ୍ଦେଶନାମାକୁ ଖାରଜ କଲେ ହାଇକୋର୍ଟ

କଟକ: ସରକାରୀ ସ୍କୁଲରେ ଶିକ୍ଷକ ବଦଳି ପାଇଁ ସାଂସଦ, ବିଧାୟକ ସୁପାରିଶ କରିପାରିବେ ନାହିଁ। ଏଭଳି ସୁପାରିଶ ଦ୍ୱାରା ପ୍ରଶାସନିକ ଓ ଶିକ୍ଷା ବ୍ୟବସ୍ଥାରେ ଅନାବଶ୍ୟକ ରାଜନୈତିକ ହସ୍ତକ୍ଷେପ ହେବ। ତେଣୁ ରାଜ୍ୟ ସରକାରଙ୍କ ଚାକିରି ନିୟମାବଳି ଅନୁଯାୟୀ ସରକାରୀ ସ୍କୁଲରେ ଶିକ୍ଷକ ବଦଳି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ବିଚାରପତି ଦୀକ୍ଷିତ କୃଷ୍ଣ ଶ୍ରୀପଦ ଏ ସଂକ୍ରାନ୍ତୀୟ ଏକାଧିକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୫ ମେ ୧୩ ତାରିଖରେ ଜାରି ନିର୍ଦେଶନାମାକୁ ଗୁରୁବାର ଖାରଜ କରିଦେଇଛନ୍ତି। ଏଥିସହ ଏହି ମାମଲାରେ ହାଇକୋର୍ଟ ଶିକ୍ଷକ ବଦଳି ଉପରେ ଗତ ଜୁଲାଇ ମାସରେ ଦେଇଥିବା ଅନ୍ତରୀଣ ରହିତାଦେଶ ଏବେ ସ୍ଥାୟୀ ହୋଇଯାଇଛି।

ତେବେ ଏହିଭଳି ଭାବେ ବଦଳି ହୋଇସାରିଥିବା ଶିକ୍ଷକମାନେ ଚଳିତ ଶିକ୍ଷା ବର୍ଷ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଶିକ୍ଷା ବର୍ଷ ଶେଷ ପରେ ସେମାନେ ନିଜର ପୂର୍ବ ସ୍କୁଲକୁ ଫେରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାର ବିବରଣୀ ଅନୁସାରେ ରାଜ୍ୟରେ ଶିକ୍ଷକ ବଦଳି ପାଇଁ ୨୦୨୫ ମେ ୧୩ ତାରିଖରେ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସାଂସଦ, ବିଧାୟକମାନେ ୧୫ ଜଣ ପର୍ଯ୍ୟନ୍ତ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିବେ। ସେହି ସୁପାରିଶ ଅନୁଯାୟୀ ଜିଲ୍ଲା ଶିକ୍ଷଧିକାରୀ ବଦଳି କାର୍ଯ୍ୟକାରୀ କରିବେ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଥିଲା। ଏହି ନିର୍ଦ୍ଦେଶନାମା ଅନୁସାରେ ବଦଳି ଆଶାୟୀ ଶିକ୍ଷକମାନେ ସାଂସଦ, ବିଧାୟକଙ୍କ ନିକଟରେ ସେମାନଙ୍କ ଆବେଦନ ପତ୍ର ଦାଖଲ କରିଥିଲେ। ଏଥିପାଇଁ ବହୁ ଭାବରେ ଲବି ମଧ୍ୟ ଆରମ୍ଭ ହୋଇଯାଇଥିଲା। କେତେକାଂଶରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ବହୁ ଅଭିଯୋଗ ହୋଇଥିଲା। ଏଭଳି ନିର୍ଦ୍ଦେଶନାମାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ମାମଲାର ପ୍ରାଥମିକ ଶୁଣାଣି କରି ଏଭଳି ନିର୍ଦ୍ଦେଶନାମା ଉପରେ ଅନ୍ତରୀଣ ରହିତାଦେଶ ଲାଗୁ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking